ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ଟିମ୍‌ ଇଣ୍ଡିଆର ସଦସ୍ୟଙ୍କ ପାଇଁ ପୁରସ୍କାର ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବିଜୟୀ ଟିମ୍‌ ଇଣ୍ଡିଆର ସଦସ୍ୟଙ୍କ ପାଇଁ ପୁରସ୍କାର ଘୋଷଣା କରିଛି। କଙ୍ଗାରୁ ଦଳକୁ ତା’ର ମାଟିରେ ପ୍ରଥମ ଥର ପାଇଁ ପରାସ୍ତ କରି ଭାରତୀୟ ଖେଳାଳିମାନେ ଇତିହାସ ରଚିଛନ୍ତି। ବ୍ରୋର୍ଡର-ଗାଭାସ୍କର ଟେଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ୱ କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟିମ୍‌ ଇଣ୍ଡିଆର ଖେଳାଳି ଓ କୋଚମାନଙ୍କୁ ମ୍ୟାଚ ଶୁଲ୍କ ସହିତ ବୋନସ୍‌ ମଧ୍ୟ ମିଳିବ। ଭାରତୀୟ ଏକାଦଶଙ୍କୁ ପ୍ରତି ମ୍ୟାଚ ପାଇଁ ୧୫ ଲକ୍ଷ ଟଙ୍କା ମିଳୁଥିବା ବେଳେ ୭.୫ ଲକ୍ଷ ଟଙ୍କା ବୋନସ୍‌ ମିଳିବ। ସେହିଭଳି ରିଜର୍ଭ ଖେଳାଳି ଓ କୋଚ୍‌ମାନଙ୍କୁ ୨୫-୨୫ ଲକ୍ଷ ଟଙ୍କା ମିଳିବ।

ଭାରତ ବ୍ୟତୀତ ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ଏପର୍ଯ୍ୟନ୍ତ ମୋଟ ୩୧ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହାରି ଭିତରେ ୨୮ ଜଣ ଅଧିନାୟକ ଅଷ୍ଟ୍ରେଲିଆ ବିରୋଧରେ ନିଜ ଦେଶ ପାଇଁ ନେତୃତ୍ୱ ନେଇଛନ୍ତି। ଏସିଆ ମହାଦେଶର ଅନେକ ଗୁଡ଼ିଏ ଅଧିନାୟକଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚ ଖେଳାଯାଇଛି କିନ୍ତୁ କୋହଲିଙ୍କ ବ୍ୟତୀତ ଅନ୍ୟମାନେ ସେମାନଙ୍କ ଲକ୍ଷ୍ୟ ହାସଲ କରିପାରି ନାହାନ୍ତି।

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସଦ୍ୟତମ ଶୃଙ୍ଖଳାର ୪ର୍ଥ ତଥା ଶେଷ ମୁକାବିଲା ଥିଲା। ଏଥିରେ ବର୍ଷା ଦାଉ ସାଜିଥିଲା। ତୃତୀୟ ଦିନ ରବିବାର କମ ସମୟ ପାଇଁ ମ୍ୟାଚ ଖେଳାଯାଇଥିବା ବେଳେ ଅନ୍ତିମ ଦିବସରେ ଆଜି ଗୋଟିଏ ବଲ ବି ବୋଲିଂ ହୋଇପାରି ନଥିଲା। ସିଡ଼ନୀ ଟେଷ୍ଟ ଡ୍ର ହେବା ପରେ ଭାରତକୁ ୨-୧ରେ ଶୃଙ୍ଖଳାର ବିଜେତା ଘୋଷଣା କରାଯାଇଥିଲା। ଭାରତ ପ୍ରଥମ ଟେଷ୍ଟ (ଆଡିଲେଡ) ଓ ୩ୟ ଟେଷ୍ଟ (ମେଲବର୍ଣ୍ଣ)ରେ ବିଜୟୀ ହୋଇଥିବା ବେଳେ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର