୨୩ ବର୍ଷରୁ କମ୍‌ ମହିଳା ଦିନିକିଆ:ଅଞ୍ଜଳି ଓ ସୁଶ୍ରୀ ଦେଲେ ପୂର୍ବାଞ୍ଚଳକୁ ତୃତୀୟ ବିଜୟ

କଟକ: ଦୁଇ ଓଡ଼ିଆ ମହିଳା କ୍ରିକେଟର ଅଞ୍ଜଳି ସିଂହ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ୨୩ ବର୍ଷରୁ କମ୍‌ ମହିଳା ଅନ୍ତଃ ଜୋନ୍‌ ଦିନିକିଆରେ ପୂର୍ବାଞ୍ଚଳ ଲଗାତର ତୃତୀୟ ବିଜୟ ହାସଲ କରିଛି। ଭଦୋଦରାସ୍ଥିତ ଆଲେମ୍ବିକ କ୍ରିକେଟ୍‌ ପଡ଼ିଆରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ପୂର୍ବାଞ୍ଚଳ ୯ ଓ୍ଵିକେଟ୍‌ରେ ପଶ୍ଚିମାଞ୍ଚଳକୁ ହରାଇଛି। ପ୍ରଥମେ ସୁଶ୍ରୀଙ୍କ ୩ ଓ୍ଵିକେଟ୍‌ ସଫଳତା ଓ ପରେ ଅଞ୍ଚଳିଙ୍କ ଅର୍ଧଶତକ ଯୋଗୁଁ ପୂର୍ବାଞ୍ଚଳକୁ ମ୍ୟାଚ୍‌ ଜିତିବାରେ ସହାୟକ ହୋଇଥିଲା। ଟସ୍‌ ଜିତି ପଶ୍ଚିମାଞ୍ଚଳ ପ୍ରଥମେ ବ୍ୟାଟିଂ କରିଥିଲା। ନିୟମିତ ଅନ୍ତରାଳରେ ଓ୍ଵିକେଟ୍‌ ହରାଉଥିବା ପଶ୍ଚିମାଞ୍ଚଳ ୪୬.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ବିନିମୟରେ ୧୦୫ ରନ୍‌ କରିଥିଲା। ଟି.ଏସ୍‌ ହସବନିସ୍‌ ସର୍ବାଧିକ ୧୭ ରନ୍‌ କରିଥିଲାବେଳେ ପୂର୍ବାଞ୍ଚଳ ପାଇଁ ଅଧିନାୟିକା ତନୁଶ୍ରୀ ସରକାର ଓ ସୁଶ୍ରୀ ଦିବ୍ୟଦର୍ଶିନୀ ୩ଟି ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଏମାନଙ୍କ ବ୍ୟତୀତ ଶାନ୍ତି କୁମାରୀ, ଦୁର୍ଗା କୁମାରୀ ମୁର୍ମୁ, ଏନ୍‌.ମାଝୀ, ମମତା ପାସ୍‌ଓ୍ଵାନ ଗୋଟିଏ ଲେଖାଏଁ ଓ୍ଵିକେଟ ପାଇଥିଲେ। ୧୦୬ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପୂର୍ବାଞ୍ଚଳ ଧୀମା ଆରମ୍ଭ କରିଥିଲା। ତଥାପି ୩୦ ରନ୍‌ ହୋଇଥିଲାବେଳେ ସପ୍ନା ଚୌଧୁରୀ (୧୨) ଆଉଟ ହୋଇଥିଲେ। ଏହାପରେ ପ୍ରାରମ୍ଭିକ ଖେଳାଳି ଅଞ୍ଜଳି ଓ ଅଧିନାୟିକା ତନୁଶ୍ରୀ ମିଳତ ଭାବେ ଦଳକୁ ବିଜୟୀ କରାଇଥିଲେ। ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଅଞ୍ଜଳି ୮୫ ବଲ୍‌ରୁ ୬ଚୌକା ସହାୟତାରେ ୫୦* ଓ ତନୁଶ୍ରୀ ୩୩* ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର