ବାରବାଟୀ ଟି-୨୦: କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର: ଗୋଟିଏ ଦିନ ପରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ପାଇଁ ସୋମବାର ଭାରତ ଓ ଶ୍ରୀଲଙ୍କା ଟିମ୍‌ ଭୁବନେଶ୍ୱର ପହଞ୍ଚିଛନ୍ତି। ଏ ନେଇ ଭୁବନେଶ୍ୱର-କଟକ କମିସନରେଟ ପୁଲିସ ପକ୍ଷରୁ ସୋମବାର ଟ୍ରାଫିକ ଗାଇଡଲାଇନ୍‌ ଜାରି ହୋଇଛି। ବାରବାଟୀ ଷ୍ଟାଡିୟମ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକ ଯେପରି ହଇଣାଣ ନ ହୁଅନ୍ତି, ସେଥିପାଇଁ ଅସ୍ଥାୟୀ ଯାନବାହାନ ନିୟନ୍ତ୍ରଣ ଏବଂ ସାଧାରଣ ସୂଚନା ଉପରେ ଉପଦେଶନାମା ଜାରି ହୋଇଛି।

ମାତାମଠ ପଟୁ ରିଂ ରୋଡ୍‌ ଦେଇ ଆସୁଥିବା ଯାନବାହାନ ଗୁଡ଼ିକ ଗଡ଼ଗଡ଼ିଆ ମନ୍ଦିର ପୂର୍ବରୁ ଥିବା ଗଡ଼ା ପାଖରେ ଡାହାଣକୁ ଯାଇ ମହାନଦୀ ପଠାରେ ଗାଡ଼ି ପାର୍କିଂ କରିପାରିବେ। ଏହି ରାସ୍ତାରେ ଆସୁଥିବା ପାସ୍‌ ଥିବା ଯାନବାହାନ ଗୁଡ଼ିକ ଗଡ଼ଗଡେଶ୍ୱର ମନ୍ଦିର ଦେଇ ଚାମ୍ବୋଡ଼ିପୋ ଗଡ଼ାରେ ବାମ ପଟକୁ ଯାଇ ପୁରୁଣା ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ।

ହରିଣ ପାର୍କ ବା ମଧୁସୂଦନ ନଗର ଆଡୁ ରିଂ ରୋଡ଼ରେ ମ୍ୟାଚ ଦେଖିବାକୁ ଆସୁଥିବା ଗାଡ଼ିଗୁଡ଼ିକ କାର୍ତ୍ତିକେଶ୍ୱରଗଡ଼ାରେ ବାମକୁ ରହି ପାର୍କିଂ ଷ୍ଟାଣ୍ଡରେ ଗାଡ଼ିମୋଟର ରଖିପାରିବେ।

ମାତାମଠ ପଟୁ ବା ହରିଣ ପାର୍କ ଆଡୁ ଜାଭିୟର ସ୍କୁଲ ପାସ ଯାଇଥିବା ଯାନବାହାନଗୁଡ଼ିକ ବାମ୍ବୋଡ଼ିପୋ ଗଡ଼ାରୁ ଚମ୍ପାବନ ରାସ୍ତା କିମ୍ବା ଏବଂ ଟିକେଟ କାଉଣ୍ଟର ନମ୍ବର ୩ ରାସ୍ତା ଦେଇ ୧୪ ନମ୍ବର ଗେଟ୍‌ରେ ଜାଭିୟର ସ୍କୁଲ ଗ୍ରାଉଣ୍ଡରେ ପାର୍କିଂ କରି ପାରିବେ।

ହାଓଡାମୋଟର ଛକ ଓ ମଣିସାହୁଛକଆଡୁ ଆସୁଥିବା ସମସ୍ତ ଯାନବାହାନଗୁଡ଼ିକ ହୋଟେଲ ଗୀରନାର ଛକଠାରୁ ଡାହାଣକୁ ଭାଙ୍ଗି ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ଷ୍ଟାଣ୍ଡରେ ଗାଡ଼ି ରଖିପାରିବେ। କିନ୍ତୁ ଗ୍ରୀନାର ହୋଟେଲ ଛକଠାରୁ କୌଣସି ଯାନବାହାନ ସିଧା ମଧୁସୂଦନ ଷ୍ଟାଚୁ ଛକ ଆଡ଼କୁ ଆସିପାରିବେ ନାହିଁ।

ପୁଲିସ ଗେଟ୍‌ ଆଡୁ ଆସୁଥିବା ଯାନବାହାନ ଗୁଡ଼ିକ ଚିଫ୍‌ ଜଷ୍ଟିସ୍‌ଙ୍କ ବଙ୍ଗଳା ପାଖରୁ ଷ୍ଟାଡିୟମ ଆଡକୁ ଆସିପାରିବେ ନାହିଁ। ଉକ୍ତ ଯାନଗୁଡ଼ିକ ଚିପ ଜଷ୍ଟିସଙ୍କ ପାଖରୁ ଡାହାଣକୁ ଭାଙ୍ଗି କରମଙ୍ଗମଠ ରାସ୍ତା ଦେଇ ରିଂ ରୋଡରେ ଯାଇ ବାଲିଯାତ୍ରା ପଡ଼ିଆ ଷ୍ଟାଣ୍ଡରେ ଗାଡ଼ି ରଖିପାରିବେ।

ମଧୁସୂଦନ ଷ୍ଟ୍ୟାଚୁ ଛକ ଠାରୁ କୌଣସି ଯାନବାହାନ ବାରବାଟୀ ଷ୍ଟାଡିୟମ ଆଡ଼କୁ ଯାଇପାରିବେ ନାହିଁ। ବକ୍ସିବଜାର ଛକ ଆଡୁ ଆସୁଥିବା ଯାନବାହାନ ଗୁଡ଼ିକ ହନୁମାନ ମନ୍ଦିର ଛକରୁ ସିଧା ଓ୍ଵାଇଏମ୍‌ସିଏ ରୋଡ ଆଡେ ଯାଇପାରିବେ ନାହିଁ। ଉକ୍ତ ଯାନବାହାନ ଗୁଡ଼ିକ ଏହି ଛକରୁ ବାମକୁ ଭାଙ୍ଗି କଳା ବିକାଶ କେନ୍ଦ୍ର ରୋଡରେ ଦୟାଶ୍ରମ ରୋଡ଼କୁ ଆସିପାରିବେ। ସେଠାରେ ଗାଡ଼ି ମୋଟର ରଖିପାରିବେ। ଓଡ଼ିଶା କ୍ରିକେଟ ଏକାଡେମି ପଡ଼ିଆରେ ଗାଡ଼ି ପାର୍କିଂ କରିବାକୁ ପାସ୍‌ ଥିଲେ ଉକ୍ତ ଯାନବାହାନ ଗୁଡ଼ିକ ଏହି ଛକରୁ ସଙ୍ଗୀତ ବିଦ୍ୟାଳୟ ଛକକୁ ଆସି ବାମ ପଟେ ଭାଙ୍ଗି ଓଡ଼ିଶା କ୍ରିକେଟ ଏକାଡେମି ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ।

ବିଜୁ ପଟ୍ଟନାୟକ ଛକ ଆଡୁ ଆସୁଥିବା ଯାନବାହାନ ଗୁଡ଼ିକ ପିଏଚଡି ଅଫିସ ଛକ ପାଖରୁ ସିଧା ବାରବାଟୀ ଷ୍ଟାଡିୟମ ଆଡକୁ ଆସିପାରିବେ ନାହିଁ। ସେମାନେ ଦୟଶ୍ରମଠାରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିପାରିବେ ଅଥବା ପିଏଚ୍‌ଡି ଅଫିସ୍‌ ଛକରୁ ଡାହାଣକୁ ଭାଙ୍ଗି କନଭେଣ୍ଟ ସ୍କୁଲ ଆଡକୁ ଯାଇପାରିବେ।

ସେହିପରି ବିଜୁ ପଟ୍ଟନାୟକ ଛକ ବା ମଧୁ ସୂଦନ ନଗର ଆଡୁ ଆସୁଥିବା ଯାନବାହାନଗୁଡ଼ିକ ଆନନ୍ଦଭବନ ଛକ ପାଖରେ ଥିବା ପଡ଼ିଆରେ ଗାଡ଼ିମୋଟର ପାର୍କିଂ କରିପାରିବେ। ଏହି ଯାନବାହାନ ଗୁଡ଼ିକ କିଲ୍ଲାପୋର୍ଟ ଦେଇ ବାଲିଯାତ୍ରା ପଡ଼ିଆ ବା ଚମ୍ପାବନ ରୋଡକୁ ଆସିପାରିବେ ନାହିଁ।

ସୂଚନାଯୋଗ୍ୟ ଭାରତୀୟ ଟିମ୍‌ ଟେଷ୍ଟ ଓ ଦିନିକଆ ଶୃଙ୍ଖଳାରେ ଶ୍ରୀଲଙ୍କାକୁ ପରାସ୍ତ କରି ଦୃଢ଼ ସ୍ଥିତିରେ ଅଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଭାରତ ଟି-୨୦ ଶୃଙ୍ଖଳାକୁ ନିଜ ନାମରେ କରିବାକୁ ଉଦ୍ୟମ କରିବ।

ସମ୍ବନ୍ଧିତ ଖବର