ଖେଳାଳିଙ୍କ ପତ୍ନୀଙ୍କୁ ନେଇ ବିସିସିଆଇର ଚିନ୍ତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଖେଳାଳିଙ୍କ ଗସ୍ତ ବେଳେ ସାଥିରେ ସେମାନଙ୍କ ପତ୍ନୀ, ପିଲା ଏବଂ ଆୟାଙ୍କୁ ନେବା ଏବେ ବିସିସିଆଇ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଭାରତୀୟ ଦଳ ଲମ୍ବା ବିଦେଶ ଗସ୍ତରେ ଯାଉଥିବା ବେଳେ ପତ୍ନୀ ଓ ପିଲାଙ୍କୁ ସାଥିରେ ୨ ସପ୍ତାହ ରଖିପାରିବେ ବୋଲି ବ୍ୟବସ୍ଥା ରହିଛି। କିନ୍ତୁ ବିସିସିଆଇ ପାଇଁ ଏହା ଏକ ପରିଚାଳନାଗତ ସମସ୍ୟା ସୃଷ୍ଟି କରୁଛି। ଗତ ଅଷ୍ଟ୍ରେଲିଆ ଗସ୍ତରେ ସେଭଳି ଏକ ପରିସ୍ଥିତି ଉପୁଜିଥିଲା। ବିଶେଷ କରି ଖେଳାଳି, ସପୋର୍ଟ ଷ୍ଟାଫ ଏବଂ ଖେଳାଳିଙ୍କ ପରିବାରକୁ ନେଇ ପରିବହନ ସମସ୍ୟା ସୃଷ୍ଟି ହୋଇଥିଲା। ଏମାନଙ୍କ ସଂଖ୍ୟା ପାଖାପାଖି ୪୦ ହୋଇଯାଇଥିଲା। ବିସିସିଆଇ ୨ଟି ବସ୍ ଭଡ଼ାରେ ଆଣିଥିଲେ ମଧ୍ୟ ସମସ୍ତଙ୍କୁ ନେବା କଷ୍ଟକର ହୋଇଥିଲା। ସୂଚନାଯୋଗ୍ୟ, ବିଦେଶ ଗସ୍ତ ବେ‌ଳେ ପତ୍ନୀ ଓ ପ୍ରେମିକାମାନଙ୍କୁ ସାଥିରେ ନେବା ଲାଗି ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ମତ ଦେଇଥିଲେ। ଫଳରେ ଗସ୍ତର ପ୍ରଥମ ୧୦ ଦିନ ପରଠାରୁ ପତ୍ନୀମାନେ ସେମାନଙ୍କ ପତିଙ୍କ ସହ ରହିପାରିବେ ବୋଲି ବୋର୍ଡ ଘୋଷଣା କରିଥିଲା। ଖେଳାଳିମାନେ ପରିବାରର ବିଲ୍ ପ୍ରଦାନ କରୁଥିଲେ ମଧ୍ୟ ଅନ୍ୟ କିଛି ଲଜିଷ୍ଟିକାଲ୍ ପ୍ରସଙ୍ଗ ହିଁ ଚିନ୍ତାର କାରଣ ପାଲଟିଛି। ଖେଳାଳିଙ୍କ ବିମାନ ଟିକେଟ, ହୋଟେଲ ରୁମ୍‌ ବୁକିଂ, ଭ୍ରମଣ, ପରିବହନ ଆଦି ପରିଚାଳନା ଗତ ସମସ୍ୟା ଦେଖାଦେଉଛି। ସେହି ଦୃଷ୍ଟିରୁ ଆଗାମୀ ଇଂଲଣ୍ଡ ବିଶ୍ବକପ୍‌ ବେଳେ ଯେଉଁ ଖେଳାଳିମାନେ ପରିବାର ସହିତ ଗସ୍ତ କରିବେ ଏହା ସମାନ ସମସ୍ୟା ସୃଷ୍ଟି କରିବ ବୋଲି ଜଣେ ବିସିସିଆଇ ଅଧିକାରୀ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର