ଭୁବନେଶ୍ୱର ଅନ୍ତଃବିଦ୍ୟାଳୟ କ୍ରିକେଟ୍‌:ବିଜେଇଏମ୍‌ ବିଜେତା, କିସ୍‌ ଦ୍ୱିତୀୟ

ଭୁବନେଶ୍ୱର: ଓଡ଼ିଶା ଭେଟେରାନ୍‌ କ୍ରିକେଟ୍‌ ସଂଘ (ଭିସିଏଓ) ପକ୍ଷରୁ ବିଜେବି କଲେଜ ପଡ଼ିଆରେ ଚାଲିଥିବା ୧୬ତମ ଭୁବନେଶ୍ୱର ଅନ୍ତଃବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ରେ ସ୍ଥାନୀୟ ଦଳ ବିଜେଇଏମ୍‌ ୭୦ ରନରେ ପୂର୍ବ ବିଜେତା କିସ୍‌କୁ ପରାସ୍ତ କରି ଟ୍ରଫି ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବିଜେଇଏମ୍‌ ୨୯.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୭୦ ରନ୍‌ କରିଥିଲା। ବିଭାଂଶୁ ରାୟ ୩୫ ରନ୍‌ (୫୨ ବଲ୍‌) ଏବଂ ସ୍ୱୟମ୍‌ ସାର୍ଥକ ରାଉତରାୟ ୩୨ ରନ୍‌ (୧୯ ବଲ୍‌) କରିଥିଲେ। ପ୍ରତିପକ୍ଷର ଚନ୍ଦ୍ର ମଲ୍ଲିକ ୩.୩ ଓଭରରେ ୧୭ ରନ୍‌ ବିନିମୟରେ ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ କିସ୍‌ ୨୬.୨ ଓଭରରେ ମାତ୍ର ୧୦୦ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ସଲମାନ୍‌ ଶିଳ୍ପଦିଆ ସର୍ବାଧିକ ୨୫ ରନ୍‌ (୩୭ ବଲ୍‌) କରିଥିଲେ। ବିଜେଇଏମ୍‌ ପକ୍ଷରୁ ସ୍ୱୟମ୍‌ ସାର୍ଥକ ରାଉତରାୟ ୬ ଓଭରରେ ୨ ମେଡେନ୍‌ ସହିତ ୧୩ ରନ୍‌ ବିନିମୟରେ ୩ ଓ୍ଵିକେଟ୍‌ ଏବଂ ରିତେଶ ପି୍ରୟରଂଜନ ୫.୨ ଓଭରରେ ୨୦ ରନ୍‌ରେ ୨ ଓ୍ଵିକେଟ୍‌ ନେଇଥିଲେ।

ଅଲରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ବିଜେଇଏମ୍‌ର ସ୍ୱୟମ୍‌ ସାର୍ଥକ ରାଉତରାୟ (୩୨ ଏବଂ ୩/୧୩) ଫାଇନାଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। କିସର ରମେଶ ମେନକା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ନବିଦିତ୍ୟ ମଲ୍ଲିକ ଶ୍ରେଷ୍ଠ ଓ୍ଵିକେଟରକ୍ଷକ, ସଲମାନ ଶିଳ୍ପଦିଆ ଶ୍ରେଷ୍ଠ କ୍ଷେତ୍ରରକ୍ଷକ, ଲୟଲାର ଅନୁରାଗ ସାମଲ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌, ବିଜେଇଏମର ଅନିକେତ ତ୍ରିପାଠୀ ଶ୍ରେଷ୍ଠ ବୋଲର, ବିବିସିଡିର ଶିବ ଶଙ୍କର ଜେନା ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ। ବିବିସିକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ସମ୍ମାନ ପ୍ରଦାନ କରାଯାଇଥିଲା। ଅମ୍ପାୟାର୍‌ ପ୍ରଦୀପ ଜେନା ଓ ପ୍ରସନ୍ନ ବେଉରା ମ୍ୟାଚ୍‌ ପରିଚାଳନା କରିଥିଲେ। ବିକାଶ ମାନସିଂହ ସ୍କୋରର୍‌ ଦାୟିତ୍ୱ ତୁଲାଇଥିଲେ।
ଉଦ୍‌ଯାପନୀ ଉତ୍ସବରେ ତାରକା କ୍ରିକେଟର୍‌ ବିପ୍ଳବ ସାମନ୍ତରାୟ ଏବଂ ବିଜେବି କଲେଜ ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଖେଳାଳି ତଥା ଭିସିଏଓ ସଭାପତି ଅଶୋକାନନ୍ଦ ଜେନା, ୩ ଉପ ସଭାପତି ବିକ୍ରମ ମହାନ୍ତି, ନବରଂଜନ ପଟ୍ଟନାୟକ, ବଳଭଦ୍ର ପଟ୍ଟନାୟକ, ସମ୍ପାଦକ ବୀରେନ କୁମାର ଦାସ, ପୂର୍ବତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର