ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମଠାରେ ସୋମବାର କ୍ରୀଡ଼ା ସଚିବ ବିଶାଳ ଦେବ ପାତକା ହଲାଇ ଚତୁର୍ଥ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ଦେବ ଅଭିଯାନରେ ସାମିଲ ଥିବା ଉତ୍ସାହୀ ପର୍ବତାରୋହୀଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ଏଭରେଷ୍ଟ ବିଜୟୀ ଗଣେଶ ଜେନାଙ୍କ ନେତୃତ୍ବରେ ରାଜ୍ୟର ୧୦ ଜଣ ବାଳକ ଏବଂ ୫ ଜଣ ବାଳିକା ‌ହିମାଳୟର ଲେହ ଅଞ୍ଚଳରେ ଥିବା ମାଉଣ୍ଟ ଷ୍ଟକ୍ କାଙ୍ଗ୍ରି (୨୦, ୧୮୭ ଫୁଟ ଉଚ୍ଚ)ର ଆରୋହଣ କରିବେ। କିମ୍ବଦନ୍ତୀ ପର୍ବତାରୋହୀ ତଥା ପଦ୍ମଶ୍ରୀ ବଛେନ୍ଦ୍ରୀ ପାଲଙ୍କ ମାର୍ଗଦର୍ଶନରେ ଏହି ଅଭିଯାନ ଆୟୋଜିତ ହେଉଛି। କ୍ରୀଡ଼ା ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ହରେଶ କୁମାର ମିଶ୍ର ଦଳ ସହ ଲେହ ବେସ୍ କ୍ୟାମ୍ପ ଯିବେ। ସୂଚନାଯୋଗ୍ୟ ଯେ ଚତୁର୍ଥ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ୯୭ଜଣ ଆଶାୟୀ ଆବେଦନ କରିଥିଲେ। ସେଥିମଧ୍ୟରୁ ୬୫ ଜଣ (୫୩ ବାଳକ, ୧୨ ବାଳିକା) ସମ୍ଭାବ୍ୟ ଦଳ ପାଇଁ ଚୟନ ହୋଇଥିଲେ। କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ପ୍ରାକ୍ ଅଭିଯାନ ପ୍ରସ୍ତୁତି ଶିବିରରୁ ୩୦ ଜଣ (୨୦ ବାଳକ, ୧୦ ବାଳିକା)ଙ୍କୁ ନେଇ ଉତ୍ତରକାଶୀରେ ଅଗଷ୍ଟ ୨ରୁ ୧୨ ପର୍ଯ୍ୟନ୍ତ ଆଉ ଏକ ପ୍ରସ୍ତୁତି ଶିବର ଆୟୋଜନ ହୋଇଥିଲା। ସେଥିମଧ୍ୟରୁ ୧୫ ଜଣିଆ ଚୂଡ଼ାନ୍ତ ଦଳ ବଛାଯାଇଥିଲା। ସୂଚନାଯୋଗ୍ୟ ଯେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶତକୀୟ ଜନ୍ମତିଥି ପାଳନ ଉପଲକ୍ଷେ ୨୦୧୬ରୁ ଏହି ଅଭିଯାନ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଛି। ଅଭିଯାନରେ ସ୍ଥାନ ପାଇଥିବା ପର୍ବତାରୋହୀମାନେ ହେଲେ: ଟୁଲୁ ସେନ୍, ରୁଦ୍ର ନାରାୟଣ ଲେଙ୍କା, ଏ ବାଳକୃଷ୍ଣ ରେଡ୍ଡୀ, ଦୁଖବନ୍ଧୁ ମାଝୀ, ପ୍ରକାଶ ବେହେରା, ଅଭିଷେକ ବେହେରା, ଦେବାଶିଷ ମହାନ୍ତ, ଶୁଭ୍ରାଂଶୁ ଶେଖର ସାହୁ, ସତ୍ୟବ୍ରତ ଦାସ, ଅବିନାଶ ସାହୁ, ରିଙ୍କୁ ସାହୁ, ପ୍ରୀତି ପୋଢ଼, ବିଭାରାଣୀ ପାତ୍ର, ରଚିତା ନାୟକ, ମାମାଲି ପ୍ରଧାନ।

ସମ୍ବନ୍ଧିତ ଖବର