ଭୁବନେଶ୍ବର କ୍ରୀଡ଼ା ସାହିତ୍ୟ ମହୋତ୍ସବ ଉଦ୍‌ଯାପିତ, ତାରକା କହିଲେ ମନର କଥା

ୟୋ ୟୋ ଚୟନର ଏକ ମାତ୍ର ମାନଦଣ୍ଡ ନହେଉ

କ୍ରିକେଟ୍‌ କେବଳ ମାତ୍ର ଫିଟନେସ୍ କିମ୍ବା ଶାରିରୀକ ଦକ୍ଷତାର ଖେଳ ନୁହେଁ। ଏଥିରେ କୌଶଳର ଢେର ମହତ୍ବ ରହିଛି। ଜଣେ ଯେ‌ତେ ସୁସ୍ଥ ଥାଉ ନା କାହିଁକି, ତା ପାଖରେ ଯଦି କ୍ରିକେଟିଂ କଳା କୌଶଳ ନାହିଁ, ତାହାଲେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସଫଳ ହୋଇ ପାରିବ ନାହିଁ। ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବର ଦ୍ବିତୀୟ ଦିନରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। ହେଲେ ସାଂପ୍ରତିକ ସମୟରେ ଶାରିରୀକ ଦକ୍ଷତାର ସ୍ତର ପୂର୍ବାପେକ୍ଷା ବଢ଼ିଛି ବୋଲି ସେ ସ୍ବୀକାର କରିଛନ୍ତି। ନିଶ୍ଚିତ ଭାବେ ଆମେ ଖେଳାଳିମାନେ ଆଗ ଅପେକ୍ଷା ଅଧିକ ଫିଟ୍ ଅଛନ୍ତି। ଆମ କ୍ଷେତ୍ରରକ୍ଷଣର ମାନ ବଢ଼ିଛି। ବିସିସିଆଇ ‌ୟୋ ୟୋ ଟେଷ୍ଟ ଭଳି ନିଆରା ଏବଂ ନବୀନ ପଦ୍ଧତିରେ ସେମାନଙ୍କ ଫିଟନେସ୍ ତଉଲୁଛି। ହେଲେ କ୍ରିକେଟ୍‌ର ମୈଳିକତାରେ କୌଣସି ପରିବର୍ତନ ହୋଇନି। ଦଳ ଜିତିବା ଲାଗି ସେହି ପୁରୁଣା ସ୍ଲୋଗାନ ‘କ୍ୟାଚେସ୍ ୱିନ୍ ମ୍ୟା‌େଚସ୍’ର ଗୁରୁତ୍ବ ଆଜି ବି ଅଛି। ହେଲେ ୟୋ ୟୋ ଟେଷ୍ଟ ଦଳ ଚୟନର ଏକମାତ୍ର ମାପକାଠି ହୋଇନପାରେ। ନିଜ ସମୟରେ ଜଣେ ‌ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ପରିଚିତ ଥିବା କୈଫ କୋହଲିଙ୍କୁ ଭାରତୀୟ କ୍ରିକେଟ୍ ଦଳର ଫିଟେଷ୍ଟ ଖେଳାଳିର ମାନ୍ୟତା ‌ଦେଇଥିଲେ। କ୍ରି‌କେଟ୍‌ରେ ଶାରିରୀକ ଦକ୍ଷତା ଏବଂ କୌଶଳର ସନ୍ତୁଳନ ନିହାତି ଜରୁରୀ। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼ ଓ ଅନୀଲ କୁମ୍ବଲେଙ୍କ ଭଳି ଖେଳାଳିଙ୍କ ଶାରିରୀକ ସୁସ୍ଥତା ବିଶ୍ବସ୍ତରୀୟ ନଥିଲା। ହେଲେ ସେମାନେ ନିଜ କାମକୁ ଠିକ୍ ଭାବେ ଜାଣିଥିଲେ। ପଡ଼ିଆ ଭିତରେ ଅନାୟାସରେ ଦୁଇ ତିନି ଦିନ ବ୍ୟାଟିଂ କରୁଥିଲେ। ଜଣେ ଖେଳାଳି ରନ୍ କରୁଥିଲେ କିମ୍ବା ୱିକେଟ୍ ନେଉଥିଲେ କେବଳ ୟୋ ୟୋ ଟେଷ୍ଟ ଆଧାରରେ ତାକୁ ଦଳରୁ ବାଦ୍ ଦେବା ଠିକ୍‌ ନୁହେଁ ବୋଲି କୈଫ ଏହି ଅବସରରେ ମତ ପ୍ରକାଶ କରିଥିଲେ।

ନୀରଜଙ୍କ ନବେ ମିଟର ସ୍ବପ୍ନ
ଦେଶରେ ଜାଭଲିନ୍ ‌ଥ୍ରୋ ଭଳି ଖେଳର ଲୋକପ୍ରିୟତା ନାହିଁ। ନୀରଜ ଚୋପ୍ରାଙ୍କ ସଫଳତା କିନ୍ତୁ ଏହାକୁ ଏକ ନୂଆ ଦିଶା ଦେଇଛି। ଭୁବନେଶ୍ବରରେ ମୁଁ ଗତବର୍ଷ ଏସୀୟ ଦୌଡ଼କୁଦ ବେଳେ ପାଇଥିବା ସମର୍ଥନ ମୋତେ ଅଧିକ ଉତ୍ସାହିତ କରିଥିଲା। ମୁଁ ଦକ୍ଷିଣ ଆଫ୍ରିକା ଏବଂ ୟୁରୋପ ଗସ୍ତରେ ତାଲିମ ନେଇ ନିଜକୁ ପ୍ରସ୍ତୁତ କରି ଆସନ୍ତା ବର୍ଷ ସୁଦ୍ଧା ୯୦ ମିଟର୍ ଜାଭିଲିନ୍ ଫିଙ୍ଗିବା ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟରେ ପହଞ୍ଚିବା ପରେ ଟୋକିଓ ଅଲିମ୍ପିକ୍ସରୁ ପଦକ ଜିତିବା ଆଶା କରିବି ବୋଲି କହିଥିଲେ ନୀରଜ।

ମାଲେଶ୍ବରୀଙ୍କ ପଦକରୁ ପ୍ରେରିତ ହୋଇଥିଲେ ଦୀପା
ଏକାମ୍ର କ୍ରୀଡ଼ା ସାହିତ୍ୟ ଉତ୍ସବର ଦ୍ବିତୀୟ ଅପରାହ୍ନର ପ୍ରଥମ ଆକର୍ଷଣ ଥିଲେ ଯୁବ ପଦ୍ମଶ୍ରୀ ଜିମ୍ନାଷ୍ଟ୍ ଦୀପା କର୍ମାକାର ଏବଂ ତାଙ୍କ ଗୁରୁ ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବିଶ୍ବେଶ୍ବର ନନ୍ଦୀ। ଦୀପାଙ୍କ ସଫଳତା ଯାତ୍ରାରେ ରହିଥିବା ଅନେକ ଅନାଲୋଚିତ ଦିଗ ଉପ‌ରୁ ବି ହଟିଥିଲା ପରଦା। ବାସ୍ତବରେ ମୁଁ ସାରଙ୍କ ପତ୍ନୀଙ୍କଠାରୁ ହିଁ ଜିମ୍ନାଷ୍ଟିକ୍ସର ମୌଳିକ ଶିକ୍ଷା କରିଥିଲି। ଯିଏକି ମୋ ବାପାଙ୍କ ସହଯୋଗୀ ଥିଲେ। ବାପା ଭାରୋତ୍ତୋଳନ ପ୍ରଶିକ୍ଷକ ‌ହୋଇଥିବାରୁ ୨୦୦୦ ମସିହାରେ କର୍ଣ୍ଣମ ମା‌ଲେଶ୍ବରୀଙ୍କ ଅଲିମ୍ପିକ୍ସ ପଦକୁ ହିଁ ମୋତେ ପ୍ରେରିତ କରିଥିଲା। ସେତେବେଳ ଖେଳ ଓ ଅଲିମ୍ପିକ୍ସ କିଛି ବୁଝୁ ନ ଥିଲେ ବି ପଦକ ପାଇବାର ଖୁସିକୁ ଅନୁଭବ କରିଥିଲି। ମୁଁ ଏଭଳି ଏକ ଖେଳକୁ ବାଛିଥିଲି ଯେଉଁଥିରେ ଭାରତ ଆଗରୁ ପରିଚିତ ନ ଥିଲା ଏବଂ ଏଭଳି ରାଜ୍ୟରୁ (ତ୍ରିପୁରା) ଆସିଥିଲି ଯେଉଁଟା କେଉଁଠି କହିଲେ ବି ଅନେକ ଅଜ୍ଞ ଥିଲେ। ସେଠାରୁ ଏତେ ବାଟ ଆସିବା ନିଶ୍ଚିତ ବଡ଼ କଥା‌ ବୋଲି ଦୀପା କହିଥିଲେ। ଓଡ଼ିଶା ସରକାର ଚାହିଁଲେ ଦଶ ଦଶ ଜଣ ରା‌କେଶ ପାତ୍ର ଗଢ଼ି ପାରିବେ ବୋଲି ମଧ୍ୟ କହିବାକୁ ସେ ଭୁଲି ନ ଥିଲେ। ଅବସର ପରେ ଖ୍ୟାତନାମା ଜିମ୍ନାଷ୍ଟିକ୍ସ ଗୁରୁ ଅଶୋକ ମିଶ୍ରଙ୍କୁ ମଧ୍ୟ ଓଡ଼ିଶା ନେଇ ଆସିବା ଉଚିତ୍ ବୋଲି ବିଶ୍ବେଶ୍ବର ପୁଣି ଥରେ ମତ ରଖିଥିଲେ।

ବିନେଶ,ବଜରଙ୍ଗ ଅଲିମ୍ପିକ୍ସ ପଦକ ଜିତିବେ: ଯୋଗେଶ୍ବର

ବଜରଙ୍ଗ ପୁନିଆ ଏବଂ ବିନେଶ ଫୋଗଟଙ୍କର ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ସେମାନେ ଏଥିଲାଗି କଠିନ ପରିଶ୍ରମ କରୁଛନ୍ତି। କେବଳ ଏହି ଦୁଇ ଜଣ ନୁହଁ, ସବୁ କିଛି ଠିକ୍ ଠାକ୍ ରହିଲେ ଭାରତ ୨୦୨୦ରେ କୁସ୍ତିରୁ ୩-୪ଟି ପଦକ ଜିତି ପାରିବ। ହରିଆଣାର ଅଲିମ୍ପିକ୍ସ ପଦକ ବିଜେତା ପହିଲମାନ ଯୋଗେଶ୍ବର ଦତ୍ତ ଏହା କହିଥିଲେ। କୁସ୍ତିକୁ ପ୍ରାୟୋଜକ ଆସିବା ପରେ ଏହାର ସ୍ଥିତି ପୂର୍ବାପେକ୍ଷା ବଦଳିଛି। କୁସ୍ତିକୁ ବହୁ ଗରିବ ପିଲା ପେସା କରିବାକୁ ଆଗ୍ରହ ଦେଖାନ୍ତି। ହେଲେ ବଞ୍ଚିବା ପାଇଁ ସେମାନଙ୍କର ବି ଅର୍ଥ ଦରକାର। ଏଣୁ ଦଙ୍ଗଲ ଭଳି ଚଳଚ୍ଚିତ୍ର ଯଦି କୁସ୍ତିର ମାନ ବଢ଼ାଇ ପାରୁଛି ଏବଂ କୁସ୍ତି ତାରକାଙ୍କୁ ଜୀବନ ଜିଇଁବା ଲାଗି ଅର୍ଥ ଓ ସମ୍ମାନ ଦେଇ ପାରୁଛି, ତାହାଲେ ଏଭଳି ଆହୁରି ଅନେକ ଚଳଚ୍ଚିତ୍ର ନିର୍ମାଣ ହେବା ଦରକାର ବୋଲି‌ ଯୋଗେଶ୍ବର ଏହି ଅବସରରେ କହିଥିଲେ। ପ୍ରତିପକ୍ଷ ଜାପାନି କୁସ୍ତି ଯୋଦ୍ଧାର କୌଶଳକୁ ବୁଝି ନପାରିବା ବଜରଙ୍ଗ ପୁନିଆ ବିଶ୍ବ ଚାମ୍ପିଅନସିପ୍‌ ଫାଇନାଲରେ ହାରିବାର କାରଣ ବୋଲି ଏହି ଅବସରରେ ସେ ମତ ରଖିଥିଲେ। ଜାପାନି ପହିଲମାନ ଅନ୍ତର୍ଜାତୀୟ ସ୍ତରରେ ସେତେଟା ପରିଚିତ ନଥି‌ଲେ। ଏଣୁ ତାଙ୍କ ଲଢ଼ିବା ଶୈଳୀକୁ ଆମେ ଠଉରାଇ ପାରି ନଥିଲୁ। ହେଲେ ବଜରଙ୍ଗ ବହୁ ଅନ୍ତର୍ଜାତୀୟ ପଦକ ଜିତି ସାରିଥିବାରୁ ତା’ ଭିଡିଓ ଦେଖି ଜାପାନି କୁସ୍ତି ଯୋଦ୍ଧା ସେହି ଅନୁସାରେ ପ୍ରସ୍ତୁତି କରିଥିଲା। ଫଳରେ ବଜରଙ୍ଗ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଲା ବୋଲି ଯୋଗେଶ୍ବର କହିଥିଲେ।

ମି-ଠୁ ମହିଳାଙ୍କ ମନରେ ସାହସ ଭରିଛି: ବିନେଶ
ଶୋଷଣ କେବଳ ମହିଳାଙ୍କର ହୁଏନି। ପୁରୁଷମାନେ ମଧ୍ୟ ଅନେକ ସମୟରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି। ମୋ ମତରେ ଯୌନ ଶୋଷଣ ସବୁ କ୍ଷେତ୍ରରେ ଅଛି। କ୍ରୀଡ଼ା କ୍ଷେତ୍ର ମଧ୍ୟ ଏଥିରୁ ମୁକ୍ତ ନୁହେଁ। ମୁଁ କୁସ୍ତି କରୁଥିବାରୁ ସମ୍ଭବତଃ ଏଭଳି ସମସ୍ୟାର ସମ୍ମୁଖୀନ ହୋଇନି। କୋଉଠି ନା କୋଉଠି ପିଲାଙ୍କ ମନରେ ମୋ ପ୍ରତି ଭୟ ଥିଲା। ହେଲେ ଭାରତରେ ଚାଲିଥିବା ମି-ଠୁ ଅଭିଯାନକୁ ମୁଁ ସ୍ବାଗତ କରୁଛି। ଏହି ଅଭିଯାନ ମହିଳାଙ୍କ ମନରେ ସାହସ ଭରିଛି। ଭୁବନେଶ୍ବର କ୍ରୀଡ଼ା ସାହିତ୍ୟ ମହୋତ୍ସବର ଦ୍ବିତୀୟ ତଥା ଶେଷ ଦିନରେ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ମହିଳା କୁସ୍ତି ତାରକା ବିନେଶ ଫୋଗଟ ଏହା କହିଥିଲେ। କୁସ୍ତିକୁ ଅଧିକରୁ ଅଧିକ ମହିଳା ଆସିବାକୁ ସେ ଏହି ଅବସରରେ ଆହ୍ବାନ କରିଥିଲେ। ୨୦୧୮ରେ ମୋତେ ଆଶାଜନକ ଫଳ ମିଳିଛି। ହେଲେ ଆଘାତ ଜନିତ ସମସ୍ୟା ନେଇ ବିଶ୍ବ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପାରି ନଥିଲି। ଅବଶ୍ୟ ଆହତ ସମସ୍ୟାରୁ ମୁକୁଳିବା ସହଜ ହୋଇ ଗଲାଣି। ଯାହା ଭାରତୀୟ କୁସ୍ତି ପାଇଁ ଭଲ।

ଫୋଗଟ ଭଉଣୀ ଭାବେ ପରିଚିତ ହେବାକୁ ଚା‌ହେଁନି
ମୁଁ ଜଣେ କୁସ୍ତି ତାରକା। ମୋର ନିଜର ଅସ୍ତିତ୍ବ ଅଛି। ଦଙ୍ଗଲ ଚଳଚ୍ଚିତ୍ର ଆମକୁ ପରିଚୟ ଦେଇନି। କୁସ୍ତି ଦେଇଛି। ଏଣୁ କେହି ଯଦି ‌ମୋତେ ଫୋଗଟ ଉଉଣୀ ବା ଦଙ୍ଗଲ ଗାର୍ଲ ଗୀତା ଓ ବବିତାଙ୍କ ସଂପର୍କିୟ ଉଭଣୀ ଭାବେ ସମ୍ବୋଧନ କରେ ବହୁତ ରାଗ ଲାଗେ। ନିଜକୁ ଜଣେ ସଫଳ କୁସ୍ତି ତାରକା ଭାବେ ପରିଚୟ ଦେବାକୁ ମୋତେ ବହୁତ ଭଲ ଲାଗେ ବୋଲି ବିନେଶ କହିଥିଲେ। ତେବେ ତାଙ୍କ ଉପରେ ଦଙ୍ଗଲ-୨ ନିର୍ମାଣ ହେଲେ ଏହାକୁ ବିନେଶ ସ୍ବାଗତ କରିବେ। ହେଲେ କୁସ୍ତି ଆଖଡ଼ାରେ ନିଜ ଯାଦୁ ଦେଖାଇବାକୁ ଅଧିକ ପସନ୍ଦ କରିବେ। ଚଳଚ୍ଚିତ୍ର ନୁହେଁ ଅଲିମ୍ପିକ୍ସ ପଦକ ମୋର ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଥିଲେ। ବିନେଶ ୨୦୧୪ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହ ଚଳିତ ବର୍ଷର ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ମଧ୍ୟ ଚଳିତବର୍ଷର ଜାକର୍ତା ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବିଭିନ୍ନ ଓଜନ ବର୍ଗରେ ସେ ଏ ପର୍ଯ୍ୟନ୍ତ ୧୦ରୁ ଅଧିକ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି।

୮ ବର୍ଷ ମୋବାଇଲ ଛୁଇଁ ନଥିଲି: ବଜରଙ୍ଗ

ମୁଁ ଯେତେବେଳେ କୁସ୍ତି ଆରମ୍ଭ କଲି ଯୋଗୀ ଭାଇ ମୋତେ ମୋବାଇଲ୍ ଫୋନ୍, ସାମାଜିକ ଗଣମାଧ୍ୟମ ଏବଂ ଚଳଚ୍ଚିତ୍ରଠାରୁ ଦୂରେଇ ରହିବାକୁ ପରମର୍ଶ ଦେଇଥିଲେ। ତାଙ୍କ କଥା ମାନି ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ମୁଁ ମୋବାଇଲ୍ ବ୍ୟବହାର କରୁ ନଥିଲି। ସେଥିପାଇଁ ମୁଁ ଆଜି ଏହି ସ୍ତରରେ ପହଞ୍ଚି ପାରିଛି। କେବଳ କୁସ୍ତି ନୁହେଁ, ଯେ କୌଣସି ଖେଳରେ ସଫଳ ହେବା ଲାଗି ଆପଣଙ୍କୁ ଅନେକ କିଛି ବଳିଦାନ ଦେବାକୁ ପଡ଼ିଥାଏ। ଏକାଗ୍ରତାର ସହ ଏକଲକ୍ଷ୍ୟ ଭାବେ ଖେଳ ଉପରେ ଧ୍ୟାନ ଦେବାକୁ ହୋଇଥାଏ ବୋଲି ଭାରତୀୟ କୁସ୍ତି ଦୁନିଆର ନୂଆ ନାୟକ ବଜରଙ୍ଗ ପୁନିଆ କହିଥିଲେ। ୨୦୨୦ ଅଲିମ୍ପିକ୍ସରେ ପଦକ ଜିତିବେ ବୋଲି ମଧ୍ୟ ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ହରିଆଣାର ଖୁଦାନ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବଜରଙ୍ଗ ମାତ୍ର ୭ ବର୍ଷ ବୟସରୁ କୁସ୍ତି କରିବା ଆରମ୍ଭ କରିଥିଲେ। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିବା ପରେ ୨୦୧୮ରେ ଏହାକୁ ସ୍ବର୍ଣ୍ଣରେ ପରିଣତ କରିଥିଲେ। ଚଳିତ ବର୍ଷର ବିଶ୍ବ ଚାମ୍ପିଅନସିପରେ ସେ ରୌପ୍ୟ ପଦକ ଜିତିଛନ୍ତି।

ସମ୍ବନ୍ଧିତ ଖବର