ଭୁବନେଶ୍ୱର-ନୁପୂରଙ୍କ ବାହାଘର ୨୩ରେ

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଚଳିତ ମାସ ୨୩ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ମିରଟ୍‌ରେ ଏକ ନିରାଡମ୍ବର ଉତ୍ସବରେ ବାନ୍ଧବୀ ନୁପୂର ନାଗରଙ୍କ ହାତ ଧରିବେ ଭୁବନେଶ୍ୱର। ଉଭୟ ଭୁବନେଶ୍ୱର ଓ ନୁପୂରଙ୍କ ପରିବାର ମିରଟ୍‌ର ଗଙ୍ଗା ନଗରରେ ପଡ଼ୋଶୀ ଭାବେ ରହି ଆସୁଛନ୍ତି। ନୁପୂର ଏବେ ଗ୍ରେଟର ନୋଇଡାସ୍ଥିତ ଏକ କମ୍ପାନିରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ତାଙ୍କ ବାପା ୟଶ୍‌ପାଲ୍‌ ସିଂହ ନାଗର ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ। ଉଭୟ ପରିବାର ପକ୍ଷରୁ ଶନିବାର ବିବାହ ଓ ଭୋଜିି ଦିନ ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି। ବିବାହ ଉତ୍ସବ ପରେ ଆସନ୍ତା ୨୬ ଓ ୩୦ ତାରିଖରେ ଦୁଇଟି ନୈଶ୍ୟ ଭୋଜି ଉତ୍ସବ ଯଥାକ୍ରମେ ବୁଲାନ୍ଦ୍‌ସହର ଓ ଦିଲ୍ଲୀରେ ଆୟୋଜନ କରାଯିବ। ଦ୍ୱିତୀୟ ଭୋଜି ବିଶେଷକରି ଭୁବନେଶ୍ୱରଙ୍କ ରାଜ୍ୟ ଓ ଜାତୀୟ ଖେଳସାଥୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି। ପୁଅର ବିବାହ ପାଇଁ ଆମେ ୧୦ ଦିନ ଫାଙ୍କା ସମୟ ଚାହୁଁଥିଲୁ। ତେଣୁ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାର ଦ୍ୱିତୀୟ ଟେଷ୍ଟ ପୂର୍ବ ଦିନ (୨୩ ତାରିଖ) ବିବାହ ଉତ୍ସବ ଠିକ୍‌ କରିଛୁ ବୋଲି ଭୁବନେଶ୍ୱର କୁମାରଙ୍କ ବାପା କୀରଣ ପାଲ୍‌ ସିଂହ କହିଛନ୍ତି। ମିରଟ୍‌ରେ ସେହିଦିନ ଆୟୋଜିତ ବିବାହ ଉତ୍ସବରେ କେବଳ ଉଭୟ ପରିବାରର ସଦସ୍ୟ ଓ ନିକଟତମ ସଂପର୍କୀୟ ଯୋଗଦେବେ। ଅବଶ୍ୟ ଭୁବନେଶ୍ୱରର ଦଳୀୟ ସାଥୀ ଓ ବିସିସିଆଇ ସଦସ୍ୟମାନେ ଏହି ଉତ୍ସବରେ ଯୋଗଦେବାକୁ ମଧ୍ୟ ଆମେ ଚାହିଁଥିଲୁ। ହେଲେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାରେ ସମସ୍ତେ ବ୍ୟସ୍ତ ଥିବାରୁ ଦିଲ୍ଲୀରେ ୩୦ ତାରିଖ ଦିନ ସେମାନଙ୍କ ପାଇଁ ଭୋଜି ବ୍ୟବସ୍ଥା କଲୁ ବୋଲି କୀରଣ ପାଲ୍‌ କହିଛନ୍ତି। ନାଗପୁରରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳିସାରି ପୂରା ଦଳ ଓ ବିସିସିଆଇ ଅଧିକାରୀମାନେ ଡିସେମ୍ବର ୨ରୁ ଦିଲ୍ଲୀରେ ତୃତୀୟ ଟେଷ୍ଟ ଖେଳିବା ପାଇଁ ଡେରା ପକାଇଥିବେ। ସେଥିପାଇଁ ୩୦ ତାରିଖରେ ସାଥୀ ଖେଳାଳି, ବିସିସିଆଇ ସଦସ୍ୟ ଓ ଉତ୍ତର ପ୍ରଦେଶ କ୍ରିକେଟ୍‌ ସଂଘର ସଦସ୍ୟମାନଙ୍କ ପାଇଁ ଭୋଜି ବ୍ୟବସ୍ଥା କରାଯାଇଥିବା ଭୁବନେଶ୍ୱରଙ୍କ ବାପା କହିଛନ୍ତି।

ସମ୍ବନ୍ଧିତ ଖବର