ବେଲଜିୟମ ହତାଶ

ସେଣ୍ଟପିଟର୍ସବର୍ଗ: ବର୍ତମାନର ବେଲଜିୟମ ଫୁଟ୍‌ବଲ୍‌ ଦଳକୁ ସେହି ଦେଶର ସ୍ୱର୍ଣ୍ଣିମ ପିଢ଼ିର ଆଖ୍ୟା ମିଳିଛି। ଏହି ସ୍ୱର୍ଣ୍ଣିମ ପିଢ଼ି ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଶ୍ୱକପର ଫାଇନାଲ୍‌ ଖେଳିବା ଲକ୍ଷ୍ୟରେ ଥିଲା। ହେଲେ ମଙ୍ଗଳବାର ସେହି ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା। ଫ୍ରାନ୍ସଠାରୁ ହାରି ବେଲଜିୟମ ରୁଷ୍‌ ବିଶ୍ୱକପର ସେମିଫାଇନାଲରୁ ବିଦାୟ ନେଲା। ଯାହାକୁ ବେଲଜିୟମବାସୀ ବିଶ୍ୱାସ କରି ପାରୁ ନାହାନ୍ତି। ସେଥିପାଇଁ ରାଜଧାନୀ ବ୍ରୁସେଲ୍ସ ସମେତ ସାରା ବେଲଜିୟମରେ ଏବେ ଦୁଃଖର ଛାୟା ଖେଳି ଯାଇଛି। ବିଶ୍ୱକପ୍‌ ସ୍ୱପ୍ନ ଧୂଳିସାତ୍‌ ହେବା ପରେ ବେଲଜିୟମ ଦଳ ଏବେ ୟୁରୋ ୨୦୨୦ ଉପରେ ନଜର ପକାଇଛି। ୟୁରୋକପ୍‌ ଜିତି ବେଲଜିୟମ ବିଶ୍ୱକପ୍‌ ବିଫଳତାକୁ ଦୂର କରିବ ବୋଲି ଲକ୍ଷ୍ୟ ରଖିଛି। ବେଲଜିୟମ ଲିଗ୍‌, ପ୍ରି-କ୍ୱାର୍ଟର ଏବଂ କ୍ୱାର୍ଟରରେ ପୂରା ଆଧିପତ୍ୟ ବିସ୍ତାର କରିଥିଲା। ହେଲେ ସେମିଫାଇନାଲରେ ମିଳିଥିବା ସୁଯୋଗକୁ ହାତଛଡ଼ା କରି ପରାଜିତ ହେଲା। ସାନ୍ତ୍ୱନା ପାଇଁ ଏହି ଦଳ ଏବେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଖେଳିବାକୁ ଥିବା ମ୍ୟାଚ୍‌ ଉପରେ ମନୋନିବେଶ କରିବ। ତୃତୀୟ ସ୍ଥାନରେ ଅଭିଯାନ ଶେଷ କଲେ କିଛିଟା ଦୁଃଖ ଦୂର ହେବ ବୋଲି ଏହି ଦଳର ପ୍ରଶିକ୍ଷକ ରୋବେର୍ଟୋ ମାର୍ଟିନେଜ୍‌ ମଧ୍ୟ କହିଛନ୍ତି। ତେବେ ଫ୍ରାନ୍ସ ଆକ୍ରମଣକୁ ଅଧିକାଂଶ ସମୟ ପ୍ରତିହତ କରିଥିବାରୁ ସେ ନିଜ ଖେଳାଳିଙ୍କ ପ୍ରଦର୍ଶନରେ ଖୁସି ଜାହିର କରିଛନ୍ତି।

ଫାଇନାଲରେ ଫ୍ରାନ୍ସ, ତଥାପି ନିରାଶା
ଫ୍ରାନ୍ସ ଚଳିତ ଫିଫା ବିଶ୍ୱକପର ଫାଇନାଲରେ ପାଦ ଥାପି ସାରିଛି। ହେଲେ ଏହି ଦଳ ଯେତିକି ଖୁସି ହେବା କଥା ସେତିକି ହୋଇ ପାରୁ ନାହିଁ। କାରଣ ୨୦୧୬ ୟୁରୋ କପ୍‌ ପରାଜୟର ଭୁତ ଏହି ଦଳକୁ ଏବେବି ପିଛା କରୁଛି। ଦଳର ମୁଖ୍ୟ ପ୍ରଶିକ୍ଷକ ଦିଦିଏର ଦେଶଚାମ୍ଫ୍ସ ଏକଥା ସ୍ୱୀକାର କରିଛନ୍ତି। ସେ କହିଛନ୍ତି ବିଶ୍ୱକପ୍‌ ବିଜୟ ପରେ ହିଁ ଆମେ ସେହି ଆଘାତକୁ ଭୁଲାଇ ପାରିବୁ। ଦୁଇ ବର୍ଷ ପୂର୍ବେ ଫ୍ରାନ୍ସକୁ ତା ଘରୋଇ ପରିବେଶରେ ହରାଇ ପର୍ତୁଗାଲ ୟୁରୋକପ୍‌ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର