ଏସୀୟ କ୍ରୀଡ଼ା ଦଳରେ ବୀରେନ୍ଦ୍ର, ଅମିତ୍‌

ଭୁବନେଶ୍ୱର/ନୂଆଦିଲ୍ଲୀ: ଅଗଷ୍ଟ ୧୮ ତାରିଖରୁ ଇଣ୍ଡୋନେସିଆର ଜାକର୍ତା ଓ ପାଲେମବାଗ୍‌ରେ ଆୟୋଜିତ ଏସୀୟ କ୍ରୀଡ଼ା ଲାଗି ଭାରତୀୟ ମହିଳା ଦଳରେ ୪ ଓଡ଼ିଆ ସ୍ଥାନ ପାଇବା ପରେ ସୋମବାର ଘୋଷିତ ଜାତୀୟ ପୁରୁଷ ଦଳରେ ୨ ଜଣଙ୍କୁ ସୁଯୋଗ ମିଳିଛି। ଦୁଇ ଡିଫେଣ୍ଡର୍‌ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ପାଇଛନ୍ତି ଏହି ସୁଯୋଗ। ହକି ଇଣ୍ଡିଆ ପକ୍ଷରୁ ସୋମବାର ଘୋଷିତ ୧୮ ଜଣିଆ ଭାରତୀୟ ଦଳର ନେତୃତ୍ୱ ନେବେ ଅଭିଜ୍ଞ ଗୋଲରକ୍ଷକ ପିଆର୍‌ ଶ୍ରୀଜେଶ। ଚିଙ୍ଗଲସାନା ସିଂହ କଙ୍ଗୁଜମଙ୍କୁ ଉପଅଧିନାୟକ ମନୋନୀତ କରାଯାଇଛି। ଡ୍ରାଗ୍‌ଫ୍ଲିକର୍‌ ରୂପିନ୍ଦର ପାଲ୍‌ ସିଂହ ଏବଂ ଷ୍ଟ୍ରାଇକର୍‌ ଆକାଶଦୀପ ସିଂହ ଦଳକୁ ଫେରିଛନ୍ତି। ଭାରତ ଏବେ ଏସୀୟ କ୍ରୀଡ଼ା ବିଜେତା ରହିଛି। ୪ ବର୍ଷ ତଳେ ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ାରେ ଭାରତ ପିଆର୍‌ ଶ୍ରୀଜେଶଙ୍କ ନେତୃତ୍ୱରେ ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା। ସମ୍ପ୍ରତି ନେଦରଲାଣ୍ଡ୍‌ର ବ୍ରେଦାରେ ଅନୁଷ୍ଠିତ ଚାମ୍ପିଅନ୍‌ସ ଟ୍ରଫିରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ଅଧିନାୟକ ଥିବା ଶ୍ରୀଜେଶ ମଧ୍ୟ ସେଠାରେ ଶ୍ରେଷ୍ଠ ଗୋଲରକ୍ଷକ ବିବେଚିତ ହୋଇଥିଲେ।
ଘୋଷିତ ଭାରତୀୟ ଦଳର ମଧ୍ୟକ୍ରମରେ ଅଭିଜ୍ଞ ଖେଳାଳି ତଥା ପୂର୍ବତନ ଅଧିନାୟକ ସର୍ଦାର ସିଂହଙ୍କ ସହିତ ମନପ୍ରୀତ୍‌ ସିଂହ, ସିମ୍ରନ୍‌ଜିତ୍‌ ସିଂହ, ବିବେକ ସାଗର ପ୍ରସାଦ ସାମିଲ ହୋଇଛନ୍ତି। ଅଗ୍ରଭାଗରେ ଭାରତର ଭାର ସମ୍ଭାଳିବେ ଏସ୍‌ଭି ସୁନୀଲ, ମନଦୀପ୍‌ ସିଂହ, ଲଳିତ ଉପାଧ୍ୟାୟ ଏବଂ ଦିଲ୍‌ପ୍ରୀତ୍‌ ସିଂହ। ରକ୍ଷଣଭାଗରେ ରୂପିନ୍ଦର ପାଲ୍‌ ସିଂହଙ୍କ ସହିତ ଆଉ ୩ ଜଣ ଡ୍ରାଗ୍‌ଫ୍ଲିକର୍‌ ହରମନପ୍ରୀତ୍‌ ସିଂହ, ବରୁଣ କୁମାର, ଅମିତ ରୋହିଦାସ ବି ସ୍ଥାନ ପାଇଛନ୍ତି। ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା ଏବଂ ସୁରେନ୍ଦର କୁମାରଙ୍କ ଉପରେ ମଧ୍ୟ ଦଳ ଅନେକ କିଛି ନିର୍ଭର କରିବ। ଦଳୀୟ ସମନ୍ଵୟ ସମ୍ପର୍କରେ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି ‘ଦଳରେ ଅଭିଜ୍ଞତା ଭରା ଖେଳାଳି ରହିଛନ୍ତି, ଯେଉଁମାନେ ନିକଟ ଅତୀତରେ ଭଲ ପ୍ରଦର୍ଶନ କରିଛନ୍ତି। ଆହତ କାରଣରୁ ରମଣଦୀପ ସିଂହ ଅନୁପସ୍ଥିତ ରହୁଥିବାରୁ ତାଙ୍କ ଅଭିଜ୍ଞତାର ଅଭାବ ପଡ଼ିବ ବୋଲି ସେ କହିଥିଲେ। ଆକାଶଦୀପ ସିଂହ ଏବଂ ରୂପିନ୍ଦର ପାଲ୍‌ ସିଂହ ଚାମ୍ପିଅନ୍‌ସ ଟ୍ରଫି ଖେଳିନଥିଲେ ମଧ୍ୟ ଘରୋଇ ପରିବେଶରେ ବାଂଲାଦେଶ ବିପକ୍ଷ ୬ ମ୍ୟାଚ୍‌ ଅଭ୍ୟାସ ଶୃଙ୍ଖଳାରେ ଭଲ ଖେଳିଥିଲେ।
ବ୍ରେଦାରୁ ଫେରିବା ପରେ ୫ ଦିନର ବିରାମ ପରେ ଖେଳାଳିମାନେ ବାଙ୍ଗାଲୋର୍‌ ଶିବିରରେ ଯୋଗେ ଦେଇଛନ୍ତି। ଏସୀୟ କ୍ରୀଡ଼ା ପୂର୍ବରୁ ଭାରତୀୟ ଦଳ କୋରିଆ ଏବଂ ନ୍ୟୁଜିଲାଣ୍ଡ୍‌ ଜାତୀୟ ଦଳ ସହ ଯଥାକ୍ରମେ ୫ ଓ ୩ ଲେଖାଏଁ ଅଭ୍ୟାସ ମ୍ୟାଚ୍‌ ଖେଳିବ। କୋରିଆ ବିପକ୍ଷରେ ଭାରତର କୋର୍‌ ଗ୍ରୁପ୍‌ ଦଳ ଖେଳିବାକୁ ଥିବାବେଳେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାରେ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ଦଳ ଖେଳିବେ। ଭାରତୀୟ ଦଳ ଭଲ ଅଭ୍ୟାସ ସହିତ ଏସୀୟ କ୍ରୀଡ଼ା ପ୍ରସ୍ତୁତ କରିବ ଏବଂ ଜାକର୍ତାରେ ସ୍ୱର୍ଣ୍ଣ ପଦକ ସହିତ ନିଶ୍ଚିତ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିବ ବୋଲି କହିଥିଲେ ହରେନ୍ଦ୍ର ସିଂହ।
ଭାରତୀୟ ଦଳ
ଗୋଲରକ୍ଷକ: ପିଆର୍‌ ଶ୍ରୀଜେଶ (ଅଧିନାୟକ), କ୍ରିଷନ୍‌ ବି ପାଠକ। ରକ୍ଷଣଭାଗ: ହରମନପ୍ରୀତ୍‌ ସିଂହ, ବରୁଣ କୁମାର, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦର କୁମାର, ରୂପିନ୍ଦର ପାଲ୍‌ସିଂହ, ଅମିତ ରୋହିଦାସ। ମଧ୍ୟଭାଗ: ମନପ୍ରୀତ୍‌ ସିଂହ, ଚିଙ୍ଗଲସାନା ସିଂହ କାଙ୍ଗୁଜାମ୍‌ (ଉପଅଧିନାୟକ), ସିମ୍ରନ୍‌ଜିତ୍‌ ସିଂହ, ସର୍ଦାର ସିଂହ, ବିବେକ ସାଗର ପ୍ରସାଦ। ଅଗ୍ରଭାଗ: ଏସ୍‌ଭି ସୁନୀଲ, ମନଦୀପ୍‌ ସିଂହ, ଆକାଶଦୀପ୍‌ ସିଂହ, ଲଲିତ ଉପାଧ୍ୟାୟ, ଦିଲପ୍ରୀତ୍‌ ସିଂହ।

ସମ୍ବନ୍ଧିତ ଖବର