ସୂଚନା ଅଧିକାର ଆଇନରେ ଅନ୍ତର୍ଭୁକ୍ତ ହେବାକୁ ବିସିସିଆଇର ବିରୋଧ

ନୂଆଦିଲ୍ଲୀ : ସୂଚନା ଅଧିକାର ଆଇନରେ ଅନ୍ତର୍ଭୁକ୍ତ ହେବା ନିଷ୍ପତ୍ତିକୁ ବିରୋଧ କରିଛି ବିସିସିଆଇ । କେନ୍ଦ୍ରୀୟ ସୂଚନା କମିଶନଙ୍କ ଏହି ରାୟ ବିରୋଧରେ ବିସିସିଆଇ ଆଇନର ଆଶ୍ରୟ ନେବ ବୋଲି ଏହାର କେତେକ ଅଧିକାରୀ କହିଛନ୍ତି । ଆହୁରି ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇର ପ୍ରଶାସକ କମିଟି ସିଆଇସି ଆଗରେ ନିଜର ପକ୍ଷ ଜାଣିଶୁଣି ଦୁର୍ବଳଭାବେ ରଖିଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଏଣିକି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ସୂଚନା ଅଧିକାର ଆଇନ (ଆରଟିଆଇ)ର ଅନ୍ତର୍ଭୁକ୍ତ ହେବ ବୋଲି ଗତକାଲି କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ରାୟ ଶୁଣାଇଥିଲେ । ଅର୍ଥାତ ବିସିସିଆଇ ଏଣିକି ଦେଶବାସୀଙ୍କୁ ଉତ୍ତର ଦେବାକୁ ବାଧ୍ୟ ହେବ । କେନ୍ଦ୍ରୀୟ ସୂଚନା କମିଶନର ଶ୍ରୀଧର ଆଚାର୍ଯ୍ୟଲୁ କହିଛନ୍ତି ଯେ ଦେଶରେ କ୍ରିକେଟ କ୍ଷେତ୍ରରେ ବିସିସିଆଇର ଏକାଧିପତ୍ୟ ରହିଛି । ସେ ମଧ୍ୟ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ, ସହକାରୀ ସୂଚନା ଅଧିକାରୀ ଓ ପ୍ରଥମ ଅଭିଯୋଗ ଅଧିକାରୀ ନିଯୁକ୍ତ ପାଇଁ ବିସିସିଆଇ ଅଧ୍ୟକ୍ଷ, ସଚିବ ଓ ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସିଆଇସିଙ୍କ ଏହି ନିର୍ଦ୍ଦେଶ ପରେ ଲୋକମାନେ ଏଣିକି ଆରଟିଆଇ ଆବେଦନ କରି ବିସିସିଆଇଠାରୁ ତଥ୍ୟ ମାଗିପାରିବେ ।

ସମ୍ବନ୍ଧିତ ଖବର