ଭୁବନେଶ୍ବର: ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆସନ୍ତାବର୍ଷ ଭୁବନେଶ୍ବରରେ ଆୟୋଜିତ ହେବ। ଏହି କ୍ରୀଡ଼ା କିଟ୍ ଡିମ୍ଡ ବିଶ୍ବବିଦ୍ୟାଳୟରେ ୨୦୨୦ ଫେବ୍ରୁଆରି ୨୨ରୁ ମାର୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶେଷକରି ଜାତୀୟସ୍ତରରେ ପ୍ରତିଭା ଚିହ୍ନଟ ସାଙ୍ଗକୁ ଅଲିମ୍ପିକ୍, ରାଜ୍ୟଗୋଷ୍ଠୀ, ଏସୀୟ କ୍ରୀଡ଼ା ଭଳି ବଡ଼ ବଡ଼ ପ୍ରତିଯୋଗିତାରେ ଦେଶ ପାଇଁ ପଦକ ଜିତିବା ଦିଗରେ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜନ କରାଯିବ। ଆଉ ପ୍ରଥମ ଥର ଲାଗି ଓଡ଼ିଶା ଏଭଳି ଏକ ବହୁ ଶୃଙ୍ଖଳା କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। ଏହି କ୍ରୀଡ଼ାରେ ୧୫ ଇଭେଣ୍ଟ (ତୀରନ୍ଦାଜି, ଦୌଡ଼କୁଦ, ମୁଷ୍ଟିଯୁଦ୍ଧ, ଫେନ୍ସିଂ, ଜୁଡୋ, ସନ୍ତରଣ, ଭାରୋତ୍ତୋଳନ, କୁସ୍ତି, ବ୍ୟାଡ୍ମିଣ୍ଟନ, ବାସ୍କେଟ୍ବଲ୍, ଫୁଟ୍ବଲ୍, ହକି, ଟେବୁଲ ଟେନିସ୍, ଟେନିସ୍ ଓ ଭଲିବଲ୍) ସାମିଲ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବରରେ ଆୟୋଜିତ କ୍ରୀଡ଼ାରେ ୬୦୦୦ରୁ ଅଧିକ ଆଥ୍ଲେଟ୍ ଓ ଅଧିକାରୀ ଭାଗନେବେ। ସେମାନଙ୍କ ମଧ୍ୟରେ ୩୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ସାମିଲ ରହିବେ। ବ୍ୟକ୍ତିଗତ କ୍ରୀଡ଼ାରେ ପ୍ରତି ବର୍ଗରେ ଶ୍ରେଷ୍ଠ ୮ ଖେଳାଳି ଏବଂ ଦଳଗତ କ୍ରୀଡ଼ାରେ ଶ୍ରେଷ୍ଠ ୮ ଦଳ ଅଂଶଗ୍ରହଣ କରିବେ। ଏହି ସମ୍ମାନଜନକ ପ୍ରତିଯୋଗିତାକୁ ବିଭିନ୍ନ ଜାତୀୟ କ୍ରୀଡ଼ା ସଂଘର ଅଧିକାରୀମାନେ ପରିଚାଳନା କରିବେ। କିଟ୍କୁ ଏହି କ୍ରୀଡ଼ାସ୍ଥଳ ଭାବେ ବାଛିବା ପୂର୍ବରୁ କେନ୍ଦ୍ର କ୍ରୀଡ଼ା ସଚିବ, ସାଇ’ର ମହାସଚିବଙ୍କ ସହିତ ଏକ ୭ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ବର ପରିଦର୍ଶନରେ ଆସି କିଟ୍ ଓ କିସ୍ କ୍ୟାମ୍ପସ୍ରେ ଆନୁଷଙ୍ଗିକ ଭିତ୍ତିଭୂମି ଓ ସୁବିଧାସୁଯୋଗ ଉପରେ ବେଶ୍ ସନ୍ତୋଷ ପ୍ରକଟ କରିଥିଲେ। ଏ ନେଇ କିଟ୍ ଓ କିସ୍ର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ‘ସାଇ’କୁ ଧନ୍ୟବାଦ ଜଣାଇବା ସହ ଏହା କିଟ୍ ବିଶ୍ବବିଦ୍ୟାଳୟ ପାଇଁ ଏକ ବୃହତ୍ ସୁଯୋଗ ବୋଲି କହିଛନ୍ତି।