ସ୍ପେନ୍‌କୁ ହରାଇ ବେଲଜିୟମ୍‌ ପଞ୍ଚମ

ଭୁବନେଶ୍ୱର: ଶନିବାରର ପ୍ରଥମ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲଜିୟମ ଅନ୍ୟତମ ୟୁରୋପୀୟ ଶକ୍ତି ସ୍ପେନକୁ ଭେଟିଥିଲା। ଏହାକୁ ୧-୦ ଗୋଲ୍‌ରେ ଜିତି ଗତଥର ଉପ ବିଜେତା ହୋଇଥିବା ବେଲଜିୟମ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ସ୍ପେନ୍‌ ଅବଶ୍ୟ ଏହି ଦଳକୁ ଜୋରଦାର ଟକ୍କର ଦେଇଥିଲା। ହେଲେ ଚତୁର୍ଥ ମିନିଟ୍‌ରେ କରିଥିବା ଏକମାତ୍ର ଗୋଲ୍‌ ବଳରେ ବେଲଜିୟମ ଶେଷକୁ ବିଜୟ ସ୍ୱାଦ ପାଇଥିଲା। ଶନିବାର ସଂଧ୍ୟାରେ ଶୁକ୍ରବାର ଭଳି ବର୍ଷା ହୋଇ ନଥିଲା। ମଝିରେ ମଝିରେ ଯାହା ଗୁଣ୍ଡି ଝଡ଼ିଥିଲା। ଏହା ସତ୍ତ୍ୱେ ଶୁକ୍ରବାରର ଦୁଇଟି ମ୍ୟାଚ୍‌ ଭଳି ଶନିବାରର ଏହି ମୁକାବିଲାରେ ପ୍ରଥମ ଏବଂ ଏକମାତ୍ର ଗୋଲ୍‌ କରିଥିବା ଦଳ ହିଁ ବିଜୟୀ ହୋଇଥିଲା।

ଶୁକ୍ରବାର ରାତିରେ ବେଲଜିୟମ ଖେଳାଳି କଳିଙ୍ଗ ଷ୍ଟାଡିୟମ୍‌ ଭିତରେ ଜୋର ଜବରଦସ୍ତ ପ୍ରବେଶ କରିବାର ଅଶୋଭନୀୟ ଘଟଣାର ଚର୍ଚା ଭିତରେ ଖେଳା ଯାଇଥିବା ଏହି ମୁକାବିଲାର ଚତୁର୍ଥ ମିନିଟ୍‌ରେ ବେଲଜିୟମର ୯ ନମ୍ବର ଖେଳାଳି ସେବାସ୍ତିଆନ ଡୋକିଅର ଅନ୍ୟମନସ୍କ ଥିବା ସ୍ପେନ୍‌ ରକ୍ଷଣଭାଗକୁ ଚକ୍‌ମା ଦେଇ ଏହି ସୁନ୍ଦର ଫିଲ୍ଡ ଗୋଲ୍‌ କରିଥିଲେ। ଯାହା ଫଳରେ ବେଲଜିୟମ୍‌ ଆଗୁଆ ହୋଇ ଯାଇଥିଲା। ପରବର୍ତୀ ତିନିଟି କ୍ୱାର୍ଟରରେ ସ୍ପେନ୍‌ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ମଧ୍ୟ ଏହି ଗୋଲ୍‌ଟିକୁ ଶୁଝି ପାରି ନଥିଲା। ଫଳରେ ବେଲଜିୟମ ସେହି ଗୋଲ୍‌ ବଳରେ ହିଁ ମ୍ୟାଚ୍‌ ଜିତିବା ସହ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଅନ୍ୟ ପକ୍ଷରେ ସ୍ପେନ୍‌ ଷଷ୍ଠ ସ୍ଥାନରେ ରହିଥିଲା।

ସମ୍ବନ୍ଧିତ ଖବର