ବେଲ୍‌ଜିୟମ୍‌ ୫-୨: ଗୋଲ୍‌ ବର୍ଷାରେ ବୁଡ଼ିଲା ଟ୍ୟୁନିସିଆ:ଦେଖାନାହିଁ ଗୋଲ୍‌ଶୂନ୍ୟ

ଚଳିତ ଫିଫା ବିଶ୍ୱକପ୍‌ ଏକ ଅଣଦେଖା କୀର୍ତିମାନ କରିଛି। ପ୍ରଥମ ୨୭ ମ୍ୟାଚ୍‌ ପର୍ଯ୍ୟନ୍ତ ଗୋଟିଏ ବି ଗୋଲଶୂନ୍ୟ ଅମୀମାଂସିତ ଫଳାଫଳ ଆସିନାହିଁ। ଫଳରେ ଏ କ୍ଷେତ୍ରରେ ରୁଷିଆ ସଂସ୍କରଣ ଏକ ନୂଆ କୀର୍ତିମାନ କରିଛି। ଶେଷ ଥର ପାଇଁ ୧୯୫୪ ସଂସ୍କରଣରେ ସର୍ବାଧିକ ୨୬ ମ୍ୟାଚ୍‌ ପର୍ଯ୍ୟନ୍ତ ଗୋଟିଏ ବି ଗୋଲ୍‌ଶୂନ୍ୟ ମ୍ୟାଚ୍‌ ଦେଖିବାକୁ ମିଳିନଥିଲା। ଯାହା ଶନିବାର ପଛରେ ପଡ଼ିଯାଇଛି।
ସ୍ପର୍ତକ, ୨୩|୬: ଚଳିତ ଫିଫା ବିଶ୍ୱକପ୍‌ରେ ସବୁଠୁ ଅଧିକ ଗୋଲ୍‌ବର୍ଷା ମ୍ୟାଚ୍‌ ଦେଖିବାକୁ ମିଳିଛି ଶନିବାର। ମୋଟ ୭ ଗୋଲ୍‌ ସ୍କୋର୍‌ ହୋଇଥିବା ବେଳେ ବେଲ୍‌ଜିୟମ୍‌ ୫-୨ ଗୋଲ୍‌ରେ ଟ୍ୟୁନିସିଆକୁ ହରାଇ ଗ୍ରୁପ୍‌ ‘ଜି’ରୁ ପ୍ରିକ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଛି। ବେଲ୍‌ଜିୟମ୍‌ ପାଇଁ ଅଧିନାୟକ ଇଡେନ୍‌ ହାଜାର୍ଡ ଏବଂ ତାରକା ଅଗ୍ରଭାଗ ଖେଳାଳି ରୋମେଲୁ ଲୁକାକୁ ୨ ଲେଖାଏଁ ଗୋଲ୍‌ ଦେଇ ଏହି ମ୍ୟାଚ୍‌ରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛନ୍ତି। ଚଳିତ ସଂସ୍କରଣରେ ଲୁକାକୁ ମଧ୍ୟ ମୋଟ ୪ ଗୋଲ୍‌ ଦେଇ କ୍ରିିଷ୍ଟିଆନୋ ରୋନାଲ୍‌ଡୋଙ୍କ ସହ ସୁନା ଜୋତା ଦୌଡ଼ରେ ସାମିଲ ହୋଇଛନ୍ତି।
ଶନିବାରର ବିଜୟ ସହିତ ପ୍ରଥମ ଥର ପାଇଁ ବେଲ୍‌ଜିୟମ୍‌ ଗୋଟିଏ ମ୍ୟାଚ୍‌ରେ ୫ ଗୋଲ୍‌ ଦେଇଥିଲା। ବେଲ୍‌ଜିୟମ୍‌ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରେ ମୋଟ ୧୧ ମ୍ୟାଚ୍‌ରେ ଅପରାଜିତ ରହିଲା। ଅନ୍ୟପକ୍ଷରେ ଟ୍ୟୁନିସିଆ ବିଗତ ୧୩ ବିଶ୍ୱକପ୍‌ ମ୍ୟାଚ୍‌ରୁ ଗୋଟିଏ ବି ଜିତି ନପାରି ନିରାଶାଜନକ ଧାରାକୁ ଆଗକୁ ନେଇଗଲା। ଶନିବାରର ୫-୨ ବ୍ୟବଧାନ ମଧ୍ୟ ବିଶ୍ୱକପ୍‌ ଇତିହାସରେ ନବମ ଥର ଘଟିଛି। ଶେଷ ଥର ପାଇଁ ୨୦୧୪ ମସିହାରେ ଫ୍ରାନ୍‌ସ ୫-୨ରେ ସ୍ୱିଜରଲାଣ୍ଡ୍‌କୁ ପରାସ୍ତ କରିଥିଲା। ସେହିଭଳି ବେଲଜିୟମ୍‌ ନିଜେ ମଧ୍ୟ ୧୯୩୪ ମସିହାରେ ଜର୍ମାନି ନିକଟରୁ ବରିଥିବା ୨-୫ ପରାଜୟ ଦୁଃଖକୁ ମନରୁ ଲିଭାଇ ଦେଇଥିଲା। ସ୍ପାର୍ତକ୍‌ ଷ୍ଟାଡିୟମ୍‌ରେ ଶନିବାର ୪୪,୧୯୦ ଜଣ ଦର୍ଶକଙ୍କ ସମ୍ମୁଖରେ ଖେଳାଯାଇଥିବା ଏହି ମ୍ୟାଚ୍‌ ପ୍ରଥମ ୧୮ ମିନିଟ୍‌ ଭିତରେ ୩ ଗୋଲ୍‌ ଦେଖାଇଥିଲା। ଷଷ୍ଠ୍‍ ମିନିଟ୍‌ରେ ବେନ୍‌ ୟୁସୁଫଙ୍କ ଫାଉଲ୍‌ର ଶିକାର ହୋଇ ଇଦେନ୍‌ ହାଜାର୍ଡ ପେନାଲ୍‌ଟିରୁ ନିଜର ପ୍ରଥମ ବିଶ୍ୱକପ୍‌ ଗୋଲ୍‌ ଦେଇଥିଲେ। ଏହି ସମୟରେ ବେଞ୍ଚ୍‌ରେ ବସିଥିବା ତାଙ୍କ ସାନ ଭାଇ ଥର୍ଗାନ କୁଦା ମାରିଥିଲେ। ୧୦ ମିନିଟ୍‌ ପରେ ରାମୁଲୁ ଲୁକାକୁ ଏକ ଚମତ୍କାର ଗୋଲ୍‌ ଦେଇ ବେଲ୍‌ଜିୟମ୍‌କୁ ୨-୦ରେ ଆଗୁଆ କରାଇ ଦେଇଥିଲେ। କିନ୍ତୁ ମାତ୍ର ୨ ମିନିଟ୍‌ ପରେ ଡାଏଲନ୍‌ ବ୍ରାଉନ୍‌ଙ୍କ ଗୋଲ୍‌ ଟ୍ୟୁନିସିଆକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ ମଧ୍ୟ ଦଳ ବେଲ୍‌ଜିୟମ୍‌ର ଚାପ ଆଗରେ ହାର ମାନିଥିଲା। ପ୍ରଥମାର୍ଧର ସମ୍ପ୍ରସାରିତ ସମୟ (୪୫+୩ ମିନିଟ୍‌)ରେ ଲୁକାକୁ ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଚଳିତ ସଂସ୍କରଣର ଚତୁର୍ଥ ଗୋଲ୍‌ ଦେଇ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ସହ ମିଳିତ ଅଗ୍ରଣୀ ହୋଇଥିଲେ। ଏଥି ସହିତ ୫ ବିଶ୍ୱକପ୍‌ ଗୋଲ୍‌ ପାଇ ଦେଶର ମାର୍କ ଓ୍ଵିଲ୍‌ମଟ୍‌ସଙ୍କ କୀର୍ତିମାନର ସମକକ୍ଷ ହୋଇଥିଲେ। ପ୍ରଥମାର୍ଧରେ ୩-୧ରେ ଆଗୁଆ ରହିବା ପରେ ବେଲ୍‌ଜିୟମ୍‌ ପାଇଁ ଦ୍ୱିତୀୟାର୍ଧର ଆକ୍ରମଣାତ୍ମକ ଫୁଟ୍‌ବଲ୍‌ ଅଧିକ ଆକର୍ଷଣୀୟ ହୋଇଥିଲା। ଇଡେନ୍‌ ହାଜାର୍ଡ ଏକ ଚମତ୍କାର ତଥା ନିୟନ୍ତ୍ରିତ ଗୋଲ୍‌ ଦେଇଥିଲେ। ଏହି ମାଞ୍ଚେଷ୍ଟର୍‌ ୟୁନାଇଟେଡ୍‌ ତାରକାଙ୍କୁ କେଭିନ୍‌ ଡି ବ୍ରୁଇନ୍‌ ଦେଇଥିବା ସୁଯୋଗକୁ ସେ ୫୧ତମ ମିନିଟ୍‌ରେ ଗୋଲ୍‌ରେ ପରିଣତ କରିଥିଲେ। ପରବର୍ତୀ ୪୦ ମିନିଟ୍‌ ଗୋଲ୍‌ର ଦେଖା ନଥିଲା। କିନ୍ତୁ ଶେଷ ୩ ମିନିଟ୍‌ରେ ୨ ଗୋଲ୍‌ ବର୍ଷିଥିଲା। ବଦଳ ଖେଳାଳି ଭାବେ ଆସିଥିବା ମିଚି ବାତସୁଆୟି (୯୦ ମିନିଟ୍‌)ଙ୍କ ଗୋଲ୍‌ ଟ୍ୟୁନିସିଆକୁ ହତାଶ କରି ଦେଇଥିଲା। କିନ୍ତୁ ୯୩ତମ ମିନିଟ୍‌ରେ ଓ୍ଵାଭି ଖଜ୍ରୀଙ୍କ ଗୋଲ୍‌ ସହିତ ଦଳକୁ ୨-୫ ପରାଜୟରେ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ହାଜାର୍ଡ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର