ଭୁବନେଶ୍ୱର ସ୍ମାର୍ଟ ସିଟି ବ୍ୟାଡ୍‌ମିଣ୍ଟନ:ଶ୍ରୁତିଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ବ୍ୟାଡ୍‌ମିଣ୍ଟନ୍‌ ସଂଘ ଆନୁକୂଲ୍ୟରେ ସହିଦ ନଗର ଇନ୍‌ଡୋର ହଲ୍‌ରେ ଆୟୋଜିତ ରାଜ୍ୟ ର‍୍ୟାଙ୍କିଂ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ୧୫ ବର୍ଷରୁ କମ୍‌ ବାଳକ ବର୍ଗରେ ଭୁବନେଶ୍ୱର ସାଇ ରିଜିଓନାଲ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମିର ଅଭିଜିତ୍‌ ମହାରଣା ପ୍ରଥମ, ଅମ୍ରିତ୍‌ ମହାନ୍ତି ଦ୍ୱିତୀୟ ରହିଥିଲା ବେଳେ ୧୭ ବର୍ଷରୁ କମ୍‌ ବାଳକରେ ସମ୍ବଲପୁରର ନନ୍ଦିଷ୍‌ ପୋଦ୍ଦାର ପ୍ରଥମ ଓ ସାଇ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମିର ଆୟୁଷ ଦାସ ଦ୍ୱିତୀୟ ସ୍ଥାନ ପାଇଥିଲେ। ୧୯ବର୍ଷରୁ କମ୍‌ ବାଳକ ବିଭାଗରେ ଭୁବନେଶ୍ୱରର ଆଦିତ୍ୟ କୁମାର ଦାସ ପ୍ରଥମ ଏବଂ ସମ୍ବଲପୁରର ନନ୍ଦିଷ୍‌ ପୋଦ୍ଦାର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

୧୭ ବର୍ଷରୁ କମ୍‌ ବାଳିକା ଓ ବରିଷ୍ଠ ବର୍ଗରେ ସାଇ ଏକାଡେମିର ଶ୍ରୁତି ସ୍ୱାଇଁ ପ୍ରଥମ ହୋଇ ଦ୍ୱିମୁକୁଟ ଲାଭ କରିଛନ୍ତି। ଏହି ଦୁଇବର୍ଗରେ ଯଥାକ୍ରମେ ସମ୍ବଲପୁରର ପୂର୍ବା ପ୍ରତ୍ୟୁଷା ପଣ୍ଡା ଏବଂ ଭୁବନେଶ୍ୱରର ଯଶସ୍ୱୀ ସାମଲ ଦ୍ୱିତୀୟ ସ୍ଥାନ ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ବ୍ୟାଡ୍‌ମିଣ୍ଟନ୍‌ ସଂଘର ସଂପାଦକ ତଥା ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସଂଘର ଯୁଗ୍ମ ସଂପାଦକ ପ୍ରଦୀପ ମହାନ୍ତି, ଓଡ଼ିଶା ଉଚ୍ଚ ନ୍ୟାୟାୟରର ଆଇନଜୀବୀ ଅସୀମ ଅମିତାଭ ଦାଶ, ଡିସିବି ବ୍ୟାଙ୍କ୍‌ର ଓଡ଼ିଶା କ୍ଲଷ୍ଟର ମୁଖ୍ୟ ଭଗବାନ ଓଝା, ସାଇ ରିଜିଓନାଲ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମିର ମୁଖ୍ୟ ପ୍ରଶିକ୍ଷକ ରୋମେନ୍‌ ଘୋଷ କୃତ୍ତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଉତ୍ସବରେ ସଂଘର ସମ୍ପାଦକ ସୁରେନ୍‌ କୁମାର ଜେନା ଓ ସଭାପତି ହିମାଂଶୁ କର ଉପସ୍ଥିତ ଥିଲେ। ସଂଘ ସଦସ୍ୟ ରମାକାନ୍ତ ଦାଶ ସଭା ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୮୦ଜଣ ପ୍ରତିଭାବାନ ଖେଳାଳି ଅଶଂଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର