ମନୋଜ ସ୍ମାରକୀ କ୍ରିକେଟ୍‌ ସେମିରେ ଭଦ୍ରକ ୟୁନାଇଟେଡ଼ କ୍ଲବ୍‌

ବାସୁଦେବପୁର: ବାସୁଦେବପୁର ଲର୍ଡ ପ୍ରସନ୍ନ କ୍ଲବ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ମନୋଜ ସ୍ମାରକୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ବାସୁଦେବପୁର ଉତ୍କଳିକା ସ୍ପୋର୍ଟିଂକୁ ୫ ଉଇକେଟ୍‌ରେ ହରାଇ ଭଦ୍ରକ ୟୁନାଇଟେଡ କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି। ଆଜି ସକାଳେ ୟୁନାଇଟେଡ କ୍ଲବ ଟସ୍‌ ଜିଣି ଉତ୍କଳିକାକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ ୨୫ ଓଭର ମ୍ୟାଚରେ ଉତ୍କଳିକା ୨୪.୩ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୧୭୬ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ୟୁନାଇଟେଡ କ୍ଲବର କ୍ଷମା ସାଗରଙ୍କଧୂଆଁଧାର ୭୨ରନ୍‌ ସହାୟତାରେ ଦଳ ମାତ୍ର ୧୮ଓଭର ମଧ୍ୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଆଜିର ଉଦ୍‌ଘାଟନୀ ଖେଳରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କାଉନସିଲର ମାନସ ରଂଜନ ସାହୁ, ଅମିନୁଦ୍ଦିନ ଖାଁ ଓ କ୍ଲବର ସଭାପତି ଗୌତ୍ତମ ବେହେରା ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚଟିକୁ ଜ୍ଞାନେନ୍ଦ୍ର ଦାସ ଓ ଶରତ ଯେନା ପରିଚାଳନା କରିଥିବା ବେଳେ ପରେଶ ଚାନ୍ଦ ଓ ଟୁଟନ ବାରିକ ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍କୋରର ଭାବେ ସୁବ୍ରତ କୁମାର ସାହୁ, ଶରତ ନାୟକ ଦାଇତ୍ୱ ତୁଲାଇ ଥିଲେ। କ୍ଲବର ବରିଷ୍ଠ ସଦସ୍ୟ ଶୀତିକଣ୍ଠ ବାରିକ, ସୁଶାନ୍ତ ସେଠୀ, ସୁରେଶ ଚାନ୍ଦ, ନରେନ୍ଦ୍ର ସେଠୀ, ଉଦୟ ବେହେରା, ସିନ୍ଧାନ୍ତ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତାକାଲି ଦ୍ୱିତୀୟ ଦିବସ ଖେଳରେ ଯାଜପୁର ଏକାଦଶ ଓ ବାଲେଶ୍ୱରର ୟୁ ଆଣ୍ଡ ମି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର