ଖେଳାଳିଙ୍କ ଚୁକ୍ତିକୁ ବିସିସିଆଇର ମଞ୍ଜୁରି

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଖେଳାଳିଙ୍କ ବାର୍ଷିକ ଚୁକ୍ତିକୁ ମଞ୍ଜୁରି ମିଳିଯାଇଛି। ଶୁକ୍ରବାର ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସ୍ୱତନ୍ତ୍ର ସାଧାରଣ ବୈଠକ (ଏସ୍‌ଜିଏମ୍‌)ରେ ଏହି ନିଷ୍ପତ୍ତି ହୋଇଥିଲା। ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ) ଗତ ମାର୍ଚରେ ଏହି ଖେଳାଳିଙ୍କ ଚୁକ୍ତିରେ ମୋହର ମାରିଥିଲେ। ହେଲେ ବିସିସିଆଇ କାର୍ଯ୍ୟକାରୀ ସଚିବ ଅମିତାଭ ଚୌଧୁରୀ ଏଥିରେ ସ୍ୱାକ୍ଷର କରିବାକୁ ମନା କରି ଦେଇଥିଲେ। ସେ କହିଥିଲେ ଏହି ଚୁକ୍ତିକୁ ୨୮ ରାଜ୍ୟ ସଂଘର ପ୍ରତିନିଧିଙ୍କ ସହ ସାଧାରଣ ବୈଠକରେ ମଞ୍ଜୁରି ମିଳିବା ଜରୁରି। ତେବେ ସବୁ ଆଶଙ୍କାର ପରିସମାପ୍ତି ପରେ ଶୁକ୍ରବାର ଏସ୍‌ଜିଏମ୍‌ରେ ଏଥିରେ ମୋହର ଲାଗିଥିଲା। ଫଳରେ ଖେଳାଳିମାନେ ଶୁକ୍ରବାର ରାତିରେ ଇଂଲଣ୍ଡ ଗସ୍ତ ପୂର୍ବରୁ ପାଉଣାକୁ ନେଇ ଆଉ ଦ୍ୱନ୍ଦ୍ୱରେ ରହିନାହାନ୍ତି। ନୂଆ ଚୁକ୍ତି ଅନୁସାରେ ଏ+ ଗ୍ରେଡ୍‌ ଖେଳାଳିମାନେ ୭ କୋଟି, ଏ, ବି ଏବଂ ସି ଚୁକ୍ତିଭୁକ୍ତ ଖେଳାଳିଙ୍କୁ ଯଥାକ୍ରମେ ୫, ୩ ଏବଂ ୧ କୋଟି ଲେଖାଏଁ ମିଳିବ। ଏହାବାଦ୍‌ ଏସ୍‌ଜିଏମ୍‌ରେ ଘରୋଇ କ୍ରିକେଟ୍‌ ଏବଂ ମହିଳା ଖେଳାଳିଙ୍କ ଦରମା ବୃଦ୍ଧିକୁ ମଧ୍ୟ ମଞ୍ଜୁର ମିଳିଥିଲା।

ସମ୍ବନ୍ଧିତ ଖବର