ପ୍ରଥମ ଥର ରଣଜୀ ଫାଇନାଲ୍‌ରେ ବିଦର୍ଭ

ଗୁରବାଣୀଙ୍କୁ ୭ ଓ୍ଵିକେଟ୍‌ ୫ ରନ୍‌ରେ ହାରିଲା କର୍ଣ୍ଣାଟକ

କୋଲ୍‌କାତା: କୋଲ୍‌କାତାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ସରେ ଖେଳାଯାଇଥିବା ରଣଜୀ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ୍‌ର ଉତ୍କଣ୍ଠାପୂର୍ଣ୍ଣ ପରିସମାପ୍ତି ଘଟିଛି। ଗୁରୁବାର ପଞ୍ଚମ ତଥା ଅନ୍ତିମ ଦିବସରେ ବିଦର୍ଭ ନିକଟରୁ ନାଟକୀୟ ଭାବେ ପାଳି ଅଗ୍ରଣୀ ପାଇଥିବା କର୍ଣ୍ଣାଟକ ୫ ରନ୍‌ରେ ହାରିଯାଇଛି। ଆଉ ଆଠଥରର ବିଜେତା କର୍ଣ୍ଣାଟକକୁ ପରାସ୍ତ କରି ବିଦର୍ଭ ପ୍ରଥମ ଥର ଲାଗି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି। ତେବେ ପୂର୍ବରୁ ୧୪ ଥର ଫାଇନାଲ୍‌ରେ ପହଞ୍ଚିଥିବା କର୍ଣ୍ଣାଟକ ରଣଜୀ ଟ୍ରଫି ନକ୍‌ଆଉଟ୍‌ ମୁକାବିଲାରେ ସର୍ବାଧିକ ତିନି ଥର ସ୍ୱଳ୍ପ ରନ୍‌ ବ୍ୟବଧାନରେ ହାରିବାର ଅଲୋଡ଼ା କୀର୍ତିମାନ ପାଇଥିଲା।

ବିଦର୍ଭ ପ୍ରଥମ ପାଳିକୁ ୧୮୫ ରନ୍‌ରେ ଅଟକାଇବା ପରେ କର୍ଣ୍ଣାଟକ ୩୦୧ ରନ୍‌ କରି ୧୧୬ ରନ୍‌ର ଅଗ୍ରଣୀ ନେଇଥିଲା। କିନ୍ତୁ ଦ୍ୱିତୀୟ ପାଳିରେ ବିଦର୍ଭ ଚମତ୍କାର ପ୍ରତ୍ୟାବର୍ତନ କରି ୩୧୩ ରନ୍‌ ସଂଗ୍ରହ କରିଥିଲା। ଏଥି ସହିତ କର୍ଣ୍ଣାଟକ ସମ୍ମୁଖରେ ୧୯୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ବୁଧବାର ଚତୁର୍ଥ ଦିବସ ଷ୍ଟମ୍ପ୍‌ ଅପସାରଣ ବେଳକୁ କର୍ଣ୍ଣାଟକ ୧୧୧ ରନ୍‌ ମଧ୍ୟରେ ୭ ଓ୍ଵିକେଟ୍‌ ହରାଇ ସଂଙ୍କଟରେ ପଡ଼ିଥିଲା। ବିଜୟ ପାଇଁ ଗୁରୁବାର ଶେଷ ଦିନ କର୍ଣ୍ଣାଟକକୁ ୮୭ ରନ୍‌ ଏବଂ ବିଦର୍ଭକୁ ୩ ଓ୍ଵିକେଟ୍‌ ଆବଶ୍ୟକ ଥିଲା। ଅଧିନାୟକ ବିନୟ କୁମାର (୩୬) ଏବଂ ଶ୍ରେୟସ୍‌ ଗୋପାଳ (୨୪*)ଙ୍କ  ସହ ଅଭିମନ୍ୟୁ ମିଥୁନ (୩୩) କର୍ଣ୍ଣାଟକକୁ ଜିତେଇବାକୁ ପୁରା ସଂଘର୍ଷ କରିଥିଲେ। ହେଲେ ବିଦର୍ଭର ଦ୍ରୁତ ବୋଲର ରଜନୀଶ ଗୁରବାଣୀ ଗୁରୁବାର ୩ ଏବଂ ମୋଟ ୭ ଓ୍ଵିକେଟ୍‌ ହାସଲ କରି କର୍ଣ୍ଣାଟକ ଆଶାରେ ପାଣି ଭରି ଦେଇଥିଲେ। ଗୋଟିଏ ସମୟରେ ବିଦର୍ଭ ୮ ଓ୍ଵିକେଟ୍‌ ହରାଇ ୧୮୯ ରନ୍‌ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ହାତରେ ଦୁଇ ଓ୍ଵିକେଟ୍‌ ଥାଇ ବିଜୟ ପାଇଁ ୮ ରନ୍‌ ଦରକାର କରୁଥିଲା। ହେଲେ ଏହାର ୯ ବଲ୍‌ ଅନ୍ତରରେ ମାତ୍ର ୩ ରନ୍‌ ଯୋଡ଼ି ଅବଶିଷ୍ଟ ୨ ଓ୍ଵିକେଟ୍‌ ହରାଇ କର୍ଣ୍ଣାଟକ ଦୁଖଃଦ ପରାଜୟ ବରଣ କରିଥିଲା। ୧୯୨ ରନ୍‌ରେ କର୍ଣ୍ଣାଟକ ସମସ୍ତ ଓ୍ଵିକେଟ୍‌ ହରାଇ ୫ ରନ୍‌ରେ ହାରିଯାଇଥିଲା। ଅନ୍ୟପକ୍ଷରେ ଗୁରୁବାଣୀ ବିଦର୍ଭକୁ ଐତିହାସିକ ବିଜୟ ଭେଟି ଦେବା ସହ ବହୁଦିନର ସ୍ୱପ୍ନକୁ ସାକାର କରିଥିଲେ। ଗୁରବାଣୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବିଦର୍ଭ ୨୯ ତାରିଖରୁ ଇନ୍ଦୋରର ହୋଲ୍‌କର ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ୍‌ରେ ଦିଲ୍ଲୀକୁ ଭେଟିବ।

ସମ୍ବନ୍ଧିତ ଖବର