ବିରାଟ କୋହଲି ଇଂଲଣ୍ଡରେ କାଉଣ୍ଟି ନ ଖେଳି ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ପାଇଁ ଯୋଜନା କରନ୍ତୁ : ବିସିସିଆଇ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ସଫଳତା ପଥରେ ଅଗ୍ରସର ହୋଇଛି। ଆଇପିଏଲ୍‌ ପରେ ଭାରତ ଜୁନ୍‌ ୧୪ରୁ ୧୮ ମଧ୍ୟରେ ଆଫଗାନିସ୍ତାନ ବିପକ୍ଷରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହା ଆଫଗାନିସ୍ତାନର ପ୍ରଥମ ଭାରତ ଗସ୍ତ। କିନ୍ତୁ ଏହି ସମୟରେ କୋହଲି ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ଖେଳିବାକୁ ଯୋଜନା କରିଛନ୍ତି। ଯଦି ସେ ଏହା କରନ୍ତି ତା’ହେଲେ ଆଫଗାନିସ୍ତାନ ଟିମ୍‌ ପ୍ରତି ଅସମ୍ମାନ ହେବ। ତେଣୁ କୋହଲି ଆଫଗାନିସ୍ତାନ ସହିତ ମ୍ୟାଚ୍‌ ଖେଳନ୍ତୁ ଅଥବା କାଉଣ୍ଟି ଖେଳିବାକୁ ଇଂଲଣ୍ଡ ଯାଇଥିଲେ ବି ସେଠାରୁ ଫେରି ମ୍ୟାଚରେ ଭାରତର ନେତୃତ୍ୱ ନିଅନ୍ତୁ ବୋଲି ବିସିସିଆଇ କୋହଲିଙ୍କୁ ପରାମର୍ଶ ଦେଇଛି।

ଜୁଲାଇ ୩ରୁ ଭାରତର ଇଂଲଣ୍ଡ ଗସ୍ତ ହେଉଛି କିନ୍ତୁ ଏହି ଗସ୍ତ ପୂର୍ବରୁ ବିରାଟ କୋହଲି ଆଫଗାନିସ୍ତାନ ଟେଷ୍ଟ ଉପରେ ନଜର ରଖନ୍ତୁ ବୋଲି ବିସିସିଆଇ କହିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିସିସିଆଇର ଇଚ୍ଛା ଯେ, ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ପୂର୍ବରୁ ଆଫଗାନିସ୍ତାନ ଟେଷ୍ଟ ପାଇଁ ବିରାଟ କୋହଲି ଯୋଜନା ପ୍ରସ୍ତୁତ କରନ୍ତୁ।

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି(ସିଓଏ) ଜାଣିଛି ଯେ, ଭାରତୀୟ ଟେଷ୍ଟ ବିଶେଷଜ୍ଞ ଇଂଲଣ୍ଡ ଗସ୍ତକୁ ନେଇ ବେଶ ଆଶାବାଦୀ। ଭାରତୀୟ ଟିମ୍‌ ଇଂଲଣ୍ଡରେ ୫ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। କିନ୍ତୁ କୋହଲିଙ୍କୁ ଆଫଗାନିସ୍ତାନ ଟେଷ୍ଟ ନେଇ ନିଷ୍ପତ୍ତି ନେବାକୁ ହେବ। ଯଦି ବିରାଟ ଏହି ଅନ୍ତର୍ଜାତୀୟ ମ୍ୟାଚ୍‌ ନ ଖେଳନ୍ତି, ତେବେ ତାହା ନିଶ୍ଚିତ ଭାବରେ ଏକ ଖରାପ ଉଦାହରଣ ହେବ ବୋଲି ବିସିସିଆଇର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

 

ସମ୍ବନ୍ଧିତ ଖବର