ବିସିସିଆଇ ପଦ୍ମ ଭୂଷଣ ପାଇଁ ପଠାଇଲା ମହେନ୍ଦ୍ର ସିଂହ ଧୋନିଙ୍କ ନାମ

ପୂର୍ବରୁ ୧୦ଜଣ କ୍ରିକେଟରଙ୍କୁ ମିଳିଛି ଏହି ସମ୍ମାନ

ନୂଆଦିଲ୍ଲୀ: ବିସିସିଆଇ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାମକୁ ପଦ୍ମ ଭୂଷଣ ପାଇଁ ପ୍ରସ୍ତାବ ଦେଇଛି। ପଦ୍ମ ଭୂଷଣ ଦେଶର ୩ୟ ସର୍ବୋଚ୍ଚ ସମ୍ମାନ। ବିସିସିଆଇ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ, ବିସିିସିଆ ତରଫରୁ ପଦ୍ମଭୂଷଣ ପାଇଁ କେବଳ ଜଣଙ୍କର ନାମ ପ୍ରସ୍ତାବ ଦିଆଯାଇଛି। ସେ ହେଲେ ମହେନ୍ଦ୍ର ସିଂହ ଧୋନି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଏହି ନିଷ୍ପତ୍ତିକୁ ନେଇ ବିସିସିଆଇରେ କୌଣସିି ମତଭେଦ ନାହିଁ। ଧୋନିଙ୍କ ଅଧିନାୟକତ୍ୱରେ ଭାରତ ୨୦୧୧ରେ ବିଶ୍ୱକପ୍‌ ଓ ୨୦୦୭ରେ ଟି-୨୦ ବିଶ୍ୱକପ୍‌ ଜିତିଥିଲା। ଧୋନି ୧୦,୦୦୦ ଦିନିକିଆ ରନ୍‌ରେ ପହଞ୍ଚିବା ଉପରେ ଅଛନ୍ତି। ସେ ଦିନିକିଆରେ ୯୭୩୭ ରନ ସଂଗ୍ରହ କରିଛନ୍ତି। ଧୋନି ଏପର୍ଯ୍ୟନ୍ତ ୧୦ଟି ଦିନିକିଆ ଶତକ, ୬୬ଟି ଅର୍ଦ୍ଧଶତକ, ୨୧୨ଟି ଛକା ମାରିଛନ୍ତି। ସେ ୯୦ଟି ଟେଷ୍ଟ ମ୍ୟାଚ ଖେଳି ସାରିଥିବା ବେଳେ ୪୦୨ଟି ଦିନିକିଆ ମ୍ୟାଚ ଖେଳି ସାରିଛନ୍ତି।

ଧୋନିଙ୍କୁ ପୂର୍ବରୁ ଖେଲ ରତ୍ନ, ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାର ମିଳି ସାରିଛି। ଯଦି ଧୋନିଙ୍କ ନାମ ଚୟନ ହୁଏ, ତେବେ ଏହି ପୁରସ୍କାର ପାଇବାରେ ସେ ହେବେ ୧୧ତମ ଖେଳାଳି। ଧୋନିଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, କପିଳ ଦେବ, ସୁନିଲ ଗାଭାସ୍କାର, ରାହୁଲ ଦ୍ରାବିଡ ଆଦି ଖେଳାଳିଙ୍କୁ ଏହି ପୁରସ୍କାର ମିଳି ସାରିଛି।

 

ସମ୍ବନ୍ଧିତ ଖବର