ବିନୟଙ୍କ ବିରଳ ହ୍ୟାଟ୍ରିକ୍‌: ମୁମ୍ବାଇ ୧୭୩

ରଣଜୀ କ୍ୱାର୍ଟର୍‌ ଫାଇନାଲ୍‌ ଆରମ୍ଭ

ନାଗପୁର: ରଣଜୀ ଟ୍ରଫି କ୍ୱାର୍ଟର୍‌ ଫାଇନାଲ୍‌ ଗୁରୁବାରଠୁ ଆରମ୍ଭ ହୋଇଛି। ନାଗପୁରରେ କର୍ଣ୍ଣାଟକ-ମୁମ୍ବାଇ, ମୁଲାପଡ଼ୁରେ ମଧ୍ୟପ୍ରଦେଶ-ଦିଲ୍ଲୀ, ଜୟପୁରରେ ଗୁଜରାଟ-ବେଙ୍ଗଲ ଏବଂ ସୁରତ୍‌ରେ କେରଳ-ବିଦର୍ଭ ମୁକାବିଲା ହେଉଛି। ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ କର୍ଣ୍ଣାଟକର ଅଧିନାୟକ ବିନୟ କୁମାରଙ୍କ ହ୍ୟାଟ୍ରିକ ଉଲ୍ଲେଖନୀୟ ଥିଲା। ବିନୟ କୁମାର ପ୍ରଥମ ଅଧିନାୟକ ଏବଂ ଷଷ୍ଠ ବୋଲର ଭାବେ ରଣଜୀ ଟ୍ରଫି ନକ୍‌ ଆଉଟ୍‌ରେ ଏହି ହ୍ୟାଟ୍ରିକ୍‌ ପାଇଥିଲେ। ତାଙ୍କ ପୂର୍ବରୁ ହୋଲକରର ସିଟି ସାରଓ୍ଵାତେ (ବିହାର ବିପକ୍ଷ ୧୯୪୮-୫୦), ତାମିଲନାଡ଼ୁର ବି କଲ୍ୟାଣସୁନ୍ଦରମ୍‌ (ମୁମ୍ବାଇ ବିପକ୍ଷ ୧୯୭୨-୭୩), କର୍ଣ୍ଣାଟକର ଏଆର୍‌ ଭଟ୍ଟ (ମୁମ୍ବାଇ ବିପକ୍ଷ ୧୯୮୯-୯୦), ବେଙ୍ଗଲର ଏସପି ମୁଖାର୍ଜୀ (ହାଇଦ୍ରାବାଦ ବିପକ୍ଷ ୧୯୮୯-୯୦), ବେଙ୍ଗଲର ଏସ୍‌ ସେନଶର୍ମା (ଦିଲ୍ଲୀ ବିପକ୍ଷ ୧୯୯୩-୯୪) ହ୍ୟାଟ୍ରିକ୍‌ ହାସଲ କରିଥିଲେ। ଏହା ବିନୟ କୁମାରଙ୍କ ଦ୍ୱିତୀୟ ହ୍ୟାଟ୍ରିକ୍‌। ଦୁଇଟି ହ୍ୟାଟ୍ରିକ୍‌ ପାଇବାରେ ସେ ଭାରତର ଚତୁର୍ଥ ତଥା ଅନୀଲ କୁମ୍ବଲେଙ୍କ ପରେ ଦ୍ୱିତୀୟ କର୍ଣ୍ଣାଟକ ବୋଲର ହୋଇଛନ୍ତିି।

ନାଗୁପରରେ ବିନୟ (୧୫-୨-୩୪-୬)ଙ୍କ ଘାତକ ବୋଲିଂ ମୁମ୍ବାଇ ପ୍ରଥମ ପାଳିକୁ ମାତ୍ର ୧୭୩ ରନ୍‌ରେ ସଫା କରିଦେଇଥିଲା। ମୁମ୍ବାଇ ପକ୍ଷରୁ ଏକମାତ୍ର ଧଓ୍ଵଲ୍‌ କୁଲକର୍ଣ୍ଣି (୭୫) ଅର୍ଧଶତକ କରିଥିଲେ। ଜବାବରେ କର୍ଣ୍ଣାଟକ ପ୍ରଥମ ଦିନ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୧୧୫ ରନ୍‌ କରିଛି। ଆର୍‌ ସମର୍ଥ (୪୦) ଆଉଟ୍‌ ହୋଇଥିଲା ବେଳେ ମୟଙ୍କ ଅଗ୍ରଓ୍ଵାଲ୍‌ (୬୨) ଏବଂ କୌନେ ଆବାସ (୧୨) ବ୍ୟାଟିଂ ଜାରି ରଖିଛନ୍ତି। ମଧ୍ୟପ୍ରଦେଶ ୨୨୩/୬ ଆନ୍ଧ୍ରପ୍ରଦେଶର ମୁଲାପଡ଼ୁରେ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ମଧ୍ୟପ୍ରଦେଶ ପ୍ରଥମ ଦିନ ଶେଷ ସୁଦ୍ଧା ୬ ଓ୍ଵିକେଟ୍‌ ହରାଇ ୨୨୩ ରନ୍‌ କରିଛି। ଅଙ୍କିତ ଦାନେ (୫୯) ଅର୍ଧଶତକ କରିଥିଲା ବେଳେ ନମନ ଓଝା (୪୯) ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ହରପ୍ରୀତ୍‌ ସିଂହ ଭାଟିଆ (୪୭*) ଏବଂ ପୁନୀତ ଦାତେ (୮*) ବ୍ୟାଟିଂ କରୁଛନ୍ତି। ଈଶ୍ୱରନ୍‌ଙ୍କ ଶତକ: ବେଙ୍ଗଲ ୨୬୧/୬ ରାଜସ୍ଥାନର ଜୟପୁରରେ ଗୁଜରାଟ ବିପକ୍ଷ ମ୍ୟାଚ୍‌ରେ ଏଆର୍‌ ଈଶ୍ୱରନ୍‌ (୧୨୯)ଙ୍କ ଶତକ ଏବଂ ଅନୁସ୍ତୁପ ମଜୁମଦାର (୯୪)ଙ୍କ ଅର୍ଧଶତକ ବଳରେ ବେଙ୍ଗଲ ପ୍ରଥମ ଦିନ ସୁଦ୍ଧା ୬ ଓ୍ଵିକେଟ୍‌ ହରାଇ ୨୬୧ ରନ୍‌ କରିଛି। ଈଶ୍ୱର ଚୌଧୁରୀ ୩ ଏବଂ ସିଟି ଗଜ ୨ ଓ୍ଵିକେଟ୍‌ ନେଇଥିଲେ। ବର୍ଷା ବାଧକ; ବିଦର୍ଭ ୪୫/୩ ଗୁଜରାଟର ସୁରତ୍‌ରେ ବିଦର୍ଭ-କେରଳ ମ୍ୟାଚ୍‌ ପ୍ରଥମ ଦିନ ବର୍ଷା ବାଧା ସୃଷ୍ଟି କରିଥିଲା। ତେବେ ସମ୍ଭବ ହୋଇଥିବା ୨୪ ଓଭର ଖେଳରେ ବିଦର୍ଭ ୩ ଓ୍ଵିକେଟ୍‌ ହରାଇ ୪୫ ରନ୍‌ କରିଛି।

ସମ୍ବନ୍ଧିତ ଖବର