ଭୁବିଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍ ହ୍ୟାକ୍‌ କରିଥିଲେ ପତ୍ନୀ ନୂପୁର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ସୁଇଙ୍ଗ ବୋଲର ଭୁବନେଶ୍ବର କୁମାର ପଡିଆ ଭିତରେ ଉଗ୍ର କିନ୍ତୁ ପଡିଆର ବାହ‌ାରେ ଅତି ନମ୍ର। ଦଳର ଅତି ଭଦ୍ର ପିଲାଟି ଭଳି ମଧ୍ୟ ତାଙ୍କ ଖ୍ୟାତି ରହିଛି। ପଡିଆ ଭିତରେ ସେ ଯେତିକି ପ୍ରତିଦ୍ବଦ୍ବିତାପୂର୍ଣ୍ଣ ଥାଆନ୍ତି ବାହାରେ ସେତିକି ଶାନ୍ତ ସ୍ବଭାବ ଚରିତ୍ରର। କ୍ରିକେଟ୍ ପଡିଆରେ ସେ ଅତି ଆବଶ୍ୟକ ନ ପଡିଲେ ହସନ୍ତି ନାହିଁ, ହସିଲେ ବି ସ୍ମିତ ହସରେ ସୀମିତ ରୁହନ୍ତି। ନିକଟରେ ଏକ କଥାରୁ ସେ କେତେ ସ୍ବାଭିମାନୀ ତାହାର ଏକ ନମୂନା ମିଳିଛି। ପତ୍ନୀ ନୁପୂର ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟ୍ ହ୍ୟାକ୍ କରିଥିବାରୁ ସେ ସେବେଠୁ ଆଉ ଫେସ୍‌ବୁକ୍‌ ବ୍ୟବହାର କରୁନାହାନ୍ତି। କ୍ରିକେଟ୍‌ ପୋର୍ଟାଲ୍‌ କ୍ରିକ୍‌ବଜ୍‌ର ଏକ ସୋ ‘ସ୍ପାଇସି ପିଚ୍‌’ରେ ଯୋଗଦେବା ଅବସରରେ ଭୁବି ନିଜେ ଏହା ସ୍ବୀକାର କରିଛନ୍ତି। ପତ୍ନୀ ନୁପୂର ମଧ୍ୟ ଏହି ସୋ’ରେ ଭାଗ ନେଇଥିଲେ। ପତ୍ନୀଙ୍କ ସହ ସମନ୍ବୟ କିଭଳି ବୋଲି ପ୍ରଶ୍ନ ହେବାରୁ ଭୁବି କହିଥିଲେ ‘ଦିନେ ନୁପୂର ମୋ ଫେସ୍‌ ବୁକ୍ ଆକାଉଣ୍ଟ୍ ପାସୱାର୍ଡ ମାଗିଥିଲେ, ମୁଁ କିଛି ଆଳ କରି ରହିଯାଇଥିଲି। ପରଦିନ ସେ ମୋ‌ତେ ନୂଆ ପାସ୍‌ୱାର୍ଡ ଆଣି ଦେଖାଇଥିଲେ। ବସ୍ତୁତଃ ସେ ମୋ ଫେସ୍‌ବୁକ୍ ଆକାଉଣ୍ଟ୍ ହ୍ୟାକ୍ କରିଥିଲେ, ସେବେଠୁ ମୁଁ ଆଉ ଫେସ୍‌ବୁକ୍‌ ଖୋଲିନାହିଁ’। ଏହି ସୋ’ ଅବସରରେ ପତି ପତ୍ନୀ ପରସ୍ପରକୁ ଢେର ଚିଡ଼ାଇଥିଲେ। ଭୁବି କେବେ କେବେ ମହିଳା ପ୍ରଶଂସକଙ୍କ ସହିତ ଫଟୋ ଉଠାଉଥିବା ଦେଖିଲେ ନୁପୂର ଈର୍ଷାନ୍ବିତ ହେଉଥିବା କଥା ମଧ୍ୟ କହିଥିଲେ। ମହିଳାଙ୍କ ସହ ଫଟୋ ଉଠାଉ ଥିବାବେଳେ ଏତେ ପାଖରେ କାହିଁକି ଛିଡ଼ା ହେଉଛ ବୋଲି ଭୁବିଙ୍କୁ ପ୍ରଶ୍ନ କରୁଥିବା ମଧ୍ୟ ନୁପୂର ଡାଗର ସ୍ବୀକାର କରିଥିଲେ। ନୁପୂରଙ୍କୁ ମାତ୍ର ୧୩ ବର୍ଷ ହେବା ଦିନରୁ ସେ ଭଲ ପାଉଥିଲେ ଏବଂ ଅନ୍ତରଙ୍ଗ ହେବା ପରେ ୨୦୧୭ରେ ବିବାହ କରିଥିଲେ ଭୁବି।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଭୁବି ଦଳକୁ ଫେରିଥିଲେ ମଧ୍ୟ ଏହା କରୋନା କାରଣରୁ ବାତିଲ ହୋଇଯାଇଛି। ଆହତ କାରଣରୁ ମଧ୍ୟ ସେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାରୁ ବଞ୍ଚିତ ହୋଇଥିଲେ। ଦେଶ ପାଇଁ ୨୧ ଟେଷ୍ଟ୍‌, ୧୧୪ ଦିନିକିଆ ଏବଂ ୪୩ ଟି-୨୦ ଖେଳିଥିବା ଭୁବନେଶ୍ବର କୁମାର ସମସ୍ତ ଫର୍ମାଟରୁ ମୋଟ ୨୩୬ ଅନ୍ତର୍ଜାତୀୟ ୱିକେଟ୍ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର