ପିସିବି ଏସିଆ କପ୍‌ କ୍ରିକେଟ୍‌ର ଆୟୋଜନ କରୁ କିନ୍ତୁ ପାକିସ୍ତାନରେ ଖେଳିବନି ଭାରତ: ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପାକିସ୍ତାନରେ ଭାରତୀୟ ଟିମ୍‌ ‘ଏସିଆ କପ୍‌’ ଖେଳିବନି ବୋଲି ସିଧାସଳଖ ମନା କରିଦେଇଛି। ଏସିଆ କପ୍‌ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି କି ଭାରତୀୟ କ୍ରିକେଟ୍‌ ଦଳ କୌଣସି ପରିସ୍ଥିତିରେ ପାକିସ୍ତାନ ଗସ୍ତ କରିବ ନାହିଁ। ବିସିସିଆଇ କହିଛି, ଏସିଆ କପ୍‌ର ଆୟୋଜନ ଯଦି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) କରିବ, ଏଥିରେ କୌଣସି ସମସ୍ୟା ନାହିଁ। କିନ୍ତୁ ଭାରତୀୟ ଟିମ୍‌ ପାକିସ୍ତାନ ଗସ୍ତ କରିବ ନାହିଁ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସିସିଆଇ ଚାହୁଁଛି ଯେ, ‘ଏସିଆ କପ’ର ଆୟୋଜନ ପିସିବି କୌଣସି ନିରପେକ୍ଷ ସ୍ଥାନରେ ଆୟୋଜନ କରୁ। ବିସିସିଆଇର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଏସିଆ କପକୁ କୌଣସି ନିରପେକ୍ଷ ସ୍ଥାନରେ ଆୟୋଜନ କରିବାର ଆବଶ୍ୟକ ରହିଛି। କାରଣ ଭାରତ ବର୍ତ୍ତମାନ ସ୍ଥିତିରେ ପାକିସ୍ତାନ ଯିବ ନାହିଁ। ଟୁର୍ଣ୍ଣାମେଣ୍ଟର ଆୟୋଜନ ଆମ ପାଇଁ କୌଣସି ବଡ଼ ପ୍ରସଙ୍ଗ ନୁହେଁ। କିନ୍ତୁ ଏହା ନିରପେକ୍ଷ ସ୍ଥାନରେ ଆୟୋଜନ ହେଲେ ଆମ ପାଇଁ ଭଲ।

ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ (ଏସିସି) ଯଦି ଭାରତକୁ ସାମିଲ ନକରି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଚାହୁଁଛି, ଏଥିରେ କୌଣସି ଅସୁବିଧା ନାହିଁ। କିନ୍ତୁ ଯଦି ଏସିସି ଚାହୁଁଛି ଯେ ଭାରତ ଏସିଆ କପରେ ଭାଗ ନେଉ, ତାହେଲେ ଟୁର୍ଣ୍ଣାମେଣ୍ଟ୍‌ ପାକିସ୍ତାନରେ ଆୟୋଜନ ନହେବା ଜରୁରୀ।

ସୂଚନାଯୋଗ୍ୟ, ୨୦୧୮ରେ ଏସିଆ କପ୍‌ ଭାରତରେ ଆୟୋଜନ ହେବାର ଥିଲା। କିନ୍ତୁ ପାକିସ୍ତାନ ଖେଳାଳିଙ୍କ ଭିସାଜନିତ ସମସ୍ୟା କାରଣରୁ ଏହାକୁ ୟୁଏଇ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ବିସିସିଆଇ ଦ୍ୱାରା କରାଯାଇଥିଲା।

ସମ୍ବନ୍ଧିତ ଖବର