ତେନ୍ଦୁଲକର, ଲକ୍ଷ୍ମଣଙ୍କୁ ବିସିସିଆଇ ଲୋକପାଳଙ୍କ ସମନ

ନୂଆଦିଲ୍ଲୀ: କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବଂ ଅନ୍ୟତମ ବ୍ୟାଟ୍‌ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣଙ୍କ ବିରୋଧରେ ‘ଦ୍ବୈତ ସ୍ବାର୍ଥ’ ଅଭିଯୋଗ ଆସିବା ପରେ ବିସିସିଆଇ ଲୋକପାଳ ଜଷ୍ଟିସ୍ ଡିକେ ଜୈନ ବୁଧବାର ଉଭୟଙ୍କୁ ସମନ ଜାରି କରିଛନ୍ତି। ଆସନ୍ତା ୨୮ ତାରିଖ ସୁଦ୍ଧା ଉଭୟ ଲିଖିତ ଭାବେ ନିଜ ପକ୍ଷ ରଖିବାକୁ କୁହାଯାଇଛି। ଏଥି ସହିତ ବିସିସିଆଇ ମଧ୍ୟ ସେମାନଙ୍କ ପକ୍ଷରୁ ଜବାବ ରଖିବାକୁ ଲୋକପାଳ ଜଣାଇଛନ୍ତି।
ଉଭୟ ତେନ୍ଦୁଲକର ଏବଂ ଲକ୍ଷ୍ମଣ ବିସିସିଆଇ କ୍ରିକେଟ୍‌ ପରାମର୍ଶଦାତା ସମିତି (ସିଏସି)ର ସଦସ୍ୟ ରହିଥିଲା ବେଳେ ଆଇପିଏଲ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦର ପରାମର୍ଶଦାତା ରହିଛନ୍ତି। ଏଭଳି ‘ଦ୍ବୈତ ‌ସ୍ବର୍ଥ’କୁ ନେଇ ଉଭୟଙ୍କ ବିରୋଧରେ ମଧ୍ୟ ପ୍ରଦେଶ କ୍ରିକେଟ୍‌ ସଂଘର ସଦସ୍ୟ ସଂଜୀବ ଗୁପ୍ତା ବିସିସିଆଇ ନିକଟରେ ଅଭିଯୋଗ ଆଣିଥିଲେ। ଫଳରେ ଉଭୟଙ୍କୁ ଲୋକପାଳ ସମନ ପଠାଇଛନ୍ତି। ଏହା ଚଳିତ ବର୍ଷର ଲୋକପାଳଙ୍କ ତୃତୀୟ ସମନ। ଏହା ପୂର୍ବରୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଏଭଳି ସମାନ ଅଭିଯୋଗ ଆସିଥିଲା। ସେ ବେଙ୍ଗଲ କ୍ରିକେଟ୍‌ ସଂଘର ସଭାପତି, ସିଏସି ସଦସ୍ୟ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶ ଭଳି ୩ ସଂସ୍ଥାରେ କାର୍ଯ୍ୟ କରିଥି‌ଲେ। ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଲୋକପାଳ ସମନ ଜାରି କରିଥିଲେ। ଏହାର ଜବାବ ମଧ୍ୟ ଗାଙ୍ଗୁଲି ରଖିଥିଲେ।

ସମ୍ବନ୍ଧିତ ଖବର