ଆମେରିକା ପଦାର୍ପଣ, ବିଜେନ୍ଦର ବିଜେତା

ସ୍ନାଇଡରଙ୍କୁ କଲେ ନକ୍ ଆଉଟ୍‌, ପେସାଦାର ଜୀବନର ଏକାଦଶ ବିଜୟ, ଅଷ୍ଟମ୍ ଥର ନକ୍‌ ଆଉଟ୍

ନ୍ୟୁୟର୍କ: ଭାରତୀୟ ତାରକା ବିଜେନ୍ଦର ସିଂହ ନିଜ ପେସାଦାର ମୁଷ୍ଟିଯୋଦ୍ଧା ଜୀବନରେ ଆଉ ଏକ ସଫଳତା ପାଇଛନ୍ତି। ଆମେରିକାରେ ପ୍ରଥମ ପଦାର୍ପଣ ଲଢ଼େଇରେ ମାଇକ୍ ସ୍ନାଇଡରଙ୍କୁ ହରାଇ ଲଗାତାର ଏକାଦଶ ପେସାଦାର ବିଜୟ ହାସଲ କରିଛନ୍ତି। ଅଲିମ୍ପିକ୍ ପଦକ ବିଜେତା ଏହି ହରିଆନା ପ୍ରତିଭା ଶନିବାର ରାତି ଲଢ଼େଇରେ ଅଭିଜ୍ଞ ସ୍ନାଇଡରଙ୍କୁ ଟେକନିକାଲ୍ ନକ୍ ଆଉଟ୍‌ (ଟିକେଓ)ରେ ହରାଇଥିଲେ। ଆମେରିକୀୟ ପେସାଦାର ସର୍କିଟରେ ଏହା ଥିଲା ବିଜେନ୍ଦରଙ୍କ ପ୍ରଥମ ପଦାର୍ପଣ। ଭାରତୀୟ ସମୟ ରବିବାର ପ୍ରତ୍ୟୁଷରେ ୮ ରାଉଣ୍ଡ୍ ବିଶିଷ୍ଟ ଏହି ସୁପର ମିଡଲ୍‌ୱେଟ୍‌ ମୁକାବିଲାକୁ ବିଜେନ୍ଦର ୪ ରାଉଣ୍ଡ୍‌ରେ ଜିତି ନେଇଥିଲେ। ‘ଲମ୍ବା ସମୟର ବ୍ୟବଧାନ ପରେ ରିଙ୍ଗକୁ ପ୍ରତ୍ୟାବର୍ତନ କରିବା ପରେ ସଫଳ ହେବା ବଡ଼ କଥା, ଆମେରିକାରେ ପଦାର୍ପଣ ବିଜୟ ମଧ୍ୟ ମୋତେ ଉଲ୍ଲସିତ କରିଛି’ ବୋଲି ବିଜେନ୍ଦର ପ୍ରକାଶ କରିଥିଲେ। ଚତୁର୍ଥ ରାଉଣ୍ଡ୍ ପ୍ରାରମ୍ଭରେ ବିଜେନ୍ଦରଙ୍କ ଲଗାତାର ମୁଥରେ ସ୍ନାଇଡର୍‌ କିଂ କର୍ତବ୍ୟ ବିମୁଢ଼ ହୋଇଯାଇଥିଲେ, ରେଫରିଙ୍କୁ ମୁକାବିଲା ରୋକିବାକୁ ପଡ଼ିଥିଲା। ମୁଁ ଏହି ମୁକାବିଲାକୁ ୨/୩ ରାଉଣ୍ଡରେ ଶେଷ କରିବା ଆଶାରେ ଥିଲି। କିନ୍ତୁ ସୁଇଙ୍ଗ୍ ପାଇବା ଲାଗି ସମୟ ଲାଗିଥିଲା ବୋଲି ମଧ୍ୟ ବିଜେନ୍ଦର ପ୍ରକାଶ କରିଥିଲେ। ଏହା ବିଜେନ୍ଦରଙ୍କ ପେସାଦାର ଖେଳ ଜୀବନର ଅଷ୍ଟମ ନକ୍ ଆଉଟ୍ ବିଜୟ। ୩୮ ବର୍ଷୀୟ ସ୍ନାଇଡର୍‌ ବିଶେଷ କିଛି ପ୍ରଭାବ ଛାଡ଼ି ପାରିନଥିଲେ। ବର୍ଷକ ପରେ ସେ ପ୍ରଥମ ମୁକାବିଲା ଲଢ଼ିଥିଲେ। ସ୍ଥାନୀୟ ତାରକା ସ୍ନାଇଡର୍ ଏହି ମୁକାବିଲା ପୂର୍ବରୁ ୧୩-୫-୩ ସଫଳତା ପାଇଥିଲେ ମଧ୍ୟ ବିଜେନ୍ଦରଙ୍କ ପାଇଁ କୌଣସି ବିପଦ ଆଣି ପାରିନଥିଲେ। ଡବଲ୍ୟୁବିଓ ଏସିଆ ପାସିଫିକ୍‌ ପୂର୍ବତନ ବିଜେତା ବିଜେନ୍ଦର ଗତ ସାଧାରଣ ନିର୍ବାଚନରେ ନୂଆଦିଲ୍ଲୀରୁ ଲଢ଼ି ହାରିଥିଲେ। ହଲ୍‌ ଅଫ୍‌ ଫେମ ତାରକା ବବ୍‌ ଅରୁମଙ୍କ ସହ ଅନୁବଂଧିତ ହେବା ପରେ ଚଳିତ ବର୍ଷ ସେ ଆଉ ଦୁଇଟି ମୁକାବିଲା ଲଢ଼ିବାକୁ ଯୋଜନା ରଖିଛନ୍ତି। ୨୦୧୫ ମସିହାରୁ ପେସାଦାର ଜୀବନ ଆରମ୍ଭ କରିଥିବା ବିଜେନ୍ଦର ବ୍ରିଟିସ୍ ଟ୍ରେନର୍ ଲି ବର୍ଡଙ୍କ ତତ୍ବାବଧାନରେ ରହିଛନ୍ତି। ବିଜେନ୍ଦରଙ୍କ ସଙ୍କଳ୍ପବଦ୍ଧତାକୁ ବର୍ଡ ଉଚ୍ଚ ପ୍ରଶଂସା କରିଛନ୍ତି। ଲମ୍ବା ବ୍ୟବଧାନ ପରେ ବିଜେନ୍ଦର ଠିକଣା ପଥକୁ ଆସିଥିବାରୁ ମୁଁ ଖୁସି ବୋଲି ବର୍ଡ କହିଛନ୍ତି। ପରବର୍ତୀ ମୁକାବିଲା କିଛି ମାସ ମଧ୍ୟରେ ଜଣେ ପୂର୍ବତନ ଅଲିମ୍ପିକ୍ ପଦକ ବିଜେତାଙ୍କ ସହିତ ହେବ ବୋଲି ବିଜେନ୍ଦରଙ୍କ ପ୍ରମୋଟର୍‌ ଆଇଓଏସ୍‌ ବକ୍ସିଂ ପରିଚାଳନା ନିର୍ଦେଶକ ନୀରବ ତୋମାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର