ବିସି ରଏ ଟ୍ରଫି ଫୁଟ୍‌ବଲ: ମିଜୋରାମ ବିଜେତା

କଟକ: ମିଜୋରାମ ଚଳିତ ବର୍ଷର ବିସି ରଏ ଟ୍ରଫି ଜାତୀୟ କନିଷ୍ଠ ଫୁଟ୍‌ବଲ ପ୍ରତିଯୋଗିତା‌ରେ ବିଜେତା ହୋଇଛି। ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ମିଜୋରାମ ୨-୧ ଗୋଲ୍‌ରେ ପଞ୍ଜାବକୁ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି। ୨୦ତମ ମିନିଟ୍‌ରେ ପଞ୍ଜାବର ଏମ୍‌ ସି˚ହସନ୍‌ ପ୍ରଥମ ଗୋଲ୍‌ ଦେଇଥିଲେ। ହେଲେ ୨୩ତମ ମିନିଟ୍‌ରେ ଏଚ୍‌ପି ଲାଲ୍‌ରେମରୁଆତା ମିଜୋରାମ ପାଇଁ ଗୋଲ୍‌ ଦେଇ ସ୍ଥିତି ସମାନ କରିଥିଲେ। ଦ୍ବିତୀୟାର୍ଧରେ ଜନ୍‌ ଲାଲ୍‌ମୁନ୍‌ପୁଇଆ ୮୩ ମିନିଟ୍‌ରେ ଆଉ ଏକ ଗୋଲ୍‌ ଦେଇ ମିଜୋରାମ୍‌କୁ ଅଗ୍ରଣୀ ଦେଇଥିଲେ। ହେଲେ ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍‌ ନହେବାରୁ ମିଜୋରାମ ମ୍ୟାଚ୍‌ ଜିତିଯାଇଥିଲା। ଉଦ୍‌ଯାପନୀ ସମାରୋହରେ ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଓ ଉପ ସଭାପତି ବିଜୟ ଦାସ, ଭକ୍ତବଲ୍ଲଭ ଦାସ, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌, ସଙ୍ଗୀତା ଶର୍ମା, ମହମ୍ମଦ ସାହିଦ ଜବାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା ସେମି ଫାଇନାଲ୍‌ରେ ପଞ୍ଜାବଠୁ ୦-୩ ଗୋଲ୍‌ରେ ପରାସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର