୬୫ରୁ ଭୁବନେଶ୍ୱରରେ ୮

ଭୁବନେଶ୍ୱର: ଚଳିତ ବର୍ଷର ପ୍ରତିଯୋଗିତା ହେବ ବିଶ୍ୱ ହକି ଲିଗ୍‌ର ତୃତୀୟ ତଥା ଶେଷ ସଂସ୍କରଣ। ଏହା ପରେ ଏଫଆଇଏଚ୍‌ (ବିଶ୍ୱ ହକି ମହାସଂଘ) ଏହି ପ୍ରତିଯୋଗିତାକୁ ବନ୍ଦ କରିଦେବ ବୋଲି ଘୋଷଣା କରି ସାରିଛି। ବିଶ୍ୱ ହକି ଲିଗ୍‌ ସ୍ଥାନରେ ଏଫଆଇଏଚ୍‌ ନୂଆ ନାମ ଏବଂ ନୂତନ ପ୍ରଣାଳୀରେ ଆଉ ଏକ ପ୍ରତିଯୋଗିତାର ଆୟୋଜନ କରିବ ବୋଲି ସଂକେତ ଦେଇଛି। ସେହି ଦୃଷ୍ଟିରୁ ସିଙ୍ଗାପୁରରୁ ଆରମ୍ଭ ହୋଇ ଭୁବନେଶ୍ୱରରେ ଶେଷ ହେବାକୁ ଥିବା ବିଶ୍ୱ ହକି ଲିଗ୍‌ ୨୦୧୬-୧୭ର ମହତ୍ୱ ବଢ଼ି ଯାଇଛି। ବିଶ୍ୱ ହକି ଲିଗ୍‌-୩ ଗତବର୍ଷ ଏପ୍ରିଲ ୧୬ ତାରିଖରେ ସିଙ୍ଗାପୁରରେ ଉଦଘାଟିତ ହୋଇଥିଲା। ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ସିଙ୍ଗାପୁର ସମେତ ମୋଟ ୮ ସ୍ଥାନରେ ଖେଳା ଯାଇଥିଲା। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ୩ ଏବଂ ସେମିଫାଇନାଲ୍‌ ଦୁଇଟି ସ୍ଥାନ ଯଥା ଲଣ୍ଡନ ଏବଂ ଜୋହାନେସବର୍ଗରେ ଆୟୋଜିତ ହୋଇଥିଲା। ଏହି ସବୁ ପର୍ଯ୍ୟାୟରେ ମୋଟ ୬୫ ଦଳ ଅଂଶ ଗ୍ରହଣ କରିଥିଲେ। ଏଫଆଇଏଚ୍‌ ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ୧୧ ସ୍ଥାନରେ ଥିବା ଦଳ ସିଧାସଳଖ ସେମିଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ମାନ୍ୟତା ଅନୁସାରେ ଆର୍ଜେଣ୍ଟିନା, ଭାରତ, ନେଦରଲାଣ୍ଡ, ପାକିସ୍ତାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ବେଲଜିୟମ, ଜର୍ମାନି, ନ୍ୟୁଜିଲାଣ୍ଡ, ସ୍ପେନ୍‌ ସେମିଫାଇନାଲ୍‌ ଖେଳିଥିଲେ। ୧୨ରୁ ୨୦ତମ ସ୍ଥାନରେ ଥିବା ଦଳ ଦ୍ୱିତୀୟ ପର୍ଯ୍ୟାୟରୁ ଅଭିଯାନ ଆରମ୍ଭ କରିଥିଲେ। ନିଜ ନିଜ ଗ୍ରୁପର ପ୍ରଥମ ପର୍ଯ୍ୟାୟ ବିଜେତା ଭାବେ କାନାଡା, ଚୀନ, ମାଲେସିଆ, ସ୍କଟଲାଣ୍ଡ, ଇଜିପ୍ଟ, ଫ୍ରାନ୍ସ, ଜାପାନ, ଆୟର୍ଲାଣ୍ଡ ସେମିଫାଇନାଲରେ ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଯୋଗ ଦେଇଥିଲେ। ଏହି ଦଳଗୁଡ଼ିକ ମଧ୍ୟରୁ ଲଣ୍ଡନରେ ଖେଳା ଯାଇଥିବା ସେମିଫାଇନାଲରୁ ୩ ଏବଂ ଜୋହାନେସବର୍ଗରେ ଆୟୋଜିତ ସେମିଫାଇନାଲରୁ ୪ ଦଳ ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଭାରତ ଆୟୋଜକ ଦେଶ ଭାବେ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଏଣୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଫାଇନାଲ୍‌ ପର୍ଯ୍ୟାୟରେ ଭାରତ ସହ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଇଂଲଣ୍ଡ, ଜର୍ମାନି, ନେଦରଲାଣ୍ଡ ଏବଂ ସ୍ପେନ୍‌ ସହ ଭାରତ ଟ୍ରଫି ଜିତିବା ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବେ।

ସମ୍ବନ୍ଧିତ ଖବର