ବାରବାଟୀ ଟେ୍ଵଣ୍ଟି-୨୦: ଆଜିଠୁ ଅନୁବନ୍ଧିତ ସଂସ୍ଥାଙ୍କ ପାଇଁ ଟିକେଟ ବିକ୍ରି

କଟକ: ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ-ଶ୍ରୀଲଙ୍ଗା ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ଗୁରୁବାରଠୁ ଟିକେଟ ବିକ୍ରି ଆରମ୍ଭ ହେଉଛି। ଓସିଏ ଅନୁବନ୍ଧିତ ସଂସ୍ଥା, ବିସିସିଆଇ ପ୍ରାୟୋଜକଙ୍କ ପାଇଁ ୧୦,୩୬୨ ଟିକେଟ୍‌ ବିକ୍ରି କରାଯିବ। ଓସିଏ କନ୍‌ଫରେନ୍ସ ହଲ୍‌ରେ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ଘରୋଇ ବ୍ୟାଙ୍କ ଜରିଆରେ ଟିକେଟ୍‌ ବିକ୍ରି ହେବ ବୋଲି ସୂଚନା ଦିଆଯାଇଛି। ଏଥିରୁ ବଳକା ଟିକେଟ୍‌ ଗୁଡ଼ିକ କାଉଣ୍ଟରରେ ବିକ୍ରି ପାଇଁ ଚାଲିଯିବ। ୧୬ ଓ ୧୭ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ବିକ୍ରି କରାଯିବ। ଚଳିତ ବର୍ଷ ସୁରକ୍ଷା ଜନିତ କାରଣ ପାଇଁ ଟିକେଟରେ ବାର୍‌କୋଡ୍‌ ଓ ହୋଲୋଗ୍ରାମ ରହୁଥିବା କୁହାଯାଇଛି। ପୂର୍ବରୁ ଅନ୍‌ଲାଇନ୍‌ରେ ଛଡ଼ାଯାଇଥିବା ପ୍ରାୟ ୧୦ ହଜାର ଟିକେଟ୍‌ ସଂପୂର୍ଣ୍ଣ ଭାବେ ବିକ୍ରି ହୋଇଯାଇଥିଲା।

ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡିୟମର ପ୍ରସ୍ତୁତି ସମ୍ପର୍କରେ ସ୍ଥିତି ସମୀକ୍ଷା କରିବାକୁ ବୁଧବାର ସଂଧ୍ୟାରେ ପୁଲିସ୍‌ କମିସନର ଓ୍ଵାଇବି ଖୁରାନିଆ, ଡିସିପି ଅଖିଳେଶ୍ୱର ସିଂହ ଷ୍ଟାଡିୟମରେ ପହଞ୍ଚିଥିଲେ। ଆଭ୍ୟନ୍ତରୀଣ ସୁବିଧା ସୁଯୋଗ ବିଷୟରେ ଓସିଏ ଅଧିକାରୀଙ୍କଠୁ ପଚାରି ବୁଝିଥିଲେ। ଏଥର ଷ୍ଟାଡିୟମ ଭିତରେ ୮୫ଟି ସିସି କ୍ୟାମେରା ଲଗାଯିବାକୁ ସ୍ଥିର କରାଯାଇଛି। ସେହିପରି ୪ଟି ଆମ୍ବୁଲାନ୍ସ ଓ ଡାକ୍ତର ଦଳ ନିୟୋଜିତ ହେବେ। ଗୁରୁବାରଠୁ ଆରମ୍ଭ ହେଉଥିବା ଟିକେଟ୍‌ ବିକ୍ରି ବେଳଠୁ ପୁଲିସ୍‌ ଫୋର୍ସଙ୍କୁ ନିୟୋଜିତ କରାଯିବ। ଏଥିସହିତ କାଉଣ୍ଟର ଟିକେଟ୍‌ ବିକ୍ରି ବେଳେ ମଧ୍ୟ ସଶସ୍ତ୍ର ପୁଲିସ୍‌ ମୁତୟନ ହେବେ। ପ୍ରାୟ ୬୫ ପ୍ଲାଟୁନ୍‌ ଫୋର୍ସ ମ୍ୟାଚ୍‌ ଦିନ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ବୋଲି କମିସନର ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି। କୁଇକ୍‌ ରେସପନ୍ସ ଟିମ୍‌, ଓଡ୍ରାଫ୍‌, ସଶସ୍ତ୍ର ପୁଲିସ୍‌, ବୋମା ନିଷ୍କ୍ରିୟକାରୀ ଦଳ ପ୍ରମୁଖ ଖେଳାଳିଙ୍କ ସୁରକ୍ଷାରେ ରହିବେ। ବିମାନବନ୍ଦରରୁ ହୋଟେଲ୍‌ ଏବଂ ଷ୍ଟାଡିୟମ ପର୍ଯ୍ୟନ୍ତ ସମସ୍ତ ଯାତାୟତ ବେଳେ ଖେଳାଳି ଓ ମ୍ୟାଚ୍‌ ପରିଚାଳନା ଅଧିକାରୀଙ୍କୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ ବୋଲି କମିସନର କହିଛନ୍ତି।

ସମ୍ବନ୍ଧିତ ଖବର