ଭୂତିଆ ଗଢ଼ିଲେ ରାଜନୈତିକ ଦଳ

ଗ୍ୟାଙ୍ଗଟକ୍‌: ଭାରତୀୟ ଫୁଟ୍‌ବଲ୍‌ର କିମ୍ବଦନ୍ତୀ ପୁରୁଷ ବାଇଚୁଙ୍ଗ ଭୂତିଆ ‘ହାମ୍ରୋ ସିକିମ୍‌’ ନାମକ ଏକ ଆଞ୍ଚଳିକ ରାଜନୈତିକ ଦଳ ଗଠନ କରିଛନ୍ତି। ଏହି ଦଳ ଭୂତିଆଙ୍କ ନିଜ ରାଜ୍ୟ ସିକିମର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳି ଲାଗି ଆସନ୍ତା ସମୟରେ ପ୍ରାର୍ଥୀ ଛିଡ଼ା କରିବ। ଡେରାଡୁନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୂତିଆ ନିଜ ସମର୍ଥକଙ୍କ ସହ ତାଙ୍କ ଦଳର ନାଁ ଘୋଷଣା କରିଥିଲେ। ଏହି ଅବସରରେ ସେ ସିକିମ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଂଙ୍କୁ ତୀବ୍ର ସମାଲୋଚନା କରଥିଲେ। ତା’ ସହ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟୀ ହେଲେ ତାଙ୍କ ଦଳ ସିକିମବାସୀଙ୍କୁ ୨୪ ଘଣ୍ଟା ବିଜୁଳି ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୪୧ ବର୍ଷୀୟ ଭୂତିଆ ପୂର୍ବରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ସଦସ୍ୟ ଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ସେ ତୃଣମୂଳ କଂଗ୍ରେସ ଟିକେଟରେ ଦାର୍ଜିଲିଂରୁ ଲଢ଼ି ବିଜେପିର ଏସ୍‌ଏସ୍‌ ଆଲୁଓ୍ଵାଲିଆଙ୍କଠାରୁ ପରାଜିତ ହୋଇଥିଲେ। ସେହିଭଳି ୨୦୧୬ ମସିହାରେ ପଶ୍ଚିମବଙ୍ଗର ସିଲିଗୁଡ଼ି ବିଧାନସଭା ଆସନରୁ ତୃଣମୂଳ ଟିକେଟରେ ଲଢ଼ି ପୁନର୍ବାର ପରାଜିତ ହୋଇଥିଲେ। ଚଳିତ ବର୍ଷ କିନ୍ତୁ ସେ ତୃଣମୂଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର