ବିଶ୍ୱ ଚାମ୍ପିୟନ ହକି ଦଳକୁ ସମ୍ବର୍ଦ୍ଧନା ଦେଲେ ବେଲଜିୟମ ରାଜା, ରାଣୀ

ବ୍ରସେଲ୍ସ : ବେଲଜିୟମ ହକି ଦଳ ନୂଆ ବିଶ୍ୱ ଚାମ୍ପିୟନ ହେବା ପରେ ବେଲଜିୟମରେ ଖୁସିର ଲହରୀ ଖେଳିଯାଇଛି । ଆଜି ସକାଳେ ବେଲଜିୟମ ଦଳ ବ୍ରସେଲ୍ସଠାରେ ପହଞ୍ଚିବା ପରେ ତାଙ୍କୁ ଏୟାରପୋର୍ଟରେ ସାଧାରଣ ଲୋକେ ସ୍ୱାଗତ କରିଥିଲେ । ଏହା ପରେ ସେମାନେ ବେଲଜିୟମ ରାଜପ୍ରାସାଦ ଯାଇ ସେଠାରେ ରାଜା ଫିଲିପ ଓ ରାଣୀ ମାଥିଲଡେଙ୍କୁ ଭେଟିଥିଲେ । ରାଜଦମ୍ପତ୍ତି ବିଶ୍ୱବିଜୟୀ ଦଳକୁ ସମ୍ବର୍ଦ୍ଧିତ କରିଥିଲେ ।

କେବଳ ଏତିକି ନୁହେଁ ଏହି ବିଜୟକୁ ପାଳନ କରିବା ପାଇଁ ଆଜି ମଧ୍ୟାହ୍ନରେ ( ଭାରତୀୟ ସମୟ ସଂଧ୍ୟା ୫ଟା) ବ୍ରସେଲ୍ସ ନଗରୀଠାରେ ଏକ ବିରାଟ ସମାରୋହର ଆୟୋଜନ କରାଯାଇଛି । ନିଜେ ବ୍ରସେଲ୍ସର ମେୟର ଫିଲିପ କ୍ଲୋଜ ଏହି ସୂଚନା ଦେଇଛନ୍ତି । ବ୍ରସେଲ୍ସର ସିଟି ହଲ ଠାରେ ବିଜୟୀ ଦଳକୁ ସମ୍ବର୍ଦ୍ଧନା ଦିଆଯିବ । ଏହି ସମାରୋହରେ ହଜାର ହଜାର ଲୋକ ଏକତ୍ରିତ ହେବାର ସମ୍ଭାବନା ରହିଛି । ସିଟି ହଲର ବାଲକୋନୀରେ ଖେଳାଳୀମାନେ ଛିଡା ହୋଇ ବିଶ୍ୱକପର ପ୍ରଦର୍ଶନ କରିବେ ।

ଅନ୍ୟପକ୍ଷରେ ବେଲଜିୟମର ସବୁ ପ୍ରମୁଖ ଖବରକାଗଜର ପ୍ରଥମ ପୃଷ୍ଠାରେ ଏହି ଖବର ବଡ଼ ଆକାରରେ ପ୍ରକାଶ ପାଇଛି । ବେଲଜିୟମର ଲେକପ୍ରିୟ ଖବରକାଗଜ ଲା ଲିବ୍ର ବେଲଜିକ, ଗ୍ରେନଜେକୋ, ଡି ମରଜେନ, ଡି ଷ୍ଟାଣ୍ଡାର୍ଡ, ଲି ସଇର, ନ୍ୟୁ ୟୁରୋପ ଆଦିରେ ପ୍ରଥମ ପୃଷ୍ଠାର ପ୍ରଥମ ଖବରଭାବେ ଏହା ପ୍ରକାଶିତ ହୋଇଛି । ଗତ ୧୬ ତାରିଖରେ ଓଡ଼ିଶା ହକି ବିଶ୍ୱକପରେ ବେଲଜିୟମ ଦଳ ନେଦରଲାଣ୍ଡକୁ ପେନାଲଟି ସୁଟଆଉଟରେ ୩-୨ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା ।

ସମ୍ବନ୍ଧିତ ଖବର