ବୀରେନ୍ଦ୍ର ଓ ଅମିତଙ୍କୁ କାଂସ୍ୟ ଏଥର ୭ ଓଡ଼ିଆଙ୍କୁ ୮ ପଦକ

0 155

ଜକାର୍ତା (ଇଣ୍ଡୋନେସିଆ)/ ଭୁବନେଶ୍ୱର: ଏସୀୟ କ୍ରୀଡ଼ାରେ ଗତ ଥର ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳକୁ ଏଥର କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଶୁକ୍ରବାର ମହିଳା ଦଳ ଫାଇନାଲ୍‌ରେ ହାରି ରୌପ୍ୟ ପଦକ ଜିତିଥିବାବେଳେ ପୁରୁଷ ଦଳ ଶନିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୧ ଗୋଲ୍‌ରେ ହରାଇ ଦେଇଥିଲେ। ଭାରତ ପାଇଁର ଷ୍ଟ୍ରାଇକର୍‌ ଆକାଶଦୀପ ସିଂହ ଏବଂ ଡ୍ରାଗ୍‌ ଫ୍ଲିକର୍‌ ହରମନପ୍ରୀତ୍‌ ସିଂହ ସିଂହ ଗୋଲ୍‌ ଦୁଇଟି ଦେଇଥିଲେ। ଆକାଶଦୀପ ସିଂହଙ୍କ ତୃତୀୟ ମିନିଟ୍‌ ଗୋଲ୍‌ ବଳରେ ଭାରତ ତୃତୀୟ କ୍ୱାର୍ଟର ସୁଦ୍ଧା ୧-୦ରେ ଆଗୁଆ ରହିଥିଲା। ଉଭୟ ଦଳ ଏହି କାଂସ୍ୟ ପଦକ ମୁକାବିଲାକୁ ବଡ଼ ରୋମାଞ୍ଚକର କରିଥିଲେ। ଗୋଟିଏ ମାତ୍ର ଗୋଲ୍‌ରେ ଆଗୁଆ ରହି ଶେଷ କ୍ୱାର୍ଟର ଖେଳିଥିବା ଭାରତକୁ ୫୦ତମ ମିନିଟ୍‌ରେ ମିଳିଥିବା ପ୍ରଥମ ପେନାଲ୍‌ଟି କର୍ନରକୁ ହରମନପ୍ରୀତ୍‌ ସିଂହ ଗୋଲ୍‌ରେ ପରିଣତ କରି ଦେଇଥିଲେ। ତେବେ ୨ ମିନିଟ୍‌ ପରେ ମହମ୍ମଦ ଅତିକଙ୍କ ସୁନ୍ଦର ଫିଲ୍‌ଡ ଗୋଲ୍‌ ବଳରେ ପାକିସ୍ତାନ ଗୋଟିଏ ଭରଣା କରି ଦେଇଥିଲା। ପରେ ପରେ ମନ୍‌ଦୀପ ସିଂହଙ୍କ ପ୍ରୟାସରୁ ଭାରତକୁ ଦ୍ୱିତୀୟ ପେନାଲ୍‌ଟି କର୍ନର ମିଳିଥିଲା। ରୂପିନ୍ଦର ପାଲ୍‌ ସିଂହ କିନ୍ତୁ ଏହାକୁ ବେକାର କରି ଦେଇଥିଲେ। ଶେଷ ମିନିଟ୍‌ରେ ପାକିସ୍ତାନ ସବୁ ଦମ୍‌ ଲଗାଇ ଦେଇଥିଲେ ମଧ୍ୟ ଭାରତ ଏକମାତ୍ର ଗୋଲ୍‌ ଅଗ୍ରଣୀକୁ ସୁରକ୍ଷିତ ରଖି କାଂସ୍ୟ ପଦକର ହକ୍‌ଦାର ହୋଇଥିଲା। ଏହି ଦଳରେ ସାମିଲ ଥିବାରୁ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ କାଂସ୍ୟ ପଦକ ସହ ଫେରୁଛନ୍ତି।

Panda Mobile only

ଏଥି ସହିିତ ଚଳିତ ସଂସ୍କରଣ ଏସିଆଡ୍‌ରୁ ୭ ଜଣ ଓଡ଼ିଆକୁ ୮ ପଦକ ମିଳିଛି। ଦୂତି ଚାନ୍ଦଙ୍କ ଯୁଗଳ ରୁପା ପଦକ (୧୦୦ ଏବଂ ୨୦୦ ମିଟର୍‌ ମହିଳା ଦୌଡ଼) ପରେ ୪ ଜଣ ଓଡ଼ିଆ ହକି ଝିଅ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ। ପୁରୁଷ ହକିରେ ବୀରେନ୍ଦ୍ର ଓ ଅମିତ୍‌ କାଂସ୍ୟ ଜିତି ନେଇଥିଲେ। ଅମିତ୍‌ କିନ୍ତୁ ଏସିଆଡ୍‌ ପଦାର୍ପଣରେ ପଦକ ଜିତିବାର ଗୌରବ ପାଇଛନ୍ତି। ବୀରେନ୍ଦ୍ର ଗତ ଥର ସ୍ୱର୍ଣ୍ଣ ପଦକ ଜିତିଥିଲେ। ମହିଳା ହକିରେ ରୌପ୍ୟରେ ସନ୍ତୁଷ୍ଟ ହୋଇଥିବା ୪ ଓଡ଼ିଆ ଝିଅ ହେଲେ ଦୀପ୍‌ଗ୍ରେସ୍‌ ଏକ୍କା, ସୁନୀତା ଲାକ୍ରା, ଲିଲିମା ମିଞ୍ଜ୍‌ ଏବଂ ନମିତା ଟପ୍ପୋ। ଏହି ୪ ଜଣ ୪ ବର୍ଷ ତଳେ ୨୦୧୪ ଇଞ୍ଜିଅନ୍‌ ଏସିଆଡ୍‌ରେ କାଂସ୍ୟ ପଦକ ଜିତିଥିଲେ। ବ୍ୟକ୍ତିଗତ ଭାବେ ଦୁଇଟି ଲେଖାଏଁ ଏସିଆଡ୍‌ ପଦକ ଜିତିବାରେ ମଧ୍ୟ ଦୀପ୍‌ଗ୍ରେସ୍‌ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜ୍‌ଙ୍କ ସହିତ ବୀରେନ୍ଦ୍ର ଲାକ୍ରା ଓଡ଼ିଆଙ୍କ ବିରଳ କ୍ଲବ୍‌ରେ ସାମିଲ ହେଲେ। ପୂର୍ବରୁ ଦିଲୀପ ତିର୍କି, ଜ୍ୟୋତି ସୁନୀତା କୁଲୁ ୨ଟି ଲେଖାଏଁ ପଦକ ଜିତିବାର ଗୌରବ ପାଇଥିଲେ। ଏଥି ସହିତ ଜକାର୍ତା ପାଲେମବାଙ୍ଗ ଏସିଆଡ୍‌ରୁ ଓଡ଼ିଆଙ୍କ ପଦକ ସଂଖ୍ୟା ୮ରେ ପହଞ୍ଚିଛି।

ଜାପାନକୁ ସ୍ୱର୍ଣ୍ଣ
ଏସୀୟ କ୍ରୀଡ଼ାର ପୁରୁଷ ହକି ସ୍ୱର୍ଣ୍ଣ ପଦକ ଜାପାନ ଜିତି ନେଇଛି। ଶନିବାର ରୋମାଞ୍ଚକର ଫାଇନାଲ୍‌ ମ୍ୟାଚ୍‌ରେ ଜାପାନ ସୁଟ୍‌ ଆଉଟ୍‌ରେ ମାଲେସିଆକୁ ୩-୧ (୬-୬)ରେ ହରାଇ ଦେଇଥିଲା। ନିୟମିତ ସମୟରେ ମ୍ୟାଚ୍‌ ୬-୬ ଗୋଲ୍‌ରେ ଶେଷ ହେବା ପରେ ପେନାଲଟି ସୁଟ୍‌ଆଉଟ୍‌ରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା। ଫଳରେ ଜାପାନ ସ୍ୱର୍ଣ୍ଣ, ମାଲେସିଆ ରୌପ୍ୟ ଏବଂ ଭାରତ କାଂସ୍ୟ ପଦକ ଜିତି ଏସିିଆର ୩ ଶ୍ରେଷ୍ଠ ହକି ରାଷ୍ଟ୍ର ହୋଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.