୨୫ ଲକ୍ଷରେ ନିଲାମ ହେଲା ବ୍ରିୟାନ୍ତଙ୍କ ତଉଲିଆ

ଲସ୍‌ଏଞ୍ଜେଲ୍‌ସ: ଏନ୍‌ବିଏ ତାରକା କୋବେ ବ୍ରିୟାନ୍ତଙ୍କ ତଉଲିଆ ୩୩ ହଜାର ଡଲାର (ପ୍ରାୟ ୨୫ ଲକ୍ଷ ଟଙ୍କା)ରୁ ଅଧିକ ମୂଲ୍ୟରେ ରବିବାର ନିଲାମ ହୋଇଛି। ଏହି ତଉଲିଆକୁ ସେ ଲସ୍‌ଏଞ୍ଜେଲ୍ସସ୍ଥିତ ‌ଷ୍ଟାପ୍‌ଲେସ୍‌ ସେଣ୍ଟରଠାରେ ନିଜର ଅବସରକାଳୀନ ଭାଷଣ ବେଳେ କାନ୍ଧରେ ପକାଇଥିଲେ। ରବିବାର ଏହି ତଉଲିଆ ସହ ୨୦୧୬ ମସିହା ଏପ୍ରିଲ ୧୩ ତାରିଖରେ ବ୍ରିୟାନ୍ତ ଖେଳିଥିବା ମ୍ୟାଚ୍‌ର ଦୁଇଟି ଟିକେଟ୍‌ ମଧ୍ୟ ନିଲାମ ହୋଇଥିଲା। ଏହି ମ୍ୟାଚ୍‌ରେ ବ୍ରିୟାନ୍ତ ୬୦ ପଏଣ୍ଟ୍‌ କରିଥିଲା ‌ବେଳେ ତାଙ୍କ ଦଳ ଲାକର୍ସ ୧୦୧-୯୬ ପଏଣ୍ଟ୍‌ରେ ଉଥାଜାଜ୍‌ ଦଳକୁ ହରାଇଥିଲା। ନିଲାମରେ ଟାୱାଲ୍‌ କିଣିଥିବା ବ୍ୟାକ୍ତି ଜଣକ ଲାକର୍ସର ଜଣେ ବଡ଼ ପ୍ରଶଂସକ। ଲାକର୍ସ ଦଳର ବହୁ ସ୍ମରଣୀୟ ଜିନିଷ ସେ କିଣି କାର୍ଲିଫର୍ନିଆରେ ଏକ ସଂଗ୍ରହାଳୟ କରିଛନ୍ତି। ଏହି ପ୍ରଶଂସକଜଣକ ପୂର୍ବରୁ ବ୍ରିୟାନ୍ତଙ୍କ ସ୍କୁଲ୍‌ ବହି ୩୦୦୦୦ ଡଲାର (୨୨,୫୦,୦୦୦ ଟଙ୍କା)ରେ କିଣିଥିଲେ। ୪୧ ବର୍ଷୀୟ ବ୍ରିୟାନ୍ତ ଗତ ଜାନୁଆରି ୨୬ରେ ତାଙ୍କ ୧୩ ବର୍ଷୀୟା ଝିଅ ଏବଂ ଅନ୍ୟ ୭ ଜଣଙ୍କ ସହ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ର‌ାଣ ହରାଇଥିଲେ। ବ୍ରିୟାନ୍ତ ୨୦ ଋତୁ ଲାକର୍ସ ପକ୍ଷରୁ ଖେଳିଥିଲା ବେଳେ ୫ ଥର ଏନ୍‌ବିଏ ବିଜେତା ଟ୍ରଫି କରାୟତ୍ତ କରିଥିଲେ। ୨୦୦୭-୦୮ରେ ଏନ୍‌ବିଏର ‌ମୂଲ୍ୟବାନ ଖେଳାଳି, ୧୫ଥର ଅଲ୍ଏନ୍‌ବିଏ ଚୟନ, ୧୮ଥର ଅଲ-ଷ୍ଟାର ଏବଂ ୧୨ଥର ଅଲ-ଡିଫେନ୍ସ ଦଳର ସଦସ୍ୟ ଥିଲେ। ସେ ଦୁଇଥର ଏନ୍‌ବିଏ ଫାଇନାଲର ଏବଂ ଚାରିଥର ଅଲ୍-ଷ୍ଟାର୍ ମ୍ୟାଚ୍‌ର ମୂଲ୍ୟବାନ ଖେଳାଳି ହୋଇଥିଲେ।

ସମ୍ବନ୍ଧିତ ଖବର