ବିପ୍ଳବଙ୍କ ଶତକ ବଞ୍ଚାଇଲା

ଭୁବନେଶ୍ବର: ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ମ୍ୟାଚ୍ ବଞ୍ଚାଓ ଶତକ ବଳରେ ଓଡ଼ିଶା ୧ ପଏଣ୍ଟରୁ ନୂଆ ରଣଜୀ ଋତୁ ଆରମ୍ଭ କରିଛି। କିଟ୍ କ୍ରିକେଟ ଷ୍ଟାଡିୟମରେ ରବିବାର ଶେଷ ହୋଇଥିବା ହରିଆଣା ବିପକ୍ଷ ଏହି ପ୍ରଥମ ରାଉଣ୍ଡ ମ୍ୟାଚକୁ ଓଡ଼ିଶା ଅମୀମାଂସିତ ରଖିଛି। ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଭ୍ରମଣକାରୀ ହରିଆଣା ଦଳ ୩ ପଏଣ୍ଟ୍ ନେଇଛି। ଓଡ଼ିଶା ନିଜର ପରବର୍ତୀ ମ୍ୟାଚ୍‌ ନଭେମ୍ବର ୧୨ ତାରିଖଠାରୁ ଏହି କିଟ୍ ଷ୍ଟାଡିୟମରେ ଉତ୍ତରପ୍ରଦେଶ ସହିତ ଖେଳିବ। ଉତ୍ତରପ୍ରଦେଶ ନିଜର ପ୍ରଥମ ରାଉଣ୍ଡ ମୁକାବିଲାରେ ଗୋଆକୁ ପାଳି ବ୍ୟବଧାନରେ ହରାଇଛି। ରବିବାର ସକାଳେ ଓଡ଼ିଶା ୫୦/୧ରୁ ଖେଳିବାବେଳେ ଦିନ ତମାମ ବ୍ୟାଟିଂ କରି ମ୍ୟାଚରେ ସୁରକ୍ଷିତ ରହିବାର ଆବଶ୍ୟକତା ଥିଲା। କିନ୍ତୁ ବାମହାତୀ ସ୍ପିନର ଟିନୁ କୁଣ୍ଡୁ ଓଡ଼ିଶାର ଦୁଇ ନିର୍ଭରଯୋଗ୍ୟ ଶୀର୍ଷକ୍ରମ ଖେଳାଳି ଗୋବିନ୍ଦ ପୋଦ୍ଦାର ଓ ଶାନ୍ତନୁ ମିଶ୍ରଙ୍କ ୱିକେଟ ‌ନେବା ସହିତ ଅଧିନାୟକ ମୋହିତ ଶର୍ମା ପ୍ରଥମ ପାଳିର ଶତକହାସଲକାରୀ ଅନୁରାଗ ଷଡ଼ଙ୍ଗୀଙ୍କ ୱିକେଟ୍‌ ନେଇ ଓଡ଼ିଶାକୁ ୯୯/୪ରେ ସଂଘର୍ଷ କରାଇଥିଲେ। ମଧ୍ୟାହ୍ନ ଭୋଜନ ବିରତି ପରେ କିନ୍ତୁ ବିପ୍ଳବ ସାମନ୍ତରାୟ (୧୦୩*, ୨୧୦ ବଲ, ୧୪ ଚୌକା, ୨ ଛକା) ଏବଂ ଶୁଭ୍ରାଂଶୁ ସେନାପତି (୪୫, ୮୫ ବଲ, ୮ ଚୌକା)ଙ୍କ ମଧ୍ୟରେ ପଞ୍ଚମ ୱିକେଟ୍‌ ପାଇଁ ହୋଇଥିବା ୯୨ ରନ୍ ଭାଗୀଦାରି ଓଡ଼ିଶାକୁ ଏକ ପ୍ରକାର ସୁରକ୍ଷିତ ଆଡ଼କୁ ନେଇଥିଲା। ଅଧିନାୟକର ଦାୟିତ୍ବକୁ ଉଦାହରଣର ସହ ତୁଲାଇ ବିପ୍ଳବ ପ୍ରାଚୀର ଭଳି ଛିଡ଼ା ‌ହୋଇଥି‌ଲେ। ଚା’ପାନ ବିରତିର ଘଣ୍ଟାକ ପରେ ହଠାତ ବିପ୍ଳବ ପ୍ରତିପକ୍ଷର ସଫଳ ବୋଲର ବାମହାତୀ ସ୍ପିନର ଟିନୁ କୁଣ୍ଡୁଙ୍କୁ ଲଗାତାର ଭାବେ ୪,୪,୬,୬ ମାରି ସିଧାସଳଖ ୭୯ରୁ ୯୯ରେ ପହଞ୍ଚିଯାଇଥିଲେ। କୁଣ୍ଡୁଙ୍କ ପରବର୍ତୀ ଓଭରରେ ଚୌକା ମାରି ମଧ୍ୟ ବିପ୍ଳବ ପ୍ରଥମ‌ ଶ୍ରେଣୀ କ୍ରିକେଟରେ ନିଜର ଷଷ୍ଠ ଶତକ ହାସଲ କରି ନେଇଥିଲେ। ଏହି ପ୍ରତୀକ୍ଷିତ ଶତକ ସହିତ ମଧ୍ୟ ଉଭୟ ଅଧିନାୟକଙ୍କ ସହମତିରେ ମ୍ୟାଚ୍‌କୁ ପ୍ରାୟ ‌ଦେଢ଼ ଘଣ୍ଟା ପୂର୍ବରୁ ବନ୍ଦ କରିଦିଆଯାଇଥିଲ।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୩୨୪ (ଅନୁରାଗ ଷଡ଼ଙ୍ଗୀ, ୧୧୪, ଶାନ୍ତନୁ ମିଶ୍ର-୭୧, ଦେବବ୍ରତ ପ୍ରଧାନ-୩୬, ଟିନୁ କୁଣ୍ଡୁ-୪/୪୪, ମୋହିତ ଶର୍ମା-୨/୬୩, ହର୍ଷଲ ପଟେଲ-୨/୭୨)। ହରିଆଣା ପ୍ରଥମ ପାଳି: ୪୪୨ (ହିମାଂଶୁ ରାଣା-୧୬୪, ଚୈତନ୍ୟ ବି‌ଷ୍ଣୋଇ-୭୫, ହର୍ଷଲ ପଟେଲ-୭୨, ପ୍ରମୋଦ ଚାନ୍ଦିଲା-୫୩, ଦେବବ୍ରତ ପ୍ରଧାନ-୩/୯୬, ଗୋବିନ୍ଦ ପୋଦ୍ଦାର-୨/୫୩, ରାଜେଶ ମହାନ୍ତି-୨/୭୭, ସୂର୍ଯ୍ୟକାନ୍ତ ପ୍ରଧାନ-୨/୧୦୦ , ପପୁ ରୟ-୧/୭୬)। ଓଡ଼ିଶା ଦ୍ବିତୀୟ ପାଳି: ୯୯.୨ ଓଭରରେ ୨୬୭/୭ (ବିପ୍ଳବ ସାମନ୍ତରାୟ-୧୦୩*, ଶୁଭ୍ରାଂଶୁ ସେନାପତି-୪୫, ଅନୁରାଗ ଷଡ଼ଙ୍ଗୀ-୨୯, ଗୋବିନ୍ଦ ପୋଦ୍ଦାର-୨୨, ଜୟନ୍ତ ଯାଦବ-୨/୪୫, ଟିନୁ କୁଣ୍ଡୁ-୨/୬୪, ଚୈତନ୍ୟ ବିଷ୍ଣୋଇ-୧/୧୬, ମୋହିତ ଶର୍ମା-୧/୧୯, ହର୍ଷଲ ପଟେଲ-୧/୭୦)।

ଉନ୍ନତ ଖେଳି ପାରିଥାନ୍ତୁ: ବିପ୍ଳବ
ଏକ ପଏଣ୍ଟରେ ଆମେ ସନ୍ତୁଷ୍ଟ ହୋଇଛୁ ବୋଲି କହିପାରିବି ନାହିଁ। ମୋଟାମୋଟି ଭାବେ ଏହା ଦଳଗତ ପ୍ରୟାସ ଥିଲା। ସମସ୍ତେ ‌ଭଲ ଚେଷ୍ଟା କରିଥି‌ଲେ। ଅନେକ ସକାରାତ୍ମକ ଦିଗ ନେଇ ଆମେ ଆଗକୁ ଯାଉଛୁ। ଅନୁରାଗ ଓ ମୋ ଶତକ, ପଦାର୍ପଣ କରିଥିବା ଦୁଇ ଦ୍ରୁତ ବାଲର ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନଙ୍କ ପ୍ରଶଂସନୀୟ ବୋଲିଂ ଆଗକୁ ଆତ୍ମବିଶ୍ବାସ ଯୋଗାଇବ। ଏଥର ଲମ୍ବା ଋତୁ ରହିଛି। ତେଣୁ ଯେଉଁ ଯେଉଁ କ୍ଷେତ୍ରରେ ଦଳର ଦୁର୍ବଳତା ରହିଛି ତାହାକୁ ସଜାଡ଼ି ଖେଳିବୁ। ‌କ୍ଷେତ୍ରରକ୍ଷଣ ଦିଗରେ ମଧ୍ୟ ବିଶେଷ ନଜର ରହିବ। ପ୍ରଥମ ପାଳି‌ରେ ମୁଁ ଓ ଗୋବିନ୍ଦ ପୋଦ୍ଦାର ସେଟ ହେବା ପରେ ଆଉଟ୍ ହେବା ଠିକ୍ ନ ଥିଲା। ଆମେ ୪୦୦/୪୫୦ ରନ୍ କରିପାରିଥିଲେ ବୋଲରଙ୍କୁ ୨୦ ୱିକେଟ୍‌ ନେବାର ସୁଯୋଗ ମିଳିଥାନ୍ତା। ବୋଲିଂ ବେଳେ ଆମେ ମଧ୍ୟ ଅଭିଜ୍ଞ ବସନ୍ତ ମହାନ୍ତିଙ୍କ ଅଭାବ ଅନୁଭବ କରିଥିଲୁ। ‌ସେ ରିଭର୍ସ ସୁଇଙ୍ଗ ଜରିଆରେ ନିଶ୍ଚିତ ୱିକେଟ ବାହାର କରିଥାନ୍ତେ। ଆଶା କରିବି ସେ ଖୁବ ଶୀଘ୍ର ଦଳରେ ସାମିଲ ହୋଇଯିବେ ବୋଲି କହିଥିଲେ ଓଡ଼ିଶା ଅଧିନାୟକ ବିପ୍ଳବ ସାମନ୍ତରାୟ।

ଦୁଇ ଦଳ ପାଇଁ ଭଲ ରହିଲା: ମୋହିତ
ନୂଆ ଋତୁର ଏହି ପ୍ରଥମ ମ୍ୟାଚ୍‌ ଭଲ ଭାବନା ଓ ସୁସ୍ଥ ପରମ୍ପରା ମଧ୍ୟରେ ଖେଳାଯାଇପାରିଲା। ଉଭୟ ଦଳ ମଧ୍ୟ ଋତୁ ଆରମ୍ଭରୁ ଭଲ ଅଭ୍ୟାସ ପାଇଲେ। ଦୁଇ ଦଳର ଖେଳାଳି ୩ ଶତକ ଏବଂ ୫ ଅର୍ଧଶତକ ହାସଲ କରିଛନ୍ତି। ଆମେ ପରବର୍ତୀ ୮ ପୁଲ୍ ମ୍ୟାଚ୍‌ରେ ଭଲ କ୍ରିକେଟ୍ ଖେଳି ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିବୁ। ଏହି ମ୍ୟାଚ୍‌ରୁ ପାଇଥିବା ୩ ପଏଣ୍ଟରେ ଆମେ ଖୁସି। ଫଳାଫଳ ଆମ ହାତରେ ନଥିଲା। ପ୍ରୟାସ କରିବା ଆମ କାମ ଥିଲା। କିନ୍ତୁ ଉଭୟ ଦଳର ଖେଳାଳି ଭଲ ଖେଳିଥିଲେ। ଡେ’ଜ୍ କ୍ରିକେଟରେ ଫଳାଫଳ ପାଖାପାଖି ରହିଲେ ଭଲ ହୋଇଥାନ୍ତା। ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିବା ୫ ଜଣ ଯୁବ ‌ଖେଳାଳି ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଆମ ତରଫରୁ ବାମହାତୀ ସ୍ପିନର ଟିକୁ କୁଣ୍ଡୁ ୬ ୱିକେଟ୍‌ ନେଇଥିଲେ ଏବଂ ପ୍ରମୋଦ ଚାନ୍ଦିଲା ପଦାର୍ପଣରେ ଅର୍ଧଶତକ ଜମାଇଥିଲେ। ଓଡ଼ିଶା ପକ୍ଷରୁ ୧୯ ବର୍ଷରୁ କମ୍ ଏସିଆ କପ୍ ବିଜେତା ଦଳର ସଦସ୍ୟ ରାଜେଶ ମହାନ୍ତି ମଧ୍ୟ ପ୍ରଭାବ ଛାଡ଼ିପାରିଲେ ବୋଲି କହିଥିଲେ ହରିଆଣା ଦଳର ଅଧିନାୟକ ତଥା ଅର୍ନ୍ତଜାତୀୟ ତାରକା ମୋହିତ ଶର୍ମା।

ସମ୍ବଲପୁର ଶତକ ସ୍ମରଣୀୟ
ସମ୍ବଲପୁରରେ ଖେଳିଥିବା ଉତ୍ତରପ୍ରଦେଶ ବିପକ୍ଷ ଶତକକୁ ମୁଁ ସ୍ମରଣୀୟ ଓ ଶ୍ରେ‌ଷ୍ଠ କହିବି। ଏହା ମୋ ଖେଳ ଜୀବନର ପ୍ରଥମ ଶତକ ଥିଲା, ତା ସହିତ ପ୍ରତିଦ୍ବନ୍ଦ୍ବୀ ଦଳରେ ପୀୟୂଷ ଚାୱଲା, ଭୁବନେଶ୍ବର କୁମାର, ସୁଦୀପ ତ୍ୟାଗୀଙ୍କ ଭଳି କ୍ବାଲିଟି‌ ବୋଲର ଥିଲେ। ସମସ୍ତ ୬ ଶତକ ମଧ୍ୟରୁ ଏକମାତ୍ର ଦ୍ବିତୀୟ ପାଳି ଶତକ ମୁଁ ଡ୍ରିମ୍ସରେ କର୍ଣ୍ଣାଟକ ବିପକ୍ଷରେ ହାସଲ କରିବା ମଧ୍ୟ ଅନ୍ୟତମ ଶ୍ରେଷ୍ଠ ରହିଛି, କାରଣ ସେଠାରେ ଘାସୁଆ ପିଚ୍‌ରେ ଏହା ହାସଲ କରିଥିଲି। ଏବେ ୨ ବର୍ଷ ପରେ ମୋ ବ୍ୟାଟ୍‌ରୁ ଶତକ ମିଳିଥିବାରୁ ଖୁସି ଲାଗୁଛି ବୋଲି ଓଡ଼ିଶା ଅଧିନାୟକ ବିପ୍ଳବ କହିଛନ୍ତି। ଶେଷ ଥର ପାଇଁ ବିପ୍ଳବ ୨ ଋତୁ ପୂର୍ବରୁ ହାଇଦ୍ରାବାଦରେ ଆସାମ ବିପକ୍ଷରେ ଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର