ବାରବାଟୀ ଟେ୍ଵଣ୍ଟି-୨୦: ଆଉ ୪ ଦିନ: ବିଳମ୍ବରେ ଆରମ୍ଭ ହେଲା କାଉଣ୍ଟର୍‌ ଟିକେଟ୍‌ ବିକ୍ରି

କଟକ: ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବାକୁ ଥିବା ଟେ୍ଵଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତା ପାଇଁ ଗୁରୁବାରଠୁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଦାୟିତ୍ୱ ନେଇଥିବା ଘରୋଇ ବ୍ୟାଙ୍କର ଦାୟିତ୍ୱ ହୀନତା ଯୋଗୁଁ ଟିକେଟ ବିକ୍ରିରେ ଅନେକ ବିଭ୍ରାଟ ହୋଇଥିବା ନଜରକୁ ଆସିଛି। ପ୍ରଥମରୁ ସ୍ୱାଇପ୍‌ ମେସିନ୍‌ କାର୍ଯ୍ୟ ନକରିବାରୁ ବିଳମ୍ବରେ ବିକ୍ରି ଆରମ୍ଭ ହୋଇଥିଲା। ତେବେ ଯେଉଁମାନେ ଡ୍ରାଫ୍ଟ ଆଣି ଆସିଥିଲେ ସେମାନଙ୍କୁ ଟିକେଟ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ମ୍ୟାଚର ଟିକେଟ ବିକ୍ରି ଦାୟିତ୍ୱ ନେଇଥିବାରୁ ସଂପୃକ୍ତ ବ୍ୟାଙ୍କ ପକ୍ଷରୁ ଏନେଇ ପ୍ରସ୍ତୁତି ପର୍ଯ୍ୟାୟ ମଧ୍ୟ ଠିକ୍‌ଭାବେ ହୋଇନଥିବା ଜଣାପଡ଼ିଛି। ଓସିଏ ଅନୁବନ୍ଧିତ ସଂସ୍ଥା, ବିସିସିଆଇ ପ୍ରାୟୋଜକଙ୍କ ପାଇଁ ମୋଟ ୧୦,୩୬୨ ଟିକେଟ ବିକ୍ରି ପାଇଁ ରଖାଯାଇଥିଲା। ସେଥିମଧ୍ୟରୁ ପ୍ରଥମ ଦିନରେ ପ୍ରାୟ ୯ ହଜାର ଟିକେଟ ବିକ୍ରି ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ପ୍ରାୟ ୫୩୦୦ ବିକ୍ରି ହୋଇଥିବା ବ୍ୟାଙ୍କ ପକ୍ଷରୁ ଜଣାପଡ଼ିଛି। କିନ୍ତୁ ସଂଧ୍ୟା ୬ଟାରେ ବିକ୍ରି ବନ୍ଦ ହୋଇଥିଲେ ବି ରାତି ୯ଟା ପର୍ଯ୍ୟନ୍ତ କେତେ ଟିକେଟ ବିକ୍ରି ହୋଇଛି ତାହାର ହିସାବ ହୋଇପାରୁନଥିବା ଜଣାପଡ଼ିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଟିକେଟରେ ହୋଲୋଗ୍ରାମ ବ୍ୟବସ୍ଥା କରାଯାଇଛି। ସୁରକ୍ଷାଜନିତ କାରଣରୁ ବାର୍‌କୋଡ୍‌ ମଧ୍ୟ ରଖାଯାଇଥିବା ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର