ବିନୁ ମଙ୍କଡ଼ ଟ୍ରଫିରେ ଓଡ଼ିଶା ପରାସ୍ତ

କଟକ: ଧାନବାଦ୍‌ରେ ଖେଳାଯାଇଥିବା ବିନୁ ମଙ୍କଡ଼ ଟ୍ରଫିରେ ଓଡ଼ିଶା ପରାସ୍ତ ହୋଇଛି। ୧୦ ତାରିଖରେ ବର୍ଷା ଯୋଗୁଁ ବାତିଲ ତ୍ରିପୁରା ବିପକ୍ଷ ମ୍ୟାଚ୍‌ ରବିବାର ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ତ୍ରିପୁରା ୩ ଓ୍ଵିକେଟରେ ଜିତିଯାଇଥିଲା। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓଡ଼ିଶା ୮ ଓ୍ଵିକେଟ ହରାଇ ୧୬୭ ରନ୍‌ କରିଥିଲା। ସ୍ୱସ୍ତିକ ସାମଲ ୩୮, ରଘୁନାଥ ମଲ୍ଲ ୨୬, କ୍ଷମା ସାଗର ବଳ ୨୨, କୁନାଲ ମଲ୍ଲିକ ୧୭ ରନ୍‌ କରିଥିଲା ବେଳେ ସୋମେନ ଚାନ୍ଦ (୩୮) ଓ ସତ୍ୟକାମ ଭରଦ୍ୱାଜ (୧୫) ଅପରାଜିତ ରହିଥିଲେ। ତ୍ରିପୁରାର ଏଏ ଦାସ ୩ ଓ ସୁଜିତ୍‌ ଦେବ ୨ ଓ୍ଵିକେଟ ନେଇଥିଲେ। ଜବାବରେ ତ୍ରିପୁରା ୪୫.୧ ଓଭରରେ ୭ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଓଡ଼ିଶା ପାଇଁ କ୍ରିଷ୍ଣା ପଲାଇ ୩, ଶିବାଶିଷ ସାହୁ ୨, ରଘୁନାଥ ମଲ୍ଲ ୧ ଓ୍ଵିକେଟ ନେଇଥିଲେ। ସୋମବାର ଓଡ଼ିଶାର ମୁକାବିଲା ବେଙ୍ଗଲ ସହିତ ହେବ।

ଓଡ଼ିଶା ମ୍ୟାଚ୍‌ ପାଉଣା କଟିଲା

ଶନିବାର ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ପଡ଼ିଆକୁ ନ ଓହ୍ଲାଇ ଦଣ୍ଡିତ ହୋଇଛି। ମ୍ୟାଚ୍‌ ପାଉଣା ୧୦ ପ୍ରତିଶତ କାଟିଦିଆଯାଇଥିବାବେଳେ ଅଧିନାୟକ ଏବଂ ପ୍ରଶିକ୍ଷକଙ୍କ ପାଉଣାରୁ ୨୦ ପ୍ରତିଶତ କଟାଯାଇଛି। ପ୍ରତିବାଦ କରିବା ପୂର୍ବରୁ ଓଡ଼ିଶା ଅଧିନାୟକ ଓ ପ୍ରଶିକ୍ଷକ ଅମ୍ପାୟରଙ୍କ ସହ ଯୁକ୍ତି ତର୍କ କରିବା ଏବଂ ନ ଖେଳିବାର ପରିଣତି ଭୋଗିଛନ୍ତି। ଏମାନେ ବିସିସିଆଇ ଲେବୁଲ୍‌-୧ ଆଚରଣ ସଂହିତାର ଧାରା ୨.୧.୮ର ଉଲ୍ଲଂଘନ କରିଥିବାରୁ ମ୍ୟାଚ୍‌ ରେଫରି ଏଭଳି ଦଣ୍ଡ ଶୁଣାଇଛନ୍ତି। ପଡ଼ିଆ ଓଦା ଥିବାରୁ ଏହା ବିପଜ୍ଜନକ ଦର୍ଶାଇ ଓଡ଼ିଶା ଏହି ମ୍ୟାଚ୍‌ ଲାଗି ନ ଖେଳିବା ଏବେ ମହଙ୍ଗା ପଡ଼ିଛି। କିନ୍ତୁ ଯୁବ ଖେଳାଳିମାନଙ୍କ ଦାୟିତ୍ୱରେ ଥିବା ପ୍ରଶିକ୍ଷକ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ଅନେକ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର