ବିଜେନ୍ଦରଙ୍କ ଦଶମ ବିଜୟ

ଜୟପୁର: ଭାରତର ପ୍ରଥମ ପେସାଦାର ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ ପୁଣି ଥରେ ରିଙ୍ଗ୍‌ରେ ରଙ୍ଗ ଦେଖାଇଛନ୍ତି। ନିଜ ଖେଳ ଜୀବନର ଲଗାତାର ଦଶମ ବିଜୟ ସହିତ ଡବ୍‌ଲ୍ୟୁବିଓ ଏସିଆ ପାସିଫିକ୍‌ ଓ ଓରିଏଣ୍ଟାଲ୍‌ ମୁକୁଟ ବଜାୟ ରଖିଛନ୍ତି। ଶନିବାର ଜୟପୁରର ସବାଇ ମାନସିଂହ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ସୁପର ମିଡ୍‌ଲେଓ୍ଵଟ୍‌ ଲଢ଼େଇରେ ୩୨ ବର୍ଷୀୟ ଏହି ଅଲିମ୍ପିକ୍‌ ପଦକ ବିଜେତା ଭାରତୀୟ ତାରକା ଘାନାର ଏର୍ନେଷ୍ଟ ଆମୁଜୁଙ୍କୁ ସର୍ବସମ୍ମତ ନିଷ୍ପତ୍ତିରେ ପରାସ୍ତ କରିଥିଲେ। ଏଥି ସହିତ ନିଜ ପେସାଦାର ଖେଳ ଜୀବନର ବିଜୟ-ପରାଜୟ ପରିସଂଖ୍ୟାନକୁ ବିଜେନ୍ଦର ୧୦-୦ରେ ପହଞ୍ଚାଇ ଅପରାଜେୟ କୀର୍ତିମାନ ଅତୁଟ ରଖିଛନ୍ତି। ଶନିବାର ପ୍ରାରମ୍ଭିକ କିଛି ରାଉଣ୍ଡ୍‌ରେ ଉଭୟ ମୁଷ୍ଟିଯୋଦ୍ଧା ସତର୍କତାର ସହ ଖେଳିଥିଲେ ମଧ୍ୟ ବିଜେନ୍ଦର ମଝିରେ ମଝିରେ ମୁଥ ମାରିବାରେ ସକ୍ଷମ ହୋଇଥିଲେ। ଆଜୁମୁ ନିଜ ଅଭିଜ୍ଞତାର ଠିକଣା ଉପଯୋଗ କରି ଶେଷ ରାଉଣ୍ଡ୍‌ ପର୍ଯ୍ୟନ୍ତ ମୁକାବିଲାକୁ ନେଇଥିଲେ ଏବଂ ବିଜେନ୍ଦରଙ୍କୁ ସହଜ ବିଜୟରୁ ବଞ୍ଚିତ ରଖିଥିଲେ।
ସମାନ ଓଜନ ବର୍ଗରେ ନ ଥିଲେ ମଧ୍ୟ ବ୍ରିଟିଶ୍‌ ମୁଷ୍ଟିଯୋଦ୍ଧା ଅମିର୍‌ ଖାନ୍‌ଙ୍କ ଆହ୍ଵାନକୁ ସ୍ୱୀକାର କରିଥିବା ବିଜେନ୍ଦର କହିଛନ୍ତି ଯଦି ଏହା ବାସ୍ତବରେ ସମ୍ଭବ ହେବ ତେବେ ମୁଁ ଲଢ଼ିବାକୁ ପ୍ରସ୍ତୁତ। ପେସାଦାର ସର୍କିଟରେ ପୂର୍ବତନ ବିଶ୍ୱ ଲାଇଟ୍‌ େଓ୍ଵଲଟର୍‌େଓ୍ଵଟ୍‌ ବିଜେତା ଅମିର୍‌ ଖାନ୍‌ ମଧ୍ୟ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି। ଏହି ମୁକାବିଲା ଆସନ୍ତା ବର୍ଷ ଅନୁଷ୍ଠିତ ହେବା ସମ୍ଭାବନା ରହିଛି। ତେବେ ଅମିର୍‌ ଲାଇଟ୍‌ େଓ୍ଵଲ୍‌ଟର୍‌େଓ୍ଵଟ୍‌ ଏବଂ ବିଜେନ୍ଦର ସୁପର ମିଡ୍‌ଲେଓ୍ଵଟ୍‌ ବର୍ଗରେ ଅଛନ୍ତି।

ସମ୍ବନ୍ଧିତ ଖବର