ଚର୍ଚ୍ଚାରେ ‘ବ୍ୟାଟ୍ ଅଫ୍ ଗଡ୍’

ଲଣ୍ଡନ: ବିଶ୍ବକପ୍ ଫାଇନାଲରେ ଇଂଲଣ୍ଡ ପାଳିର ଅନ୍ତିମ ଓଭର ବେଶ୍ ନାଟକୀୟ ଢଙ୍ଗରେ ଶେଷ ହୋଇଥିଲା। ବିଜୟ ପାଇଁ ୧୫ ରନ୍‌ର ଦରକାର ଥିଲା ବେଳେ ପ୍ରଥମ ଦୁଇ ବଲ୍‌ରେ କୌଣସି ରନ୍ କରି ପାରି ନଥିବା ବେନ୍ ଷ୍ଟୋକ୍ସ ତୃତୀୟ ବଲ୍‌କୁ ଛକା ମାରି ଇଂଲଣ୍ଡ ଆଶା ଉଜ୍ଜୀବିତ ରଖିଥିଲେ। ତେବେ ଚତୁର୍ଥ ବଲ୍‌ରୁ ଇଂଲଣ୍ଡକୁ ମିଳିଥିବା ୬ ରନ୍ ହିଁ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା। ଯାହାକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି। ଇଂଲଣ୍ଡ ସେହି ବଲ୍‌ରୁ ୨ ରନ୍ ଅର୍ଜନ କରିଥିଲା ବେଳେ ଓଭର ଥ୍ରୋରୁ ୪ ରନ୍ ପାଇଥିଲା। ମାର୍ଟିନ ଗପ୍ଟିଲ ଡିପ୍ ମିଡୱିକେଟ୍ ବାଉଣ୍ଡରିରୁ ମାରିଥିବା ଥ୍ରୋ ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ବାଜି ପଡ଼ିଆ ବାହାରକୁ ଚାଲି ଯାଇଥିଲା। ଏଥିପାଇଁ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା। ସୁପରଓଭର ଟାଇ ପରେ ବାଉଣ୍ଡରି କାଉଣ୍ଟରେ ଆଗୁଆ ରହି ଇଂଲଣ୍ଡ ବିଶ୍ବକପ୍ ଜିତିଥିଲା। ହେଲେ ଷ୍ଟୋକ୍ସଙ୍କ ସେହି ୬ ରନ୍‌କୁ କ୍ରିକେଟ୍ ସମୀକ୍ଷକ ଏବଂ ପ୍ରଶଂସକମାନେ ଏବେ ‘ବ୍ୟାଟ୍ ଅଫ୍ ଗଡ୍’ ଭାବେ ବର୍ଣ୍ଣନା କରିଛନ୍ତି। ଏହାକୁ ସେମାନେ ୧୯୮୬ ଫିଫା ବିଶ୍ବକପ୍‌ର ଇଂଳଣ୍ଡ ବିପକ୍ଷ କ୍ବାର୍ଟର ଫାଇନାଲରେ ଆର୍ଜେଣ୍ଟିନାର ମହାନ ଖେଳାଳି ଡିଏଗୋ ମାରାଡୋନା କରିଥିବା ‘ହ୍ୟାଣ୍ଡ୍ ଅଫ୍ ଗଡ୍’ ଗୋଲ୍ ସହ ତୁଳନା କରୁଛନ୍ତି। ୩୩ ବର୍ଷ ତଳର ସେହି ବିତର୍କିତ ଫୁଟବଲ୍ ମୁକାବିଲାରେ ସ୍ଥିତି ୦-୦ ଥିଲା ବେଳେ ମାରାଡୋନା ଏକ ଅବିଶ୍ବସନୀୟ ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ଆଗୁଆ କରି ଦେଇଥିଲେ। ତେବେ ବଲ୍ ମାରାଡୋନାଙ୍କ ହାତରେ ବାଜି ଗୋଲ୍ ପୋଷ୍ଟ ଭିତରକୁ ଯାଇଥିଲେ ମଧ୍ୟ ରେଫରି ଏହାକୁ ଦେଖି ପାରି ନଥିଲେ। ଇଂଲଣ୍ଡ ଖେଳାଳି ଏବଂ ପ୍ରବନ୍ଧକଙ୍କ ତୀବ୍ର ବିରୋଧ ସତ୍ତ୍ବେ ଆର୍ଜେଣ୍ଟିନା ଏକ ଆଇନସମ୍ମତ ଗୋଲ୍ ପାଇଥିଲା। ମାରାଡୋନା ପରେ ବ୍ୟକ୍ତିଗତ ଭାବେ ଆଉ ଏକ ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ବିଜୟୀ କରାଇଥିଲେ। ଆର୍ଜେଣ୍ଟିନା ସେହି ବିଶ୍ବକପ୍‌ରେ ପରେ ଯାଇ ବିଜେତା ମଧ୍ୟ ହୋଇଥିଲା। ଏହି ଗୋଲ୍‌କୁ ନେଇ କିନ୍ତୁ ମାରାଡୋନା ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଏଥିରେ ଅତିଷ୍ଠ ମାରାଡୋନା ଶେଷରେ ନିଜ ହାତ ବାଜିବାକୁ ‘ହ୍ୟାଣ୍ଡ ଅଫ୍ ଗଡ୍‌’ ଭାବେ ବର୍ଣ୍ଣନା କରିଥିଲେ। ସେହି ବିବାଦୀୟ ଗୋଲଟି ବି ‘ହ୍ୟାଣ୍ଡ ଅଫ୍ ଗଡ୍‌ ଗୋଲ୍’ ଭାବେ ପରିଚିତ ହୋଇଥିଲା।

‘କେନ୍‌ଙ୍କୁ ସାରା ଜୀବନ କ୍ଷମା ମାଗିବି’
‘ବ୍ୟାଟ୍‌ ଅଫ୍ ଗଡ୍’ରୁ ପାଇଥିବା ମହତ୍ବପୂର୍ଣ୍ଣ ୬ ରନ୍ ପାଇଁ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ‌ଷ୍ଟୋକ୍ସ ମଧ୍ୟ ପସ୍ତଉଛନ୍ତି। ଇଂଲଣ୍ଡ ଏଭଳି ଭାବେ ଜିତିଥିବାରୁ ସାରା ଜୀବନ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନଙ୍କୁ କ୍ଷମା ମାଗିବେ ବୋଲି ସେ କହିଛନ୍ତି। ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ ଷ୍ଟୋକ୍ସ କହିଛନ୍ତି ଯେ ମୁଁ କେନଙ୍କୁ କହିଛି, ସେଥିପାଇଁ ମୁଁ ସାରା ଜୀବନ ତୁମକୁ କ୍ଷମା ମାଗିବି। ମୁଁ ଏଭଳି କରିବାକୁ ଆଦୌ ଚାହୁଁ ନଥିଲି। ବଲ୍ ଯେଭଳି ଭାବେ ମୋ ବ୍ୟାଟରେ ବାଜି ବାଉଣ୍ଡରିକୁ ଗଲା, ସେଥିଲାଗି ମୋ‌ତେ ବି ବହୁତ ଖରାପ ଲାଗୁଛି। ଇଂଲଣ୍ଡ ମ୍ୟାଚ୍‌କୁ ଟାଇ ରଖି ସୁପର ଓଭରକୁ ନେବାରେ ସେହି ୬ ରନ୍ ହିଁ ନିର୍ଣ୍ଣାୟକ ହୋଇଥିଲା।

ନ୍ୟୁଜିଲାଣ୍ଡ ପାଇଁ କାଳ ହେଲେ ନ୍ୟୁଜିଲାଣ୍ଡ ଜନ୍ମିତ ଷ୍ଟୋକ୍ସ
ନ୍ୟୁଜିଲାଣ୍ଡ ହାତରୁ ବିଶ୍ବକପ୍ ଖସି ଯିବାର ପ୍ରମୁଖ କାରଣ ଥିଲା ବେନ୍ ଷ୍ଟୋକ୍ସଙ୍କ ୮୪* ରନ୍ ପାଳି। ତେବେ ଖୁବ୍ କମ୍ ଲୋକ ଜାଣନ୍ତି ଯେ ଷ୍ଟୋକ୍ସ ହେଉଛନ୍ତି ନ୍ୟୁଜିଲାଣ୍ଡର ମୂଳ ବାସିନ୍ଦା। ନ୍ୟୁଜିଲାଣ୍ଡର କ୍ରିଷ୍ଟଚର୍ଚରେ ଜନ୍ମଗ୍ରହଣ କରିଥିବା ‌ଷ୍ଟୋକ୍ସଙ୍କ ପିତା ଜେରାଡ ଷ୍ଟୋକ୍ସ ଥିଲେ ଜଣେ ରଗ୍‌ବି ଖେଳାଳି ଓ ପ୍ରଶିକ୍ଷକ। ଇଂଲଣ୍ଡର ୱାର୍କିଙ୍ଗଟନ୍ ରଗ୍‌ବି ଦଳର ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଜେରାଡ ପରିବାର ସହ ଇଂଲଣ୍ଡ ଚାଲି ଆସିଥିଲେ। ବେନ୍ ମଧ୍ୟ ତାଙ୍କ ସହ ଇଂଲଣ୍ଡର ଛୋଟିଆ ସହର ୱେଷ୍ଟ କମ୍ବ୍ରିଆନରେ ରହିବା ଆରମ୍ଭ କରିଥିଲେ। ସେଠାରେ ସେ କକର୍ସମାଉଥ୍ କ୍ଲବ୍ ପକ୍ଷରୁ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ଖୁବ କମ୍ ସମୟ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ। ୨୦୧୩ରେ ତାଙ୍କ ପରିବାର କ୍ରିଷ୍ଟଚର୍ଚ ଫେରି ଯାଇଥିଲେ ମଧ୍ୟ ଷ୍ଟୋକ୍ସ ଇଂଲଣ୍ଡରେ ରହି କ୍ରିକେଟ୍ ଜାରି ରଖିଥିଲେ। ୨୦୧୧ରେ ଆୟର୍ଲାଣ୍ଡ ବିପକ୍ଷରେ ସେ ଏକଦିବସୀୟ ଏବଂ ସେହିବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଜୀବନ ଆରମ୍ଭ କରିଥିଲେ। ନ୍ୟୁଜିଲାଣ୍ଡର ମାଓରି ଜନଜାତିର ହୋଇଥିବାରୁ ତାଙ୍କ ରକ୍ତରେ ଲଢ଼ୁଆ ପ୍ରବୃତ୍ତି ରହିଛି ବୋଲି ଷ୍ଟୋକ୍ସଙ୍କ ପରିବାର ଅନେକ ସମୟରେ କହି ଆସିଛି।

ସମ୍ବନ୍ଧିତ ଖବର