ଭୁବନେଶ୍ବର ଏସୀୟ ସ୍ବର୍ଣ୍ଣ ହରାଇବେ ମନପ୍ରୀତ୍

୪ ବର୍ଷ ନିଲମ୍ବିତ

ନୂଆଦିଲ୍ଲୀ: ଶକ୍ତିବର୍ଧକ ନିଶା ସେବନ‌ ପ୍ରସଙ୍ଗରେ ୨୦୧୭ ମସିହାରେ ୪ ଥର ଧରାପଡ଼ିଥିବା ଏସୀୟ ସଟ୍‌ପୁଟ୍‌ ବିଜୟିନୀ ମନପ୍ରୀତ୍ କଉରଙ୍କୁ ୪ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଏହି ନିଲମ୍ବନ କିନ୍ତୁ ପିଛିଲା ଭାବେ ୨୦୧୭ ମସିହା ଜୁଲାଇ ୨୦ ତାରିଖରୁ ଲାଗି ହେବ। କାରଣ ସେହି ତାରିଖରୁ ତାଙ୍କ ଉପରେ ସାମୟିକ ନିଲମ୍ବନ ଲାଗୁ ହୋଇଥିଲା। ନ୍ୟାସନାଲ୍‌ ଆଣ୍ଟି ଡୋପିଂ ଏଜେନସି (ନାଡ଼ା) ଅଧୀନରେ ଥିବା ନିଶା ବିରୋଧୀ ଶୃଙ୍ଖଳା ପ୍ୟାନେଲ ଏହି ଆଦେଶ ଦେଇଛି। ‘ହଁ ମନପ୍ରୀତ୍‌ଙ୍କୁ ୪ ବର୍ଷ ପାଇଁ ନିଲମ୍ବିତ କରାଯାଇଛି’ ବୋଲି ନାଡ଼ା ନିର୍ଦେଶକ ନବୀନ ଅଗ୍ରୱାଲ ପ୍ରକାଶ କରିଛନ୍ତି। ତଥାପି ମନପ୍ରୀତ୍ ଏହ‌ା ବିରୋଧରେ ଆବେଦନ କରିପାରିବେ। ଏଥି ସହିତ ୨୦୧୭ ମସିହାରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଜାତୀୟ କୀର୍ତିମାନ ସହିତ ସ୍ବର୍ଣ୍ଣ ପଦକ ଜିତିଥିବା ମନପ୍ରୀତ୍ ଏହାକୁ ହରାଇବେ। ୨୦୧୭ ମସିହାରେ ମନପ୍ରୀତ୍‌ ୪ ଥର ନିଶା ‌ସେବନ ପରୀକ୍ଷାରେ ବିଫଳ ହୋଇଥିଲେ। ଚୀନର ଜୁନୁଆ ଏସୀୟ ଗ୍ରାଁ ପ୍ରି (ଏପ୍ରିଲ୍ ୨୪), ପାତିଆଲା ଫେଡେରେସନ୍‌ କପ୍ (ଜୁନ୍‌ ୧), ଭୁବନେଶ୍ବର ଏସୀୟ ଦୌଡ଼କୁଦ (ଜୁଲାଇ ୬) ଏବଂ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା (ଜୁଲାଇ ୧୬)ରେ ‌ସେ ଏହି ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ଉପରୋକ୍ତ ସମସ୍ତ ୪ ପ୍ରତିଯୋଗିତାରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଜିନୁଆରେ ୧୮.୮୬ ମିଟର୍ ସହ ଜାତୀୟ କୀର୍ତିମାନ ମଧ୍ୟ ପ୍ରତିଷ୍ଠା କରିଥିଲେ।

ସମ୍ବନ୍ଧିତ ଖବର