ବିସିସିଆଇର ନୂଆ ସମ୍ବିଧାନ ଓ ନିର୍ବାଚନ ପାଇଁ ଅଣ୍ଟାଭିଡ଼ିଲା ସିଓଏ

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟ ମଙ୍ଗଳବାର ଲୋଧା ସମିତି ସୁପାରିସ ନେଇ ବିସିସିଆଇର ସବୁ ବକେୟା ମାମଲାର ଶୁଣାଣି କରିବ। ଏହି ଅବସରରେ ବିନୋଦ ରାଏଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଶାସନିକ ସମିତି (ସିଓଏ) ଲୋଧା ସମିତି ସୁପାରିସକୁ କାର୍ଯ୍ୟକାରୀ କରିବା ସହ ବିସିସିଆଇ ଏବଂ ରାଜ୍ୟ ସଂଘଗୁଡ଼ିକରେ କିଭଳି ଯଥାଶୀଘ୍ର ନିର୍ବାଚନ ହେବ ତା’ ଉପରେ ଜୋର ଦେବ। ଆସନ୍ତାକାଲିର ଶୁଣାଣି ବେଳେ ଉଚ୍ଚତମ ନ୍ୟାୟାଳୟ ସିଓଏ ଦାଖଲ କରିଥିବା ସାତଟି ଯାକ ସ୍ଥିତି ବିବରଣୀ ବା ଷ୍ଟାଟସ୍‌ ରିପୋର୍ଟକୁ ତର୍ଜମା କରିବେ। ତେବେ ସିଓଏର ସପ୍ତମ ଷ୍ଟାଟସ୍‌ ରିପୋର୍ଟ ଉପରେ ଉଚ୍ଚତମ ନ୍ୟାୟାଳୟ ଅଧିକ ଧ୍ୟାନ ଦେବେ ବୋଲି ଜଣା ପଡ଼ିଛି। ସିଓଏ ବାର୍ଷିକ ନିର୍ବାଚନ ମାଧ୍ୟମରେ ବିସିସିଆଇର ସଭାପତି, ସଂପାଦକ, ଉପସଭାପତି ତଥା ଅନ୍ୟାନ୍ୟ ପଦାଧିକାରୀ ବାଛିବା ସପକ୍ଷରେ ରହିଛି। କାର୍ଯ୍ୟକାରୀ ସମିତି ଏବଂ ଅନ୍ୟାନ୍ୟ ଉପ ସମତି ଗଠନ ଉପରେ ମଧ୍ୟ ସିଓଏ ପ୍ରାଥମିକତା ଦେଉଛି। ନିର୍ବାଚନ ପୂର୍ବରୁ ନୂଆ ସମ୍ବିଧାନ ପ୍ରଣୟନ କରିବା ପାଇଁ ମଧ୍ୟ ସିଓଏ ଶୁଣାଣି ଅବସରରେ ଯୁକ୍ତି ବାଢ଼ିବ। ସେହିଭଳି ସଭାପତି, ଉପ ସଭାପତି ଏବଂ ସଂପାଦକ ତିନି ବର୍ଷର କାର୍ଯ୍ୟକାଳ ପରେ ପଦ ଛାଡ଼ିବା ଉପରେ ମଧ୍ୟ ଆଲୋଚନା ପର୍ଯ୍ୟାନୁଲୋଚନା ହେବ। ନୂଆ ସମ୍ବିଧାନ ଲାଗୁ ହେଲେ ସଂପ୍ରତି ବିସିସିଆଇ ପଦାଧିକାରୀଙ୍କ ମଧ୍ୟରୁ ଜଣେ ହେଲେ ବି ନିର୍ବାଚନ ଲଢ଼ି ପାରିବେ ନାହିଁ। ସେମାନଙ୍କୁ ଏଥିଲାଗି ଆଉ ୩ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। କାରଣ ଲୋଧା ସମିତି ସୁପାରିସ୍‌ ସର୍ବାଧିକ ଦୁଇଟି କାର୍ଯ୍ୟକାଳ ପରେ ପରବର୍ତୀ ନିର୍ବାଚନ ଲଢ଼ିବା ଲାଗି ୩ ବର୍ଷର କୁଲିଂ ଅଫ୍‌ ପିରିଅଡ୍‌ ବା ସମୟ ବ୍ୟବଧାନ ରଖିବାକୁ ପରାମର୍ଶ ଦେଇଛି। ବିସିସିଆଇ ସହ ରାଜ୍ୟ ସଂଘର ପରବର୍ତୀ ନିର୍ବାଚନ ଲାଗି ଖସଡ଼ା ପ୍ରସ୍ତୁତ କରିବାକୁ ମଧ୍ୟ ସିଓଏ ଉଚ୍ଚତମ ନ୍ୟାୟାଳୟଙ୍କୁ ଅନୁରୋଧ କରିବ। ରାଜ୍ୟସଂଘଗୁଡ଼ିକ ଯେ ଲୋଧା ସମିତି ସୁପାରିସ ଲାଗୁ କରିବାକୁ ଜାଣିଶୁଣି ବିଳମ୍ବିତ କରୁଛନ୍ତି ସେ ବିଷୟରେ ସିଓଏ ଓକିଲ ଉଚ୍ଚତମ ନ୍ୟାୟାଳୟଙ୍କୁ ଅବଗତ କରାଇବେ। ସେପଟେ ବିସିସିଆଇର ପୁରୁଣା କର୍ମକର୍ତା ବାର୍ଷିକ ନିର୍ବାଚନକୁ ବିରୋଧ କରୁ ନଥିବା ଜଣା ପଡ଼ିଛି। ହେଲେ ସେମାନେ କାର୍ଯ୍ୟକାଳର ଅବଧି ଉପରେ ଅଙ୍କୁଶକୁ ତୀବ୍ର ବିରୋଧ କରୁଛନ୍ତି। ସେମାନେ ଚାହୁଁଛନ୍ତି ସଭାପତିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ କୋଷାଧକ୍ଷ କିମ୍ବା ସଂପାଦକ ହେବା ଲାଗି ଅନୁମତି ମିଳୁ। ଏହା ହେଲେ ନୀତି ପ୍ରଣୟନର ଧାରା ଅବିରହ ଭାବେ ଚାଲିବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ବିସିସିଆଇ ପଦ ପଦବିରେ ରହିବାର ସର୍ବୋଚ୍ଚ ବୟସ ସୀମା ୭୦ ରଖିବାକୁ ଲୋଧା ସମିତି ସୁପାରିସ୍‌ କରିଥିଲା। ସିଓଏ ମୁଖ୍ୟ ବିନୋଦ ରାଏଙ୍କ ବୟସ ୭୦ ପାଖା ପାଖି ହୋଇ ସାରିଥିବାରୁ ତାଙ୍କୁ ଏହି ପଦରୁ ବିଦା କରିବାକୁ ବିସିସିଆଇର କେତେକ ପୂର୍ବତନ ଅଧିକାରୀ ମଙ୍ଗଳବାର ଶୁଣାଣି ବେଳେ ଦାବି କରିବେ ବୋଲି ଜଣା ପଡ଼ିଛି। ହେଲେ ରାଏ ନିର୍ବାଚିତ ସଦସ୍ୟ ହୋଇ ନଥିବାରୁ ସେ ତାଙ୍କ ପଦ ବଜାୟ ରଖିବା ଏକପ୍ରକାର ନିଶ୍ଚିତ।

ସମ୍ବନ୍ଧିତ ଖବର