ସୁପର କପ୍‌ରେ କାଳିମା

ପିଟାପିଟି ହେଲେ ଗୋଆ-ଜାମ୍‌ସେଦପୁର ଖେଳାଳି

ଭୁବନେଶ୍ୱର: ଚଳିତ ସୁପରକପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ତୃତୀୟ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ବେଳେ ଗୋଆ ଓ ଜାମ୍‌ସେଦପୁର ଖେଳାଳିମାନେ ତୁମୁଳ କାଣ୍ଡ ଘଟାଇଛନ୍ତି। ଦର୍ଶକଙ୍କ ସମ୍ମୁଖରେ ପରସ୍ପର ସହ ହାତାହାତି ହୋଇ ସେମାନେ ଫୁଟ୍‌ବଲ୍‌କୁ ଲଜ୍ଜିତ କରିଛନ୍ତି। ଗୁରୁବାର କିଛି ଖେଳାଳିଙ୍କ ଅଶୋଭନୀୟ ଆଚରଣ ପାଇଁ ସୁପରକପର ଛୋଟିଆ ଇତିହାସରେ ବଡ଼ କଳା ଫର୍ଦ ଯୋଡ଼ି ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ଫୁଟବଲ୍‌ ପଡ଼ିଆରେ ଗୁରୁବାର ଅପରାହ୍ନରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦୁଇ କ୍ୱାର୍ଟର ଫାଇନାଲିଷ୍ଟ ଦଳ ଗୋଆ ଏଫ୍‌ସି ଏବଂ ଜାମ୍‌ସେଦପୁର ଏଫ୍‌ସିର ଖେଳାଳିମାନେ ପ୍ରଥମାର୍ଧର କିଛି କ୍ଷଣ ପରେ ପରେ ଲଙ୍କାକାଣ୍ଡ ଘଟାଇଥିଲେ। ପ୍ରଥମାର୍ଧର ଆହତ ସମୟରେ ହୋଇଥିବା ଏକ ବିବାଦୀୟ ଗୋଲ୍‌କୁ ନେଇ ପରସ୍ପରକୁ ଠେଲାପେଲା ଓ ମାରପିଟ୍‌ କରିଥିଲେ। ଏଥିରୁ ରେଫରି ଓ ଲାଇନମ୍ୟାନ୍‌ ମଧ୍ୟ ବର୍ତି ନଥିଲେ। ବୁଝାଶୁଝା କରୁଥିବା କେତେକ ଅଧିକାରୀ ମଧ୍ୟ ବିନା ଦୋଷରେ ଧକ୍କା ଖାଇଥିଲେ। ଘଟଣାରେ କେହି ଆହତ ହୋଇ ନଥିଲେ ମଧ୍ୟ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ସୁପରକପ୍‌ରେ ଏକପ୍ରକାର କାଳିମା ବୋଳି ହୋଇ ଯାଇଥିଲା। ଏହି ଘଟଣା ପାଇଁ ଦ୍ୱିତୀୟାର୍ଧ ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା।

୬ ଖେଳାଳିଙ୍କୁ ଲାଲ କାର୍ଡ
ପ୍ରଥମ ୪୫ ମିନିଟ୍‌ର ଖେଳ ପରେ ମିଳିଥିବା ୬ ମିନିଟ୍‌ର ଆହତ ସମୟରେ ଗୋଆ ଦେଇଥିବା ଏକ ଗୋଲ୍‌କୁ ନେଇ ବିଦାଦ ସୃଷ୍ଟି ହୋଇଥିଲା। ପ୍ରଥମାର୍ଧର ୩୪ ମିନିଟ୍‌ରେ ମ୍ୟାଚ୍‌ର ପ୍ରଥମ ଗୋଲ୍‌ କରିଥିବା ଫର୍ନାଣ୍ଡୋ ବ୍ରେଣ୍ଡନ ଆହତ ସମୟର ଦ୍ୱିତୀୟ ମିନିଟ୍‌ରେ ଆଉ ଏକ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ। ଏହା ହିଁ ଆଜି ଝଗଡ଼ାର କାରଣ ହୋଇଥିଲା। ଫର୍ନାଣ୍ଡୋଙ୍କ ପାସ୍‌କୁ ସ୍ପେନୀୟ ଅଗ୍ରଭାଗ ଖେଳାଳି ଫେରାନ କରୋମିନାସ କିନ୍ତୁ ଖାମଖିଆଲି ଭାବେ ଗୋଲ୍‌ ପୋଷ୍ଟ ଆଡ଼କୁ ମାରିଥିଲେ। ଯାହାକୁ ଜାମ୍‌ସେଦପୁର ଗୋଲ୍‌ ରକ୍ଷକ ସୁବ୍ରତ ପଲ୍‌ ଲାଇନ୍‌ ବାହାରକୁ ଠେଲି ଦେଇଥିଲେ। ହେଲେ ସେଠାରେ ପଇଁତରା ମାରୁଥିବା ଫର୍ନାଣ୍ଡୋ ଏହାକୁ ଚତୁରତାର ସହ ଦ୍ୱିତୀୟ ପ୍ରୟାସରେ ଗୋଲ୍‌ପୋଷ୍ଟ ଭିତରକୁ ପଠାଇ ଦେଇଥିଲେ। ଗୋଆ ଖେଳାଳିମାନେ ଦ୍ୱିତୀୟ ଗୋଲ୍‌ ହୋଇଥିବା ଭାବି ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଥିଲେ। ହେଲେ ଜାମ୍‌ସେଦପୁର ଖେଳାଳି ଏହାର ତୀବ୍ର ବିରୋଧ କରିଥିଲେ। ରେଫରି ଗୋଲ୍‌କୁ ନାକଚ କରିବା ଲାଗି କିଛି ସମୟ ନେବା ପରେ ଜାମ୍‌ସେଦପୁର ଖେଳାଳି ଏବଂ ତାଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା। ଶେଷରେ ରେଫରି ମ୍ୟାଚ୍‌ କମିସନର ସଞ୍ଜୟ କୁମାରଙ୍କ ସହ ଆଲୋଚନା କରି ଗୋଲ୍‌ଟିକୁ ଅବୈଧ ଘୋଷଣା କରିଥିଲେ। ହେଲେ ଏହାକୁ ନେଇ ଦୁଇ ଦଳର ଖେଳାଳି ସେତେବେଳକୁ ପରସ୍ପରକୁ ଠେଲା ପେଲା କରିବା ଆରମ୍ଭ କରି ଦେଇଥିଲେ। ଯାହା ପ୍ରଥମାର୍ଧର ଶେଷ ହ୍ଵିସିଲ ବାଜିବା ପର୍ଯ୍ୟନ୍ତ ଜାରି ରହିଥିଲା। ମଧ୍ୟାନ୍ତରରେ ଖେଳାଳିମାନେ ଗ୍ରିନ୍‌ ରୁମ୍‌କୁ ଫେରୁଥିଲା ବେଳେ ପ୍ରବେଶ ପଥରେ ପରସ୍ପରକୁ ଆକ୍ରମଣ କରିଥିଲେ। ବିଶେଷ କରି ଗୋଆର ୧୬ ନମ୍ବର ଖେଳାଳି ବ୍ରୁନୋ ଫିଲିପ ତାଭାରେସ ପିନେଇରୋ ଜାମ୍‌ସେଦପୁରର ୯ ନମ୍ବର ଖେଳାଳି କର୍ଭେନ୍ସ ବେଲଫର୍ଟକୁ ହଠାତ୍‌ ଆକ୍ରମଣ କରିଥିଲେ। ସେମାନଙ୍କ ଲଢ଼େଇରେ ଜାମ୍‌ସେଦପୁରର ୧ ନମ୍ବର ଖେଳାଳି ତଥା ଗୋଲ୍‌ ରକ୍ଷକ ସୁବ୍ରଲ ପଲ୍‌ ଓ ଗୋଆର ୧୦ ନମ୍ବର ଖେଳାଳି ତଥା ପ୍ରଥମାର୍ଧର ଗୋଲ୍‌ ସ୍କୋରର୍‌ ଫର୍ନାଣ୍ଡୋ ମଧ୍ୟ ସାମିଲ ହୋଇଥିଲେ। ଗୋଆର ୨୧ ନମ୍ବର ଖେଳାଳି ସର୍ଗିଓ ମାରିନ୍‌ ଏବଂ ଜାମ୍‌ସେଦପୁରର ୧୫ ନମ୍ବର ଖେଳାଳି ଆନସ ଏଦାଥୋଦିଆ ବି ହାତାହାତି ହୋଇଯାଇଥିଲେ। ସୁରକ୍ଷାକର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଯାଇ ସ୍ଥିତି ଶାନ୍ତ ପଡ଼ିଥିଲା। ଏହି କାରଣରୁ ମଧ୍ୟାନ୍ତରର ଅବଧି ପାଖାପାଖି ଅଧଘଣ୍ଟାଏ ଯାଏଁ ଲମ୍ବି ଯାଇଥିଲା। ମଧ୍ୟାନ୍ତରରେ ତିନି ଖେଳାଳିଙ୍କ ଉଗ୍ର ଆଚରଣର ବିସ୍ତୃତ ରିପୋର୍ଟ ରେଫରିଙ୍କଠାରୁ ପାଇବା ପରେ ମ୍ୟାଚ୍‌ କମିସନର ସଞ୍ଜୟ କୁମାର ସେମାନଙ୍କୁ ବଳକା ମ୍ୟାଚ୍‌ରୁ ବାହାର କରି ଦେଇଥିଲେ। ସମସ୍ତଙ୍କୁ ଲାଲ କାର୍ଡ ଦେଇଥିଲେ। ଫଳରେ ଗଣ୍ଡଗୋଳରେ ଜଡ଼ିତ ଥିବା ଏହି ଖେଳାଳିମାନେ ଆସନ୍ତା ସମୟରେ ଏକାଧିକ ମ୍ୟାଚ୍‌ରୁ ବାସନ୍ଦ ହେବାର ଆଶଙ୍କା ରହିଛି। ଉତ୍ତେଜନାପୂର୍ଣ୍ଣ ମ୍ୟାଚ୍‌କୁ ଅବଶ୍ୟ ଗୋଆ ଏଫ୍‌ସି ଏକତରଫା ଭାବେ ୫-୧ ଗୋଲ୍‌ରେ ଜିତି ନେଇଥିଲା। ସେଥିପାଇଁ ଜାମ୍‌ସେଦପୁର ଏଫସି ଚଳିତ ସୁପରକପ୍‌ର କ୍ୱାର୍ଟର ଫାଇନାଲରୁ ବିବାଦୀୟ ଢଙ୍ଗରେ ବିଦାୟ ନେଇଥିଲା। ତେବେ ଏହି ବାସନ୍ଦାଦେଶର ପ୍ରଭାବ ସେମିଫାଇନାଲ୍‌ ଟିକେଟ ହାସଲ କରିଥିବା ଗୋଆର ସୁପରକପ୍‌ ଅଭିଯାନ ଉପରେ ଅଧିକ ପଡ଼ିବ। କାରଣ ୧୬ ତାରିଖରେ ଖେଳା ଯିବାକୁ ଥିବା ଇଷ୍ଟ୍‌ବେଙ୍ଗଲ ବିପକ୍ଷ ସେମିଫାଇନାଲରେ ଏହି ଦଳ ନିଜର ତିନି ଜଣ ପ୍ରମୁଖ ଖେଳାଳିଙ୍କ ସେବାରୁ ବଞ୍ଚିତ ହେବ। ଜାମ୍‌ସେଦପୁର ମଧ୍ୟ ତା’ର ପରବର୍ତୀ ପେସାଦାର ମ୍ୟାଚ୍‌ରେ ଲାଲ କାର୍ଡ ପାଇଥିବା ସୁବ୍ରତ୍‌, କର୍ଭେନ୍ସ ଓ ଆନସ୍‌ଙ୍କୁ ଖେଳାଇ ପାରିବ ନାହିଁ।

୮ ଜଣରେ ଦ୍ୱିତୀୟାର୍ଧ
ମାରପିଟ୍‌ ପାଇଁ ମ୍ୟାଚ୍‌ କମିସନର ସଞ୍ଜୟ କୁମାର ଉଭୟ ଦଳର ତିନି ଜଣ ଲେଖାଏଁ ଖେଳାଳିଙ୍କୁ ଦଣ୍ଡିତ କରିବା ପରେ ଦ୍ୱିତୀୟାର୍ଧରେ ପ୍ରତ୍ୟେକ ଦଳ ୮ ଜଣ ଲେଖାଏଁ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ। ଫଳରେ ପଡ଼ିଆ ଏକ ପ୍ରକାର ଖାଲି ଜଣାପଡ଼ିଥିଲା। ଗୋଆ ଖେଳାଳିମାନେ ଗୋଲ୍‌ ପରେ ଗୋଲ୍‌ ଦେଉଥିଲା ବେଳେ ଜାମ୍‌ସେଦପୁର ଖେଳାଳି କେବଳ ଯାହା ଦେଖଣାହାରୀ ସାଜିଥିଲେ। ଗଣ୍ଡଗୋଳ ପରେ ସେମାନେ ମ୍ୟାଚ୍‌ ଖେଳିବାର ଉତ୍ସାହ ହରାଇ ବସିଥିଲେ। ଗୋଆର ୧୦ ନମ୍ବର ଖେଳାଳି ବ୍ରେଣ୍ଡନ ଫର୍ଣ୍ଣାଣ୍ଡିସ୍‌, ୨୧ ନମ୍ବର ସର୍ଗିଓ ମାରିନ ଓ ୧୬ ନମ୍ବର ଖେଳାଳି ବ୍ରୁନୋ ତାଭାରିସ୍‌ ଏବଂ ଜାମସେଦପୁରର ୧ ନମ୍ବର ଖେଳାଳି ସୁବ୍ରତ ପଲ୍‌, ୯ ନମ୍ବର କର୍ବେନ ବଲଫର୍ଟ ଓ ୧୫ ନମ୍ବର ଖେଳାଳି ଅନସ ଏଦାଥାଦିକା କେବଳ ଆଜି ମ୍ୟାଚ୍‌ର ଦ୍ୱିତୀୟାର୍ଧରୁ ବଞ୍ଚିତ ହୋଇ ନଥିଲେ, ସେମାନେ ଆଗକୁ ଆହୁରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ଶେଷ ୨୭ ମିନିଟ୍‌ରେ ୫ ଗୋଲ୍‌
ସେମିରେ ଗୋଆ-ଇଷ୍ଟ୍‌ବେଙ୍ଗଲ
ଗୁରୁବାରର ଏହି ବିବାଦୀୟ ମୁକାବିଲାରେ ଗୋଆ ଖେଳାଳିମାନେ ପ୍ରଥମାର୍ଧରେ ଏକ ପ୍ରକାର ଆଧିପତ୍ୟ ବିସ୍ତାର କରିଥିଲେ। ଜାମ୍‌ସେଦପୁର ତୁଳନାରେ ସେମାନେ ଅଧିକ ଗୋଲ୍‌ ସୁଯୋଗ ସୃଷ୍ଟି କରି ପାରିଥିଲେ। ସେଥିମଧ୍ୟରୁ ଅବଶ୍ୟ ମାତ୍ର ଗୋଟିଏକୁ ଗୋଲ୍‌ରେ ରୂପାନ୍ତର କରି ପାରିଥିଲେ। ଶେଷ ୧୫ ମିନିଟର ଖେଳ କିନ୍ତୁ ପ୍ରଥମ ଅଧଘଣ୍ଟାଏର ଖେଳ ତୁଳନାରେ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିଥିଲା। ୩୪ ମିନିଟ୍‌ରେ ଗୋଆର ୧୦ ନମ୍ବର ଖେଳାଳି ବ୍ରେଣ୍ଡନ ଫର୍ନାଣ୍ଡିଜ୍‌ ଫରାସି ଖେଳାଳି ହୁଗୋ ଅଦନାନ ବୌମସ୍‌ଙ୍କ ଥ୍ରୋକୁ ଚତୁରତାର ସହ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ଗୋଆକୁ ଆଗୁଆ କରି ଦେଇଥିଲେ। ଜାମ୍‌ସେଦପୁର ଗୋଲ୍‌ ରକ୍ଷକ ସୁବ୍ରତ ପଲ୍‌ କିଛି ବୁଝିବା ପୂର୍ବରୁ ରେଫରି ଗୋଲ୍‌ ସଙ୍କେତ ଦେଇ ସାରିଥିଲେ । ୪୫ ମିନିଟ୍‌ ଖେଳ ସହ ୬ ମିନିଟ୍‌ର ଆହତ ସମୟରେ ଜାମ୍‌ସେଦପୁର ଏହି ଗୋଲ୍‌କୁ ଶୁଝି ପାରି ନଥିଲା। ଦୁଇ ଦଳର ତିନି ଜଣ ଲେଖାଏଁ ଖେଳାଳି ମାରପିଟ ପାଇଁ ଲାଲ କାର୍ଡ ପାଇବା ପରେ ଦ୍ୱିତୀୟାର୍ଧ ୮ ଜଣ ଲେଖାଏଁ ଖେଳାଳିଙ୍କୁ ନେଇ ଆରମ୍ଭ ହୋଇଥିଲା। ଏଥିରେ ମଧ୍ୟ ଗୋଆ ବାଜି ମାରି ନେଇଥିଲା। ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟାର୍ଧର ୨୮ ଓ ମ୍ୟାଚ୍‌ର ୬୩ ମିନିଟ୍‌ରେ ଜାମ୍‌ସେଦପୁର ଖେଳାଳି ଏମରସନ ଡି ମୌର୍ଯ୍ୟା ବିପଜ୍ଜନକ ଭାବେ ଗୋଆର ଫେରାନ କରୋମିନାସଙ୍କୁ ବକ୍ସ ଭିତରେ ରୋକିଥିଲେ। ଫଳରେ ରେଫରି ଗୋଆକୁ ପେନାଲ୍ଟି ପ୍ରଦାନ କରିଥିଲେ। କରୋମିନାସ ଏହାକୁ ସଫଳତାର ସହ ଗୋଲ୍‌ରେ ବଦଳାଇ ଗୋଆକୁ ୨-୦ରେ ଆଗୁଆ କରି ଦେଇଥିଲେ। ସେହିଭଳି ଗୋଆର ୯ ନମ୍ବର ଖେଳାଳି ମନବୀର ସିଂହ ୭୭ ମିନିଟ୍‌ରେ ଏକ ଫିଲ୍ଡ ଗୋଲ୍‌ ଦେଇ ସ୍ଥିତି ୩-୦ କରିବାର ମାତ୍ର ୧ ମିନିଟ୍‌ ଭିତରେ ୪ ନମ୍ବର ଖେଳାଳି ହୁଗୋ ବୌମସ୍‌ ଆଉ ଏକ ଗୋଲ୍‌ ଦେଇ ଗୋଆ ଅଗ୍ରଣୀକୁ ୪-୦କୁ ବଢ଼ାଇ ନେଇଥିଲେ। ସେହିଭଳି ୮୯ ମିନିଟରେ ବୌମସ୍‌ ବ୍ୟକ୍ତିଗତ ଭାବେ ଆଉ ଏକ ଗୋଲ୍‌ କରି ଗୋଆ ବିଜୟକୁ ସୁନିଶ୍ଚିତ କରି ନେଇଥିଲେ। ଆହତ ସମୟରେ ଅସୀମ ବିଶ୍ୱାସ (୯୦+୨) ଜାମ୍‌ସେଦପୁର ପକ୍ଷରୁ ଏକମାତ୍ର ସାନ୍ତ୍ୱନାମୂଳକ ଗୋଲ ଦେଇଥିଲେ। ଆକାଶରୁ ଅବିରହ ନୀର ବର୍ଷା ଚାଲିଥିଲା ବେଳେ ଗୋଆର ଗୋଲ୍‌ ବର୍ଷାକୁ ବି ଦର୍ଶକ ଭରପୁର ଉପଭୋଗ କରିଥିଲେ। ଗୋଆ ୫-୧ରେ ବିଜୟୀ ହୋଇ ସେମିଫାଇନାଲକୁ ଯାଇଥିଲା। ବୌମସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର