ବିଦର୍ଭକୁ ଲଗାତାର ରଣଜୀ-ଇରାନୀ ଦ୍ବିମୁକୁଟ

ନାଗପୁର: ଲଗାତାର ଦ୍ବିତୀୟ ଋତୁ ପାଇଁ ରଣଜୀ ଟ୍ରଫି ଏବଂ ଇରାନି କପ୍‌ ହାସଲ କରି ବିଦର୍ଭ ପୁଣି ଥରେ ଦ୍ବିମୁକୁଟ ଅର୍ଜନ କରିଛି। ପୂର୍ବ ମହାରାଷ୍ଟ୍ରରେ ଥିବା ଏହି ସ୍ବତନ୍ତ୍ର କ୍ରିକେଟ୍ ସଂଘ ଶେଷରେ ଘରୋଇ କ୍ରିକେଟ୍‌ରେ ପ୍ରାଧାନ୍ୟ ବିସ୍ତାର କରିଛି। ସେହିଭଳି ମୁମ୍ବାଇ ଏବଂ କର୍ଣ୍ଣାଟକ ପରେ ତୃତୀୟ ଦଳ ଭାବେ ଉଭୟ ମୁକୁଟକୁ ବଜାୟ ରଖିବାରେ ବିଦର୍ଭ ସକ୍ଷମ ହୋଇଛି। ମୁମ୍ବାଇ ୧୦ ଥର ଏବଂ କର୍ଣ୍ଣାଟକ ୩ ଥର ଏଭଳି ଦ୍ବିମୁକୁଟ ଅର୍ଜନ କରିଥିଲେ। ଶନିବାର ଇରାନି କପ୍‌ ଫାଇନାଲରେ ମାତ୍ର ୧୧ ରନ୍‌ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲେ ମଧ୍ୟ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ବିଦର୍ଭ ପ୍ରତିପକ୍ଷ ଅବଶିଷ୍ଟ ଭାରତ ଦଳକୁ ପଛରେ ପକାଇ ଦେଇଥିଲା। ବିଦର୍ଭ ସମ୍ମୁଖରେ ୨୮୦ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବ‌େଳେ ପଞ୍ଚମ ତଥା ଶେଷ ଦିନର ଖେଳ ବନ୍ଦ ବେଳକୁ ଘରୋଇ ଦଳ ୫ ୱିକେଟ୍‌ରେ ୨୬୯ ରନ୍ କରିଥିଲା। ପ୍ରଥମ ପାଳିରେ ଅଗ୍ରଣୀ ପାଇଥିବା ବିଦର୍ଭ (୪୨୫-୩୩୦) ମୁକୁଟ ବିଜେତାକୁ ନିଶ୍ଚିତ କରିଥିଲା। ୧୮ ବର୍ଷୀୟ ବାମହାତୀ ବ୍ୟାଟସମ୍ୟାନ୍‌ ଅଥର୍ବ ଟାଇଡ୍‌ (୭୨) ଏବଂ ଅଭିଜ୍ଞ ପେସାଦାର ଖେଳାଳି ଗଣେଶ ସତୀଶ (୮୭)ଙ୍କ ପାଳି ବଳରେ ବିଦର୍ଭ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ ମଧ୍ୟ ରୋମାଞ୍ଚକ ଭାବେ ବଞ୍ଚିତ ରହିଥିଲା। ଅକ୍ଷୟ କର୍ନେୱାର (୧୦୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥି ସହିତ ବିଦର୍ଭ ଦଳ ସହିତ ଜଡ଼ିତ ଥିବା ଓଡ଼ିଆ ପ୍ରଶିକ୍ଷକ ଅମୀୟ କୁମାର ମହାନ୍ତିଙ୍କୁ ମୁକୁଟ ତାଲିକାରେ ମଧ୍ୟ ଆଉ ଏକ ଟ୍ରଫି ସଂଯୋଗ ହୋଇଯାଇଛି। ବିହାରୀଙ୍କ ବିରଳ ହ୍ୟାଟ୍ରିକ୍‌: ଏହି ମ୍ୟାଚ୍‌ର ଉଭୟ ପାଳିରେ ଶତକ ହାସଲ କରିଥିବା ଟେଷ୍ଟ୍ ତାରକା ହନୁମା ବିହାରୀ (୧୧୪ ଏବଂ ୧୮୦*) ଏକ ବିରଳ କୀର୍ତିମାନର ଅଧିକାରୀ ହୋଇଥିଲେ। ଇରାନି କପ୍‌ର ଉଭୟ ପାଳିରେ ଶତକ ହାସଲ କରିବାରେ‌ ସେ ଶିଖର ଧାୱନଙ୍କ ପରେ ଦ୍ବିତୀୟ ଖେଳାଳି ହୋଇଥିଲେ। ୨୦୧୧ ମସିହାରେ ଧାୱନ ଏଭଳି ଉଭୟ ପାଳି ଶତକ ଜମାଇଥିଲେ। କିନ୍ତୁ ଲଗାତାର ୩ ଇରାନି କପ୍‌ ପାଳିରେ ଶତକ ଜମାଇ ‌ବିହାରୀ ବିରଳ ହ୍ୟାଟ୍ରିକ୍ କରିଛନ୍ତି। ଗତବର୍ଷ ବିହାରୀ ମଧ୍ୟ ଇରାନି କପ୍‌ରେ ବିଦର୍ଭ ବିପକ୍ଷରେ ଶତକୀୟ ପାଳି (୧୮୩) ଖେଳିଥିଲେ।

ସଂକ୍ଷିପ୍ତ ସ୍କୋର: ଅବଶିଷ୍ଟ ଭାରତ-୩୩୦ (ବିହାରୀ-୧୧୪, ୱାଖରେ-୩/୬୨) ଏବଂ ୩୭୪/୩, ଘୋଷଣା (ବିହାରୀ-୧୮୦*, ସରୱାତ-୨/୧୪୧)। ବିଦର୍ଭ-୪୨୫ (କର୍ନେୱାର-୧୦୨, ଚହର-୪/୧୧୨) ଏବଂ ୨୬୯/୫ (ଗଶେଣ ସତୀଶ-୮୭, ଅଥର୍ବ ଟାଇଡ୍‌-୭୨, ଚହର-୨/୧୧୬)।

ପୁରସ୍କାର ରାଶି ସହିଦଙ୍କ ପରିବାରକୁ ସମର୍ପିତ
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ସିଆରପିଏଫ୍ ଯବାନଙ୍କ ପରିବାର ସହ ସାରା ଦେଶ ଛିଡ଼ା ହୋଇଥିଲା ବେଳେ ଲଗାତାର ଦ୍ବିତୀୟ ଥର ଇରାନି କପ୍‌ ଜିତିଥିବା ବିଦର୍ଭ କ୍ରିକେଟ୍ ଦଳ ମଧ୍ୟ ଏହି କ୍ଷେତ୍ରରେ ପଛୁଆ ନାହିଁ। ଇରାନି କପ୍ ଜିତିବା ବାବଦରେ ପାଇଥିବା ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶିକୁ ବିଦର୍ଭ ଖେଳାଳିମାନେ ସଂପୂର୍ଣ୍ଣ ଭାବେ ସହିଦଙ୍କ ପରିବାରକୁ ଦାନ କରିଛନ୍ତି। ନାଗପୁରଠାରେ ଖେଳା ଯାଇଥିବା ଏହି ପ୍ରତିଯୋଗିତାର ଶନିବାରର ଖେଳ ଶେଷ ପରେ ବିଦର୍ଭ ଅଧିନାୟକ ଫୈଜ ଫଜଲ ଏହି ଘୋଷଣା କରିଥିଲେ। ସେ କହିଥିଲେ, ବିଜେତା ଭାବେ ଆମକୁ ମିଳିବାକୁ ଥିବା ୨୫ ଲକ୍ଷ ଟଙ୍କାକୁ ଫୁଲବାମାରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସମର୍ପିତ କରୁଛୁ। ଆମ ତରଫରୁ ଏହା ସେମାନଙ୍କ ପାଇଁ ଏକ ଛୋଟିଆ ସାହାଯ୍ୟ। ପୁରସ୍କାର ରାଶି ସହିଦଙ୍କ ପରିବାରକୁ ଦେବା ପରେ ଫଜଲ ନିଜ ଖେଳାଳିଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ ଯେ ବିଦର୍ଭ ଲଗାତାର ଦ୍ବିତୀୟ ବର୍ଷ ପାଇଁ ରଣଜୀ ବିଜେତା ହେବା ସହ ଇରାନି କପ୍‌ ମଧ୍ୟ ଜିତିଛି। ବିଦର୍ଭର ଏହି ସଫଳତା ପଛରେ ଓଡ଼ିଆ ପ୍ରଶିକ୍ଷକ ଅମୀୟ କୁମାର ମହାନ୍ତିଙ୍କର ବଳିଷ୍ଠ ହାତ ରହିଛି। ସଂଯୋଗ ବଶତଃ ଗତ ଦୁଇ ବର୍ଷ ହେବ ସେ ବିଦର୍ଭ ଦଳର ଫିଟନେସ୍ ଓ କଣ୍ଡିଂସନିଂ ପ୍ରଶିକ୍ଷକ ଦାୟିତ୍ବ ନିର୍ବାହ କରୁଛନ୍ତି।

ସମ୍ବନ୍ଧିତ ଖବର