ବେଙ୍ଗାଲୁରୁ-ଇଷ୍ଟ୍‍ବେଙ୍ଗଲ୍‌ ଫାଇନାଲ୍‌:୧୦ ଜଣିଆ ବେଙ୍ଗାଲୁରୁ ୪-୨ରେ ବାଗାନକୁ ହରାଇଲା

ମିକୁଙ୍କ ହ୍ୟାଟ୍ରିକ୍‌, ଡିକାଙ୍କ ଡବଲ୍‌: ଶୁକ୍ରବାର ଫାଇନାଲ୍‌

ଭୁବନେଶ୍ୱର: ଚଳିତ ସୁପର୍‌ କପ୍‌ର ନକ୍‌ ଆଉଟ୍‌ ପର୍ଯ୍ୟାୟରେ ସବୁଠାରୁ ବଡ଼ ପ୍ରତ୍ୟାବର୍ତନ ମୁକାବିଲା ଦେଖିବାକୁ ମିଳିଥିଲା ମଙ୍ଗଳବାର। ମୋହନ ବାଗାନ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ୍‌ରେ ପ୍ରଥମାର୍ଧ ସୁଦ୍ଧା ଗୋଟିଏ ଗୋଲ୍‌ରେ ପଛରେ ପଡ଼ିଯିବା ଏବଂ ଦ୍ୱିତୀୟାର୍ଧ ପ୍ରାରମ୍ଭରୁ ଲାଲ୍‌ କାର୍ଡରେ ଜଣଙ୍କୁ ହରାଇବା ସତ୍ତ୍ୱେ ୧୦ ଜଣିଆ ବେଙ୍ଗାଲୁରୁ ଏଫ୍‌ସି ଏକାଥରକେ ୪ ଗୋଲ୍‌ ଦେଇ ଫାଇନାଲ୍‌ରେ ପହଞ୍ଚିଗଲା। ପ୍ରତିପକ୍ଷ ମୋହନ ବାଗାନ ୨-୪ରେ ହାରିଯିବା ଫଳରେ କଳିଙ୍ଗ ଦର୍ଶକ ଶୁକ୍ରବାରର ଫାଇନାଲ୍‌ରେ କୋଲ୍‌କାତା ବନାମ କୋଲ୍‌କାତା ଲଢ଼େଇ ଦେଖିବାରୁ ବଞ୍ଚିତ ହେଲେ। କିନ୍ତୁ ସୁନୀଲ ଛେତ୍ରୀଙ୍କ ଦଳର ମଙ୍ଗଳବାର ମୁକାବିଲା ସେମାନଙ୍କୁ ଏକ ଚମତ୍କାର ଫୁଟ୍‌ବଲ୍‌ର ନିଖୁଣ ନିଦର୍ଶନ ଦେଖାଇଥିଲା। ଦୁଇ ବିଦେଶୀ ଖେଳାଳି ଭେନଜୁଏଲାର ମିକୁଙ୍କ ହ୍ୟାଟ୍ରିକ୍‌, କାମେରୁନ୍‌ର ଦୀପନ୍ଦା ଡିକାଙ୍କ ଡବଲ୍‌ ସହିତ ସୁନୀଲ ଛେତ୍ରୀଙ୍କ ଆକର୍ଷଣୀୟ ଗୋଲ୍‌ ମ୍ୟାଚ୍‌ର ଦ୍ୱିତୀୟାର୍ଧକୁ ଅଧିକ ରୋମାଞ୍ଚଭରା କରି ଦେଇଥିଲା। ପ୍ରଶଂସକଙ୍କ ପଇସା ଅସୁଲ୍‌ ହୋଇଯାଇଥିଲା।
କଳିଙ୍ଗ ଷ୍ଟାଡିୟମ୍‌ରେ ମଙ୍ଗଳବାର ସୁପର୍‌ କପ୍‌ର ଦ୍ୱିତୀୟ ସେମିଫାଇନାଲ୍‌ରେ ଚଳିତ ଋତୁର ଦୁଇ ଦ୍ୱିତୀୟ ଶ୍ରେଷ୍ଠ ଭାରତୀୟ ଦଳ ମୁହାଁମୁହିିଁ ହୋଇଥିଲେ। ଆଇଏସ୍‌ଏଲ୍‌ ଉପ ବିଜେତା ବେଙ୍ଗାଲୁରୁ ଏଫ୍‌ସି ଏବଂ ଆଇ ଲିଗ୍‌ ଉପ ବିଜେତା ମୋହନ ବାଗାନ ପରସ୍ପର ମୁକାବିଲାର ନବୀକରଣ କରିଥିଲେ। ଅତୀତ ମୁକାବିଲାରେ ବେଙ୍ଗାଲୁରୁର ପ୍ରାଧାନ୍ୟ ରହିଥିଲେ ମଧ୍ୟ ମୋହନ ବାଗାନ ଗତବର୍ଷ ଫେଡେରେସନ୍‌ କପ୍‌ ଫାଇନାଲ୍‌ ପରାଜୟ ପ୍ରତିଶୋଧ ନେବାକୁ ଆଶା ରଖିଥିଲା। ପ୍ରଥମାର୍ଧରେ ମଧ୍ୟ ମୋହନ ବାଗାନ ପ୍ରାଧାନ୍ୟ ବିସ୍ତାର କରିଥିଲା ଏବଂ ୧-୦ରେ ଅଗ୍ରଣୀ ନେବାର ହକ୍‌ଦାର ଥିଲା। ଏକମାତ୍ର ଗୋଲ୍‌ଟି ଦେଇଥିଲେ ଆସେର୍‌ ପିଏରିକ୍‌ ଦୀପନ୍ଦା ଡିକା। ୪୨ ମିନିଟ୍‌ରେ ବାମପାର୍ଶ୍ୱରୁ ନିଖିଲ କଦମଙ୍କ ହେଡରରୁ ଆସିଥିବା ବଲ୍‌କୁ ଗୋଲ ମୁହାଁ କରିଦେବାରେ ଡିକା କୌଣସି ତ୍ରୁଟି କରିନଥିଲେ।
ଭୁବନେଶ୍ୱରରେ ୪୦ ଡିଗ୍ରି ତାପମାତ୍ରାରେ ପ୍ରଥମାର୍ଧ ବିତିଯିବା ପରେ ଦ୍ୱିତୀୟାର୍ଧ କିନ୍ତୁ ଥିଲା ସମ୍ପୂର୍ଣ ଘଟଣାବହୁଳ ଏବଂ ନାଟକୀୟ। ଗରମ କମିଥିଲା କିନ୍ତୁ ଖେଳରେ ଉଷ୍ମତା ଚରମ ସୀମା ଛୁଇଁଥିଲା। ୪୯ତମ ମିନିଟ୍‌ରେ ନିଖିଲ କଦମ ଏକା ଏକା ବଲ୍‌ ନେଇ ବେଙ୍ଗାଲୁରୁ ଏଫ୍‌ସି ଗୋଲ୍‌ପୋଷ୍ଟ ଆଡ଼କୁ ଅଗ୍ରସର ହେଉଥିଲେ। କିନ୍ତୁ ତାଙ୍କୁ ପଶ୍ଚାତଧାବନ କରୁଥିବା ନିଶୁ କୁମାର ବିପଜ୍ଜନକ ଫାଉଲ୍‌ ପାଇଁ ଲାଲ୍‌ କାର୍ଡ଼ ପାଇବା ଫଳରେ ବାଙ୍ଗାଲୋର ଅଡୁଆ ବଢ଼ିଯାଇଥିଲା। ଏମିତି ବି ମ୍ୟାଚ୍‌ ଆରମ୍ଭର ମାତ୍ର କିଛି ମିନିଟ୍‌ ପୂର୍ବରୁ ଅଭ୍ୟାସ ବେଳେ ଆହତ ସ୍ପେନୀୟ ତାରକା ଜୁଆନ୍‌ ଆଣ୍ଟୋନିଓ ଗଞ୍ଜାଲେଜ୍‌ ଫର୍ନାଣ୍ଡଜ୍‌ଙ୍କୁ ଘୋଷିତ ଚୂଡାନ୍ତ ଏକାଦଶରୁ ବାଦ୍‌ ଦିଆଯାଇଥିଲା। ଦୁଇ ଦୁଇଟି ଝଟ୍‌କା ସତ୍ତ୍ୱେ ବେଙ୍ଗାଲୁରୁ ପୁଣି ଥରେ ନିଜର ଉତ୍ତମ ରଣ କୌଶଳ ନେଇ ଆଗକୁ ବଢ଼ିଥିଲା। ୧୦ ଜଣରେ ମ୍ୟାଚ୍‌ର ପ୍ରାୟ ସମ୍ପୂର୍ଣ୍ଣ ଦ୍ୱିତୀୟାର୍ଧକୁ ଖେଳିଥିବା ଆଲବର୍ଟ ରୋକାଙ୍କ ଦଳ ଅଧିକ ଆକ୍ରାମକ ଏବଂ କୁଶଳୀ ଲାଗିଥିଲେ। ସୁନୀଲ ଛେତ୍ରୀ ଏକାଧିକ ଗୋଲ୍‌ ସୁଯୋଗ ସୃଷ୍ଟି କରି ବଞ୍ଚିତ ହୋଇଥିଲେ। କିନ୍ତୁ ୬୨ ଓ ୬୫ତମ ମିନିଟ୍‌ରେ ଅଗ୍ରପନ୍ଥୀ ଖେଳାଳି ଭେନଜୁଏଲାର ମିକୁ ଲଗାତାର ଗୋଲ୍‌ ଦେଇ ମ୍ୟାଚ୍‌ରେ ରୋମାଞ୍ଚ ଓ ଉତ୍କଣ୍ଠା ଭରି ଦେଇଥିଲେ। ପ୍ରଥମ ଗୋଲ୍‌ରେ ଅବଶ୍ୟ ସୁନୀଲ ଛେତ୍ରୀଙ୍କ ସହାୟତା ରହିଥିଲା। ୮୮ତମ ମିନିଟ୍‌ରେ ଅଗ୍ରଭାଗ ଖେଳାଳି ଉଦାନ୍ତ ସିଂହଙ୍କୁ ମୋହନ ବାଗାନର ମଧ୍ୟପନ୍ଥୀ ଗରମି ରାଣାଙ୍କ ଫାଉଲ୍‌ ବେଙ୍ଗାଲୁରୁକୁ ସ୍ପଟ୍‌ କିକ୍‌ ସୁଯୋଗ ଦେଇଥିଲା। ଯାହାକୁ ମିକୁ ଗୋଲ୍‌ରେ ପରିଣତ କରି ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ବେଙ୍ଗାଲୁରୁ ୩-୧ରେ ଆଗୁଆ ହୋଇଯାଇଥିଲା। ଏତିକିରେ ମୋହନ ବାଗାନର ଦୁର୍ଦ୍ଦଶା ଯାଇ ନ ଥିଲା। ଇନ୍‌ଜୁରି ସମୟରେ ଅଧିନାୟକ ସୁନୀଲ ଛେତ୍ରୀ (୯୧ ମିନିଟ୍‌) ପ୍ରଶଂସକଙ୍କ ପସନ୍ଦର ଗୋଲ୍‌ ଦେଇଥିଲେ। ପେନାଲଟି ବକ୍ସର ବାହାରୁ ସେ ମାରିଥିବା ସଟ୍‌ଟି ଉପରୁ ଘୁରି ଘୁରି ବାଗାନ୍‌ ଗୋଲି ସିଲଟନ ପଲ୍‌ଙ୍କୁ ଚକମା ଦେଇଥିଲା। ଏହି ଗୋଲ୍‌ ପରେ କଳିଙ୍ଗ ଷ୍ଟାଡିୟମ୍‌ର ବାଗାନ୍‌ ପ୍ରଶଂସକ ପଡ଼ିଆ ଛାଡ଼ିଥିବାବେଳେ ବେଙ୍ଗାଲୁରୁ ପ୍ରଶଂସକ ଉଛୁଳି ଉଠିଥିଲେ। ଇନ୍‌ଜ୍ୟୁରି ସମୟରେ ଡିକା (୯୩ ମିନିଟ୍‌) କେବଳ ଏକ ସାନ୍ତ୍ୱନାମୂଳକ ଗୋଲ୍‌ ଦେଇଥିଲେ ମଧ୍ୟ ଏହା ଫଳାଫଳକୁ ପ୍ରଭାବିତ କରିବାକୁ ବହୁ ବିଳମ୍ବ ହୋଇଯାଇଥିଲା। ଏବେ ଶୁକ୍ରବାର ଅପରାହ୍‌ଣ ୪ଟାରେ ଦକ୍ଷିଣୀ ଦଳ ବେଙ୍ଗାଲୁରୁ ଏଫ୍‌ସି ଏବଂ ପୂର୍ବାଞ୍ଚଳ ଶକ୍ତି ଇଷ୍ଟ୍‍ବେଙ୍ଗଲ୍‌ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ମଙ୍ଗଳବାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ମିକୁଙ୍କୁ ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର