କୋଚି ଟସ୍କର୍ସକୁ ୮୦୦ କୋଟି କ୍ଷତିପୂରଣ ଦେବ ବିସିସିଆଇ

ନୂଆଦିଲ୍ଲୀ: ୨୦୧୧ରେ ବହିଷ୍କୃତ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଚି ଟସ୍କର୍ସ କେରଳର ଚୁକ୍ତି ରଦ୍ଦ କରିଦେଇଥିବା କାରଣରୁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏବେ ବଡ଼ ପରିମାଣର କ୍ଷତିପୂରଣ ଦେବାକୁ ବାଧ୍ୟ ହେବ। କ୍ଷତିପୂରଣ ବାବଦରେ କୋଚି ଟସ୍କର୍ସକୁ ବିସିସିଆଇ ପ୍ରାୟ ୮୦୦ କୋଟିରୁ ଅଧିକ ଅର୍ଥ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଫ୍ରାଞ୍ଚାଇଜଜ୍‌ର ଚୁକ୍ତିଭିତ୍ତିକ ରାଜିନାମା ଉଲଂଘନ କରିଥିବା ଯୋଗୁଁ କୋଚି ଟସ୍କର୍ସ ୮୫୦ କୋଟିର କ୍ଷତିପୂରଣ ଦାବି କରିଥିଲା। ଏହାକୁ ବିସିସିଆଇ ବେଖାତିର କରିବାରୁ ସଂପୃକ୍ତ ଫ୍ରାଞ୍ଚାଇଜ୍‌ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା। ନ୍ୟାୟାଳୟରେ ୨୦୧୫ରେ କୋଚି ମାମଲା ଜିତିଥିଲା।

ଆର୍‌ସି ଲାହୋଟିଙ୍କ ଅଧ୍ୟକ୍ଷତାରେ ଖଠିତ ଖଣ୍ଡପୀଠ ୫୫୦ କୋଟି କ୍ଷତିପୂରଣ ଦେବାକୁ ବିସିସିଆଇକୁ ନିର୍ଦେଶ ଦେଇଥିଲେ। ଏଥିରେ ବିଫଳ ହେଲେ ୧୮ ପ୍ରତିଶତ ବାର୍ଷିକ ଜରିମାନା ଅକାରରେ ଗଣିବାକୁ ମଧ୍ୟ ଚେତାଇ ଦେଇଥିଲେ। ତେବେ ମାମଲାର ରାୟ ପ୍ରକାଶ ପାଇବାର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ବିସିସିଆଇ ଟଙ୍କାଟିଏ କୋଚିକୁ ଦେଇନାହିଁ କିମ୍ବା ଆଇପିଏଲ୍‌କୁ ଫେରାଇ ନେବାରେ ଆଗ୍ରହ ଦେଖାଇନାହିଁ। ଫଳରେ କୋଚି ଏବେ ମାମଲାକୁ ଉଚ୍ଚତମ ନ୍ୟାୟାଳୟକୁ ନେବାକୁ ସ୍ଥିର କରିଛି। ତେବେ ଏନେଇ ମଙ୍ଗଳବାର ଆଇପିଏଲ୍‌ ପରିଚାଳନା ପରିଷଦ ବୈଠରେ ଆଲୋଚନା ହୋଇଥିଲା। ପରିଷଦ କ୍ଷତିପୂରଣ ବାବଦ ମାମଲାକୁ ସାଧାରଣ ପରିଷଦ ବୈଠକ ପୂର୍ବରୁ ଉପସ୍ଥାପିତ କରିବ ବୋଲି କହିଛି। ଏହାପରେ ବୁଝାମଣା ଭିତ୍ତିରେ ମାମଲାର ସମାଧାନ କରାଯିବ ବୋଲି ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା ବୈଠକ ଶେଷରେ କହିଛନ୍ତି।

ସମ୍ବନ୍ଧିତ ଖବର