ପ୍ଲେଅଫ୍‌ ପୂର୍ବରୁ ମହିଳା ପ୍ରଦର୍ଶନୀ ଟେ୍ଵଣ୍ଟି-୨୦

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌-୧୧ରେ ପ୍ଲେଅଫ୍‌ ମ୍ୟାଚ୍‌ ପୂର୍ବରୁ ଆଇପିଏଲ୍‌ ଢାଞ୍ଚାରେ ଏକ ମହିଳା ପ୍ରଦର୍ଶନୀ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳାଯିବାକୁ ପରିଚାଳନା ପରିଷଦ ଅନୁମତି ଦେଇଛି। ଏହି ମ୍ୟାଚ୍‌ ଆସନ୍ତା ୨୨ ତାରିଖରେ ମୁମ୍ବାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିରେ ପ୍ରତି ଦଳରେ ୪ ଲେଖାଏଁ ବିଦେଶୀ ଖେଳାଳି ସାମିଲ ରହିବେ। ତେବେ ଉଭୟ ଦଳରେ ମୋଟ ୧୦ ବିଦେଶୀ ଏବଂ ୨୦ ଘରୋଇ ଖେଳାଳି ରହିବେ। ଆନ୍ତର୍ଜାତିକ ତାରକା ସୁଜି ବେଟ୍‌ସ ଓ ସୋଫି ଦେବିନେ (ନ୍ୟୁଜିଲାଣ୍ଡ୍‌), ଏଲିସେ ପେରି ଓ ଆଲିସା ହିଲେ (ଅଷ୍ଟ୍ରେଲିଆ)ଙ୍କ ସହ ଡାନିଏଲା ଓ୍ଵାତ୍‌ଙ୍କୁ ଏହି ପ୍ରଦର୍ଶନୀ ମ୍ୟାଚ୍‌ର ଆକର୍ଷଣ ସାଜିବେ। ଭାରତୀୟ ଖେଳାଳିଙ୍କୁ ଜାତୀୟ ମନୋନୟନ ସମିତି ବାଛିବ ବୋଲି ସିଓଏ (ପ୍ରଶାସକ ସମିତି) ସଦସ୍ୟା ତଥା ପୂର୍ବତନ ଖେଳାଳି ଡାଇନା ଏଡୁଲ୍‌ଜୀ କହିଛନ୍ତି। ଆଗକୁ ଭାରତରେ ଆଇପିଏଲ୍‌ ଶୈଳୀରେ ମହିଳା କ୍ରିକେଟ୍‌ ଲିଗ୍‌ର ଯୋଜନା ରହିଥିବାରୁ ଏହି ପ୍ରଦର୍ଶନୀ ମ୍ୟାଚ୍‌ ସହାୟକ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଉଛି।

ସମ୍ବନ୍ଧିତ ଖବର