ବିଶ୍ୱକପ୍‌ର ବଡ଼ ବିପର୍ଯ୍ୟୟ

ମସ୍କୋ: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଗତଥରର ବିଜେତା ଜର୍ମାନିର ଅଶ୍ରୁଳ ବିଦାୟ ଫୁଟ୍‌ବଲ୍‌ପ୍ରେମୀଙ୍କୁ ସ୍ତବ୍‌ଧ କରିଛି। ଏସୀୟ ଦଳ ଦକ୍ଷିଣ କୋରିଆ ନିକଟରୁ ୦-୨ ପରାଜୟ ପରେ ଦଳ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେବାକୁ ବାଧ୍ୟ ହୋଇଥିଲା। ବିଶ୍ୱକପ୍‌ରେ ଆଗରୁ ମଧ୍ୟ ଅନେକ ବଡ଼ ବିପର୍ଯ୍ୟୟ ରହିଛି। ଆସନ୍ତୁ ସେଗୁଡ଼ିକ ଉପରେ ନଜର ପକାଇନେବା।

ଉରୁଗୁଏ (୨)-ବ୍ରାଜିଲ୍‌ (୧), ୧୯୫୦
ଅନେକ କାରଣ ପାଇଁ ଏହାକୁ ବଡ଼ ବିପର୍ଯ୍ୟୟ କୁହାଯାଉଛି। ୧୯୫୦ରେ ପଏଣ୍ଟ୍‌ ଭିତ୍ତିରେ ବିଜେତା ନିର୍ଣ୍ଣୟ ହୋଇଥିଲା। ପ୍ରଥମ ଥର ବିଶ୍ୱ ମୁକୁଟ ଜିତିବାକୁ ବ୍ରାଜିଲ୍‌କୁ ଏହି ମ୍ୟାଚ୍‌ରେ ଅମୀମାଂସିତ ଆବଶ୍ୟକ ଥିଲା। କିନ୍ତୁ ବ୍ରାଜିଲ୍‌ ୧-୦ରେ ଆଗୁଆ ରହିଥିଲେ ମଧ୍ୟ ଉରୁଗୁଏ ଶେଷ ୧୦ ମିନିଟ୍‌ରେ ବିଜୟ ଛଡ଼ାଇ ନେଇଥିଲା।

ଆମେରିକା (୧)-ଇଂଲଣ୍ଡ (୦), ୧୯୫୦
ଇଂଲଣ୍ଡ ଦଳରେ ଟମ୍‌ ଫିନି, ଷ୍ଟାନ୍‌ ମର୍ଟେନସେନ୍‌, ବିଲି ରାଇଟ୍‌ ଏବଂ ଓ୍ଵିଲଫ୍‌ ମାନିଅନ୍‌ଙ୍କ ଭଳି ବଡ଼ ଖେଳାଳି ଥିଲେ। ଆମେରିକା ପୂର୍ବରୁ ଥରେ ମାତ୍ର ଇଂଲଣ୍ଡ ସହ ଖେଳିଥିଲା। ପେସାଦାର ଖେଳାଳି ମଧ୍ୟ ନ ଥିଲେ। ଓ୍ଵାଲ୍‌ଟର ବାର୍‌ଙ୍କ ସଟ୍‌କୁ ହାଇତୀୟ ବାସନମଜାଳି ଯୋସେଫ୍‌ ଗାଏଜେନ୍‌ସ ଗୋଲ୍‌ ଭିତରକୁ ପଠାଇ ଦେଇଥିଲେ। ଇଂଲଣ୍ଡ ଏହି ପରାଜୟରେ ସ୍ତବ୍‌ଧ ହୋଇଯାଇଥିଲା।

ଉତ୍ତର କୋରିଆ (୧)-ଇଟାଲି (୦), ୧୯୬୬
ପାକ୍‌ ଡୁ ଇକ୍‌ଙ୍କ ଗୋଲ୍‌ ବଳରେ ଉତ୍ତର କୋରିଆ ଇଟାଲିକୁ ହରାଇ ଦେଇଥିଲା। ଏହା ପରେ ଇଟାଲି ସ୍ୱଦେଶ ଫେରିବା ପରେ ଅଣ୍ଡମାଡ଼ର ଶିକାର ହୋଇଥିଲା। ଗିଆନି ରିଭେରା, ସାଣ୍ଡ୍ରୋ ମାଜୋଲା ଏବଂ ଜିଆସିଣ୍ଟୋ ପାଚେଟିଙ୍କ ଭଳି ତାରକାଙ୍କୁ ନେଇ ଗଠିତ ଇଟାଲି ଦାବିଦାର ଥିଲା। ସୋଭିଏତ୍‌ ରୁଷଠାରୁ ହାରିବା ପରେ କୋରିଆ ବିପକ୍ଷରେ ନିଶ୍ଚିତ ବିଜୟ ଆବଶ୍ୟକ ଥିଲା ଯାହାକୁ ଦଳ ହାସଲ କରିପାରିନଥିଲା।

ଆଲ୍‌ଜେରିଆ (୨)-ପଶ୍ଚିମ ଜର୍ମାନି (୧), ୧୯୮୨
ଗିଜନରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍‌ରେ ମରୁଭୂମିର ଯୋଦ୍ଧା ଭାବେ ଆସିଥିବା ଆଲ୍‌ଜେରିଆ ୟୁରୋପୀୟ ବିଜେତା ପଶ୍ଚିମ ଜର୍ମାନିକୁ ପରାସ୍ତ କରିଥିଲା। ରବା ମାଜେର ଦ୍ୱିତୀୟାର୍ଧର ନବମ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେବା ପରେ ରୁମେନିଜ୍‌ ଏହାକୁ ବରାବର ସ୍ତରକୁ ନେଇ ଆସିଥିଲେ। ଏହାର ୬୦ ସେକେଣ୍ଡ୍‌ ପରେ ଲଖଦାର ବେଲୌମିଙ୍କ ଗୋଲ୍‌ରେ ଆଲ୍‌ଜେରିଆ ବିଜୟୀ ହୋଇଥିଲା।

ଆର୍ଜେଣ୍ଟିନା (୦)-କାମେରୁନ୍‌ (୧), ୧୯୯୦
୧୯୯୦ ମସିହାରେ ଓମାମ୍‌ ବିଓ୍ଵିକ୍‌ଙ୍କ ଏକ କୁଦାମରା ଦୁର୍ବଳ ହେଡର୍‌ ନେରି ପୁମ୍ପିଦୋଙ୍କୁ ପରାସ୍ତ କରିଥିଲା। ବିଜେତା ଅର୍ଜେଣ୍ଟିନା ବିସ୍ମିତ ହୋଇଯାଇଥିଲା। ଲାଲ୍‌ କାର୍ଡ ପାଇଁ ୨ ଜଣଙ୍କ ବିନା ଖେଳିଥିବା କାମେରୁନ୍‌ ଏହା ପରେ କ୍ୱାର୍ଟରଫାଇନାଲ୍‌ ପହଞ୍ଚିଥିଲେ ମଧ୍ୟ ୨-୩ରେ ଇଂଲଣ୍ଡ ନିକଟରୁ ହାରି ବିଦାୟ ନେଇଥିଲା।

ଫ୍ରାନ୍‌ସ (୦)-ସେନେଗାଲ୍‌ (୧), ୨୦୦୨
ବିଶ୍ୱ ଓ ୟୁରୋପୀୟ ବିଜେତା ଥିବା ଫ୍ରାନ୍‌ସ ଆସିଥିଲା ୨୦୦୨ ସଂସ୍କରଣକୁ। ଡେଭିଡ୍‌ ଟ୍ରେଜେଗେ୍ଵଟ୍‌ ଏବଂ ଥିଏରି ହେନରି କିଛି ସୁଯୋଗ ହରାଇବା ପରେ ସେନେଗାଲ ଏକମାତ୍ର ଗୋଲ୍‌ରେ ବିଜୟୀ ହୋଇଥିଲା। ସେନେଗାଲ୍‌ ଗୋଲ୍‌ରକ୍ଷକ ଟୋନି ସିଲ୍‌ଭା ଚମତ୍କାର ଖେଳିଥିଲେ। ଫ୍ରାନ୍‌ସ କେବଳ ବିଜୟଶୂନ୍ୟ ନୁହେଁ ଗୋଲଶୂନ୍ୟ ଭାବେ ଅଭିଯାନ ମଧ୍ୟ ଶେଷ କରିଥିଲା ପ୍ରଥମ ରାଉଣ୍ଡ୍‌ରୁ।

ଅଭିଶପ୍ତ ବିଜେତା
ମସ୍କୋ: ସୁନ୍ଦରତମ ଖେଳ ଫୁଟ୍‌ବଲ୍‌ର ଏହି ମହାକୁମ୍ଭରୁ ବଡ଼ ଦଳର ପ୍ରାରମ୍ଭିକ ବିଦାୟ କିଛି ନୂଆ କଥା ନୁହେଁ। ବିଶେଷ କରି ବିଜେତା ଥାଇ ପରବର୍ତୀ ସଂସ୍କରଣରେ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେବା ଧାରା ଏକବିଂଶ ଶତାବ୍ଦୀ ପ୍ରାରମ୍ଭରୁ ଅବ୍ୟାହତ ରହିଛି। ୧୯୯୮ ବିଜେତା ଫ୍ରାନ୍‌ସ ୨୦୦୨ରେ, ୨୦୦୨ ବିଜେତା ଦଳ ବ୍ରାଜିଲ୍‌ ୨୦୦୬ରେ, ୨୦୦୬ରେ ବିଜେତା ଇଟାଲି ୨୦୧୦ରେ, ୨୦୧୦ ବିଜେତା ସ୍ପେନ୍‌ ୨୦୧୪ରେ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେବା ପରେ ଏହି ଧାରା ଏବେ ଆଗକୁ ବଢ଼ିଛି। ୨୦୧୪ ବିଜେତା ଜର୍ମାନି ୨୦୧୮ ପ୍ରଥମ ରାଉଣ୍ଡ୍‌ରୁ ସ୍ୱଦେଶ ଫେରିଛି। ସେହି ଦୃଷ୍ଟିରୁ ଗଣମାଧ୍ୟମ ଏବେ ବିଜେତାଙ୍କୁ ପରବର୍ତୀ ସଂସ୍କରଣ ପାଇଁ ଅଭିଶପ୍ତର ଆଖ୍ୟା ଦେଇଛି। ଜର୍ମାନିର ବିଦାୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଦାୟ ନେବା ପ୍ରଥମ। ଏକବିଂଶ ଶତାବ୍ଦୀରେ ବିଜେତା ଥାଇ ଚତୁର୍ଥ ଦଳ ଭାବେ ପରବର୍ତୀ ସଂସ୍କରଣ ପ୍ରଥମ ରାଉଣ୍ଡ୍‌ରୁ ଦଳ ବିଦାୟ ନେଇଛି। ୧୯୩୦ରେ ବିଜେତା ଉରୁଗୁଏ ୧୯୩୪ରେ ଇଟାଲି ଗସ୍ତ କରିନଥିଲା। ସେ ଦୃଷ୍ଟିରୁ ଏହାକୁ ବାଦ୍‌ ଦେଲେ ବିଶ୍ୱକପ୍‌ ଇତିହାସରେ ମୋଟ ୬ ଘଟଣା ଏଭଳି ନଜରକୁ ଆସିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଇଟାଲି ଲଗାତାର ବିଜେତା ହୋଇଥିଲା। କିନ୍ତୁ ୧୯୪୯ରେ ବିମାନ ଦୁର୍ଘଟଣାରେ ଏକାଧିକ ଅନ୍ତର୍ଜାତୀୟ ଖେଳାଳିଙ୍କୁ ହରାଇବା ପରେ ୧୯୫୦ ସଂସ୍କରଣରେ ସ୍ୱିଡେନ୍‌ଠୁ ୨-୩ରେ ହାରିବା ପରେ ପାରାଗୁଏକୁ ୨-୦ରେ ହରାଇବା ସତ୍ତ୍ୱେ ବାଦ୍‌ ପଡ଼ିଥିଲା।

୧୯୬୬ ମସିହାରେ ପେଲେଙ୍କ ଦଳ ଇଂଲଣ୍ଡ ବିଶ୍ୱକପ୍‌କୁ ଆସିଥିବା ବେଳେ ଲଗାତାର ବିଶ୍ୱ ବିଜେତା ହୋଇଥିଲା। ଏଥର କିନ୍ତୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପେଲେ ଓ ଗାରିଞ୍ଛାଙ୍କ ଗୋଲ୍‌ ବଳରେ ବ୍ରାଜିଲ୍‌ ୨-୦ ଗୋଲ୍‌ରେ ବୁଲ୍‌ଗେରିଆକୁ ହରାଇଥିଲା। କିନ୍ତୁ ପେଲେଙ୍କୁ ବୁଲ୍‌ଗେରିଆ ଖେଳାଳି ଦେଇଥିବା ଖରାପ ଫାଉଲ୍‌ ପାଇଁ ସେ ପରବର୍ତୀ ମ୍ୟାଚ୍‌ ଖେଳିନପାରିବା ମହଙ୍ଗା ପଡ଼ିଥିଲା। ହଙ୍ଗେରି ହାତରୁ ଦଳ ୧-୩ରେ ହାରିଯାଇଥିଲା। ଏସେବିଓଙ୍କ ପର୍ତୁଗାଲ୍‌ ନିକଟରୁ ଦଳ ଶେଷ ଲିଗ୍‌ରେ ସମାନ ୧-୩ରେ ହାରି ବିଦାୟ ନେଇଥିଲା। ୨୦୦୨ରେ ଜାପାନ ଓ ଦକ୍ଷିଣ କୋରିଆ ବିଶ୍ୱକପ୍‌ ଆସିଥିବା ୧୯୯୮ ବିଜେତା ଫ୍ରାନ୍‌ସକୁ ଗୋଲଶୂନ୍ୟ ଓ ବିଜୟଶୂନ୍ୟ ଭାବେ ବିଦାୟ ନେବାକୁ ପଡ଼ିଥିଲା। ସେନେଗାଲଠୁ ୦-୧ରେ ହାରିବାପରେ ଉରୁଗୁଏ ସହ ୦-୦ରେ ସୀମିତ ରହିଥିଲା। ଶେଷରେ ଜିନେଦିନ୍‌ ଜିଦାନଙ୍କ ଲେଉଟାଣୀ ସତ୍ତ୍ୱେ ୦-୨ରେ ଡେନ୍‌ମାର୍କ ନିକଟରୁ ହାରି ବିଦାୟ ନେଇଥିଲା।

୨୦୦୬ରେ କରିସ୍ମା କରିବା ପରେ ୨୦୧୦ରେ ଆଜୁରି ଦଳ ଇଟାଲି ବିଫଳ ହୋଇଥିଲା ଟ୍ରଫି ବଜାୟ ରଖିବାରେ। ଜିଓଲୁଗି ବଫନ୍‌, ଫାବିଓ କାନାଭାରୋ ଏବଂ ମାର୍ସେଲୋ ଲିପିଙ୍କ ଭଳି ଖେଳାଳି ଥିବା ଇଟାଲିକୁ ଏଥର ଗୋଟିଏ ବି ବିଜୟ ମିଳିନଥିଲା। ପାରାଗୁଏ ଏବଂ ନ୍ୟୁଜିଲାଣ୍ଡ୍‌ ସହ ପଏଣ୍ଟ ଭାଗ କରିବା ପରେ ଇଟାଲିକୁ ୩-୨ରେ ଚକିତ କରି ସ୍ଲୋଭାକିଆ ହିଁ ଆଗକୁ ବଢ଼ିଯାଇଥିଲା।

୨୦୧୪ରେ ମଧ୍ୟ ସମ ଦଶା ଭୋଗିଥିଲା ସ୍ପେନ୍‌। ୪ ବର୍ଷ ତଳେ ବିଶ୍ୱ ବିଜେତା ହୋଇଥିବା ଭିସେଣ୍ଟ୍‌ ଡେଲ୍‌ ବସ୍କ୍‌ଙ୍କ ଦଳ ୨୦୦୮ରୁ ୨୦୧୨ ମଧ୍ୟରେ ୩ଟି ପ୍ରମୁଖ ମୁକୁଟ ଜିତି ବ୍ରାଜିଲ୍‌ ପହଞ୍ଚିଥିଲା। କିନ୍ତୁ ବିଜେତାଙ୍କ ଅଭିଶପ୍ତ ଦଳ ଭଳି ପୁଣି ଥରେ ଧାରାକୁ ଆଗକୁ ନେବାରେ ସହୟକ ସାଜିଥିଲା। ନେଦରଲାଣ୍ଡ୍‌ ନିକଟରୁ ୧-୫ ଏବଂ ଚିଲି ହାତରୁ ୦-୨ରେ ହାରିବାପରେ ଆଇକର୍‌ କାସିଲାସ ଓ ଜାଭି ହର୍ଣ୍ଣାଣ୍ଡେଜ୍‌ ଓ ଜାଭି ଆଲୋଁସୋଙ୍କ ଦଳ ଅଷ୍ଟ୍ରେଲିଆକୁ ୩-୦ରେ ହରାଇ କେବଳ ସାନ୍ତ୍ୱନାର ସହ ସ୍ୱେଦେଶ ଫେରିଥିଲା।

ଯିବନି ଜୋଚିମଙ୍କ ଚାକିରି
ବିଜେତା ଜର୍ମାନି ମସ୍କୋ ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରୁ ହୃଦୟ ବିଦାରକ ବିଦାୟ ନେଇଥିଲେ ମଧ୍ୟ ଏହି ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଚିମ ଲୋ’ଙ୍କ ଚାକିରି ଯିବନି। ଜର୍ମାନି ଫୁଟ୍‌ବଲ୍‌ ସଂଘର ସଭାପତି ରେନହାର୍ଡ ଗ୍ରିଣ୍ଡେଲ ଗୁରୁବାର ଏହା ସ୍ପଷ୍ଟ କରି ଦେଇଛନ୍ତି। ଜୋଚିମ ତାଙ୍କ ଦକ୍ଷତାର ପ୍ରମାଣ ବାରମ୍ବାର ଦେଇଛନ୍ତି। ଗତବର୍ଷ ରୁଷିଆରେ ଆୟୋଜିତ କନଫେଡେରେସନ୍‌ କପ୍‌ରେ ସେ ହିଁ ଜର୍ମାନିକୁ ବିଜେତା କରାଇଥିଲେ। ଏଣୁ ଯୁବ ଖେଳାଳିମାନେ ତାଙ୍କ ଅଧୀନରେ ଅଧିକ ପ୍ରସ୍ଫୁଟିତ ହୋଇ ପାରିବେ ବୋଲି ଆମେ ଭାବୁଛୁ ବୋଲି ଗ୍ରିଣ୍ଡେଲ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ତେବେ ଲୋ ଆଉ ଜର୍ମାନିର ପ୍ରଶିକ୍ଷକ ପଦରେ ରହିବାକୁ ଚାହୁଁ ନାହାନ୍ତି। କିଛି ଦିନ ତଳେ ସେ ୨୦୨୨ ପର୍ଯ୍ୟନ୍ତ ଜର୍ମାନି ଜାତୀୟ ଦଳର ପ୍ରଶିକ୍ଷକ ରହିବା ପାଇଁ ଚୁକ୍ତିି କରିଥିଲେ। ହେଲେ ତା ପୂର୍ବରୁ ସେ ହୁଏତ ନିଜ ପଦ ପରିତ୍ୟାଗ କରି ପାରନ୍ତି। ପୂର୍ବତନ ଖେଳାଳି ଲୋ ୨୦୦୬ରେ ଜର୍ମାନିର ମୁଖ୍ୟ ପ୍ରଶିକ୍ଷକ ପଦ ଗ୍ରହଣ କରିଥିଲେ। ୨୦୧୪ରେ ଜର୍ମାନି ତାଙ୍କ ଅଧୀନରେ ବିଶ୍ୱକପ୍‌ ଜିତିଥିଲା। ୨୦୧୦ରେ ଜର୍ମାନି ତୃତୀୟ ସ୍ଥାନରେ ରହିଥିଲା।

ଜର୍ମାନିରେ ଜାତୀୟ ଦୁଃଖ
ବିଶ୍ୱ ବିଜେତା ଜର୍ମାନି ୫୬ ସ୍ଥାନ ତଳେ ଥିବା କୋରିଆଠାରୁ ହାରି ମସ୍କୋ ବିଶ୍ୱକପ୍‌ର ପ୍ରଥମ ପର୍ଯ୍ୟାୟରୁ ଲଜ୍ଜାଜନକ ଓ ଅପ୍ରତ୍ୟାଶିତ ଭାବେ ବିଦାୟ ନେବା ପରେ ସେହି ଦେଶର ପ୍ରଶଂସକ ଏବେ ପୂରା କ୍ଷୁବ୍ଧ। ଅନେକ ପ୍ରଶଂସକ ଖୋଲା ଖୋଲି ଭାବେ ମୁଖ୍ୟ ପ୍ରଶିକ୍ଷକ ଜୋଚିମ ଲୋ’ଙ୍କ ଇସ୍ତଫା ଦାବି କରିଛନ୍ତି। ଲୋ’ଙ୍କୁ ତୁରନ୍ତ ବରଖାସ୍ତ କରିବା ଲାଗି ସେମାନେ ଦାବି କରିଛନ୍ତି। କୋରିଆଠାରୁ ହାରିବା ପରେ ଜର୍ମାନ ପ୍ରଶଂସକମାନେ ରାତି ସାରା କାନ୍ଦିଥିବାର ଖବର ମଧ୍ୟ ମିଳିଛି। ଜର୍ମାନିର ଅଧିକାଂଶ ଖବରକାଗଜ ଲୋ’ଙ୍କୁ ଖଳନାୟକ ଭାବେ ଚିତ୍ରଣ କରିଛନ୍ତି। ସେମାନେ ଏକଥାକୁ ଏବେବି ବିଶ୍ୱାସ କରି ପାରୁ ନାହାନ୍ତି। ସେପଟେ ଗୁରୁବାର ସକାଳୁ ସକାଳୁ ରୁଷିଆ ଛାଡ଼ିଥିବା ଜର୍ମାନ ଜାତୀୟ ଦଳର ଖେଳାଳିମାନେ ପ୍ରଶଂସକଙ୍କୁ ନିଜ ଦୁର୍ବଳ ପ୍ରଦର୍ଶନ ପାଇଁ କ୍ଷମା ମାଗି ନେଇଛନ୍ତି।

ସମ୍ବନ୍ଧିତ ଖବର