ଗବ୍ଦରଙ୍କୁ ମିଳିଲା ସବୁଠୁ ବଡ଼ ପ୍ରଶଂସକ

ଇନ୍ଦୋର: ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ଷ୍ଟାଇଲିସ୍‌ ଦାଢ଼ି ପାଇଁ ସାରା ଦେଶରେ ଶିଖର ଧଓ୍ଵନ୍‌ (ଗବ୍ଦର ନାମରେ ପରିଚିତ)ଙ୍କ କ୍ରିକେଟ୍‌ ପ୍ରଶଂସକ ବଢ଼ି ଚାଲିଛି। ଭାରତୀୟ ଦଳ ଏବଂ ଆଇପିଏଲ୍‌ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦର ଏହି ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ଙ୍କ ବ୍ୟକ୍ତିତ୍ୱ ମଧ୍ୟ ଖୁବ୍‌ ଉଚ୍ଚରେ ରହିଛି। ରବିବାର ଧଓ୍ଵନ୍‌ ତାଙ୍କର ଜଣେ ପ୍ରଶଂସକ ଶଙ୍କରଙ୍କ ପ୍ରଶଂସାରେ ଅଭିଭୁତ ହୋଇପଡ଼ିଛନ୍ତି। ଏପରିକି ଶଙ୍କର ତାଙ୍କର ଜଣେ ବୃହତ୍‌ ପ୍ରଶଂସକ ବୋଲି ଧଓ୍ଵନ୍‌ ଟ୍ଵିଟର୍‌ରେ ଏକ ଭାବବିହ୍ଵଳ ଲେଖା ଛାଡ଼ିଛନ୍ତି। ଧାଓ୍ଵାନ୍‌ଙ୍କ ପାଇଁ ସୁଦୂର ବାଙ୍ଗାଲୋରରୁ ଶଙ୍କର ନିଜ ପତ୍ନୀ, ପୁଅ ଏବଂ ଝିଅକୁ ସାଥୀରେ ଧରି ହାଇଦ୍ରାବାଦରେ ପହଞ୍ଚିଛନ୍ତି। ଶଙ୍କର ଓ ତାଙ୍କ ପରିବାର ସକାଳୁ ସକାଳୁ ବିମାନ ବନ୍ଦରରୁ ସିଧା ଧଓ୍ଵାନ୍‌ ରହୁଥିବା ହୋଟେଲ୍‌ରେ ପହଞ୍ଚି ତାଙ୍କୁ ସାକ୍ଷତ କରିଥିଲେ। ଶଙ୍କରଙ୍କ ପରିବାର ସହ ଧାଓ୍ଵନ୍‌ ଫଟୋ ଉଠାଇବା ସାଙ୍ଗକୁ ଏହାକୁ ନିଜ ଇଷ୍ଟାଗ୍ରାମ୍‌ ପୃଷ୍ଠାରେ ଛାଡ଼ିଥିଲେ। ଏମାନଙ୍କ ସହ ମିଶି ମୁଁ ବହୁତ ଖୁସି। ମୋତେ ସମର୍ଥନ କରୁଥିବାରୁ ଶଙ୍କର ଏବଂ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ବୋଲି ଇନ୍‌ଷ୍ଟାଗ୍ରାମରେ ପ୍ରକାଶ କରିଥିଲେ ଧଓ୍ଵନ୍‌। ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନରେ ରହିଥିଲେ ମଧ୍ୟ ଗବ୍ଦର ଏ ପର୍ଯ୍ୟନ୍ତ କରିସ୍ମା ଦେଖାଇ ପାରି ନାହାନ୍ତି। ସେ ଏପର୍ଯ୍ୟନ୍ତ ୮ ମ୍ୟାଚ୍‌ରୁ ମାତ୍ର ୧୮୫ ରନ୍‌ କରିପାରିଛନ୍ତି। ଏପରି ପ୍ରଦର୍ଶନ ସତ୍ୱେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କମିନାହିଁ। ତାଙ୍କ ପ୍ରତି ଥିବା ପ୍ରଶଂସକଙ୍କ ଭରସା ଏବେ ମଧ୍ୟ ଅତୁଟ ରହିଛି।

ସମ୍ବନ୍ଧିତ ଖବର