ବିସିସିଆଇ ନିର୍ବାଚନ: ତାମିଲନାଡ଼ୁ, ହରିଆଣା ମତଦାନ ଅଧିକାର ହରାଇବେ

ନୂଆଦିଲ୍ଲୀ: ଲୋଧା ସମିତି ସୁପାରିସକୁ ସଂପୂର୍ଣ୍ଣ ଭାବେ ଲାଗୁ କରି ନଥିବାରୁ ତାମିଲନାଡ଼ୁ ଏବଂ ହରିଆଣା କ୍ରିକେଟ୍ ସଂଘ ବିସିସିଆଇ ନିର୍ବାଚନରେ ମତଦାନ ଅଧିକାର ହରାଇ ପାରନ୍ତି। ଏଭଳି ସ୍ଥିତିରେ ବିସିସିଆଇ ଏହି ରାଜ୍ୟର କ୍ରିକେଟ୍ ପରିଚାଳନା ଅଧିକାର ଅସ୍ଥାୟୀ ସମିତିକୁ ଦେଇପାରେ। ସେହିଭଳି ଉଭୟ ରାଜ୍ୟର କ୍ରିକେଟର୍‌ମାନେ ଯେଭଳି ଭାବେ ପ୍ରଭାବିତ ନହୁଅନ୍ତି, ତାକୁ ମଧ୍ୟ ବିସିସିଆଇ ଗୁରୁତ୍ବ ଦେବ। ଏହା ପୂର୍ବରୁ କିନ୍ତୁ ବିସିସିଆଇର ପରିଚାଳନା ଲାଗି ଉଚ୍ଚତମ ନ୍ୟାୟାଳୟ ଗଠନ କରିଥିବା ପ୍ରଶାସନିକ ସମିତି (ସିଓଏ) ହରିଆଣା ଓ ତାମିଲନାଡ଼ୁ କ୍ରିକେଟ୍ ସଂଘକୁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସବୁ କିଛି ଠିକ୍ କରିବାକୁ କହିଥିଲା। ହେଲେ ଏବେ ସୁଦ୍ଧା ସେମାନେ ଏହି କ୍ଷେତ୍ରରେ ବିଶେଷ ଅଗ୍ରଗତି କରି ନଥିବା ଜଣାପଡ଼ିଛି। ଏମାନଙ୍କ ସହ ମଧ୍ୟପ୍ରଦେଶ କ୍ରିକେଟ୍ ସଂଘ ମଧ୍ୟ ମତଦାନ ଅଧିକାର ହରାଇବାର ଆଶଙ୍କା ଥିଲା। ହେଲେ ଏହି ସଂଘ ଚଳିତ ମାସ ୧୧ ତାରିଖରେ ସିଓଏ ନିର୍ଦେଶ ପାଳନ କରି ଲୋଧା ସମିତି ସୁପାରିସ ଲାଗୁ କରି ନେଇଥିବା ଜଣାପଡ଼ିଛି। ବିସିସିଆଇର ୩୮ ଅନୁବନ୍ଧିତ ସଂଘ ମଧ୍ୟରୁ ସୋମବାର ସୁଦ୍ଧା ହରିଆଣା, ତାମିଲନାଡ଼ୁ ସହ ଅରୁଣାଚଳପ୍ରଦେଶ ଓ ଉତ୍ତରାଖଣ୍ଡ କ୍ରିକେଟ୍ ସଂଘ ଲୋଧା ସମିତି ସୁପାରିସ୍ ଲାଗୁ କରି ନାହାନ୍ତି। ଫଳରେ ଏହି ଚାରି ସଂଘର ନିର୍ବାଚନ ଚଳିତ ମାସ ୨୮ରେ ‌ହେବାର ଆଶଙ୍କା ସୃଷ୍ଟି ହୋଇଛି। ନିଜ ନିର୍ବାଚନ ଶେଷ କରି ନପାରିଲେ ଏମାନେ ବିସିସିଆଇ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ। ଅକ୍ଟୋବର ୨୨ରେ ହେବାକୁ ଥିବା ବିସିସିଆଇ ନିର୍ବାଚନ ପୂର୍ବରୁ ସବୁ ରାଜ୍ୟସଂଘର ନିର୍ବାଚନ ଶେଷ କରିବାକୁ ସିଓଏ ପୂର୍ବରୁ ନିର୍ଦେଶ ଦେଇ ସାରିଛି। ସେପଟେ ତାମିଲନାଡ଼ୁ କ୍ରିକେଟ୍ ସଂଘ ବିସିସିଆଇ ନିର୍ବାଚନକୁ ବିରୋଧ କରି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛି। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଅଦାଲତ ଏଥିରେ ହସ୍ତକ୍ଷେପ କରି ପାରିବେ ନାହିଁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନିର୍ବାଚନ ନିର୍ଧାରିତ ସମୟରେ ‌ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର