ଭାରତରେ ରାଜ୍ୟଗୋଷ୍ଠୀ ବଂଧୁକଚାଳନା ଓ ତୀରନ୍ଦାଜି: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକରେ ଗଣାଯିବ

ଲଣ୍ଡନ୍‌: ଏକ ଅଣପାରମ୍ପରିକ ନିଷ୍ପତ୍ତି କ୍ରମରେ ୨୦୨୨ ମସିହାର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ତାଲିକାରେ ଏହାର ଢ଼େର ପୂର୍ବରୁ ଶେଷ ହେବାକୁ ଥିବା ରାଜ୍ୟଗୋଷ୍ଠୀ ପ୍ରତିଯୋଗିତା ବଂଧୁକଚାଳନା ଓ ତୀରନ୍ଦାଜି ପଦକ ସାମିଲ କରାଯିବ। ରବିବାର ଲଣ୍ଡନ୍‌ରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଜିଏଫ୍‌)ର କାର୍ଯ୍ୟନିର୍ବାହ‌ୀ ବୋର୍ଡ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଭାରତରେ ୨୦୨୨ ମସିହା ଜାନୁଆରିରେ ରାଜ୍ୟଗୋଷ୍ଠୀ ବଂଧୁକଚାଳନା ଏବଂ ତୀରନ୍ଦାଜି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହ‌ାକୁ ମଧ୍ୟ ସେହି ବର୍ଷର ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମାନ୍ୟତାରେ ଗଣାଯିବ। କିନ୍ତୁ ବର୍ମିଂହାମ୍‌ ସଂସ୍କରଣର ସପ୍ତାହକ ପରେ ଏହି ଦୁଇ ଖେଳର ପଦକକୁ ସଂଯୁକ୍ତ କରାଯିବ। ଭାରତ ପାଇଁ ଏହା ଏକ ବଡ଼ ବିଜୟ ସଦୃଶ ହୋଇଛି। ଏହି ଦୁଇ ‌ଖେଳରୁ ଭାରତ ବହୁ ପଦକ ଜିତିବାର ସମ୍ଭାବନା ଥିବାବେଳେ ଉଭୟକୁ ବର୍ମିଂହାମରୁ ବାଦ୍ ଦିଆଯାଇଥିଲା। ଏହାକୁ ବିରୋଧ କରି ଭାରତୀୟ ଅଲିମ୍ପିକ୍ ସଂଘ ସମ୍ପୂର୍ଣ୍ଣ ପ୍ରତିଯୋଗିତାରୁ ଓହରିଯିବ ବୋଲି ଧମକ ଦେଇଥିଲା। ଏବେ ଏହି ଦୁଇ ପ୍ରତ‌ିଯୋଗିତାର ବିଜେତା ହିଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତାର ମାନ୍ୟତା ପାଇବେ। ୨୦୨୨ ମସିହା ଜାନୁଆରିରେ ଚଣ୍ଡୀଗଡ଼ରେ ଏହା ଖେଳାଯିବ। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା କିନ୍ତୁ ୨୦୨୨ ଜୁଲାଇ ୨୭ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ଖେଳାଯିବ। ଉଭୟ ଚଣ୍ଡୀଗଡ଼ ଓ ବର୍ମିଂହାମ ପ୍ରତିଯୋଗିତା ଅଲଗା ଆୟୋଜିତ ହେବ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇଭେଣ୍ଟ୍ ଭାବେ ଅନୁଦାନ ପାଇବ ବୋଲି‌ ବୈଠକ ପରେ ଘୋଷଣା କରାଯାଇଛି।

ସିଜିଏଫ୍‌ର ଏଭଳି ନିଷ୍ପତ୍ତିରେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଏବଂ ମହାସଚିବ ରାଜୀବ ମେହେଟା ପ୍ରମୁଖ ଭୂମିକା ତୁଲାଇଥିଲେ। ‌ଘୋଷଣା ପରେ ଆଇଓଏ ନିଜର ଧମକକୁ ପ୍ରତ୍ୟାହାର କରି ନେଇଛି। କେନ୍ଦ୍ର ସରକାର ମଧ୍ୟ ଚଣ୍ଡୀଗଡ଼ର ଉଭୟ ପ୍ରତିଯୋଗିତା ଲାଗି ଅନୁମୋଦନ ପ୍ରଦାନ କରିଛନ୍ତି। ବଂଧୁକଚାଳନା ଖର୍ଚ ଭାରତର ଜାତୀୟ ରାଇଫଲ୍‌ ସଂଘ (ଏନଆରଏଆଇ) ଏବଂ ତୀରନ୍ଦାଜି ଖର୍ଚ କେନ୍ଦ୍ର ସରକାର ବହନ କରିବେ। ସୂଚନାଯୋଗ୍ୟ, ୧୯୬୬ ମସିହା ପରଠାରୁ କେବଳ ୧୯୭୦କୁ ଛାଡ଼ିଦେଲେ ପ୍ରତିଟି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଂଧୁକଚାଳନା ସାମିଲ ଥିଲା। ତୀରନ୍ଦାଜି କିନ୍ତୁ ପୂର୍ବରୁ କେବଳ ୧୯୮୨ ଏବଂ ୨୦୧୦ ସଂସ୍କରଣରେ ଈଚ୍ଛାଧୀନ ଖେଳ ଭାବେ ସାମିଲ ହୋଇଥିଲା।

ସମ୍ବନ୍ଧିତ ଖବର