କିମ୍ବଦନ୍ତୀ: କଳା ଚିତା ‘ୟାସିନ୍‌’

ମସ୍କୋ: ରୁଷୀୟ ଫୁଟ୍‌ବଲର୍‌ ଲେଭ୍‌ ଇଭାନୋଭିଚ୍‌ ୟାସିନ୍‌ ହେଉଛନ୍ତି ସେଭଳି ଜଣେ ଖେଳାଳି ଯିଏ ନିଜ ସମୟରେ ‘କଳା ଚିତା’ କିମ୍ବା ‘କଳା ବୁଢ଼ିଆଣୀ’ ନାମରେ ପରିଚିତ ଥିଲେ। ଫୁଟ୍‌ବଲ୍‌ ଇତିହାସରେ ୟାସିନ୍‌ଙ୍କୁ ମହାନ ଫୁଟବଲର୍‌ ଆଖ୍ୟା ମିଳି ଆସିଛି। ଯେଉଁଥି ପାଇଁ ଫିଫା ବିଶ୍ୱକପ୍‌ର ଶ୍ରେଷ୍ଠ ଗୋଲରକ୍ଷକଙ୍କୁ ବି ମିଳୁଛି ଲେଭ୍‌ ୟାସିନ୍‌ ସମ୍ମାନ ସ୍ୱରୂପ ସୁନାର ଗ୍ଲୋଭ୍‌ସ। ନିଜର ସାହସିକ କୌଶଳ, ଚଳଚଞ୍ଚଳତା, ଜଗିବାର ଢଙ୍ଗ, ଗୋଲ୍‌ମୁହଁରେ ନିଜର ପ୍ରଭାବୀ ଉପସ୍ଥିତି, ଆକ୍ରୋବାଟିକ୍‌ ପ୍ରଦର୍ଶନ ଆଦି ହିଁ ତାଙ୍କୁ କଳା ଚିତାର ଆଖ୍ୟା ଦେଇଥିଲା। ସେ ଏବେ ସୋଭିଏତ୍‌ ଫୁଟ୍‌ବଲ୍‌ ସଂଘର ଉପାଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ବିଶ୍ୱ ଫୁଟ୍‌ବଲ୍‌ର ଗୋଲରକ୍ଷଣ ଭୂମିକାରେ ବୈପ୍ଲବିକ୍‌ ପରିବର୍ତନ ଆଣିବାରେ ୟାସିନ୍‌ ଥିଲେ ପ୍ରବର୍ତକ। ସମ୍ପୂର୍ଣ୍ଣ ରକ୍ଷଣଭାଗକୁ ସମ୍ଭାଳୁଥିଲେ ଏହି ମହାନ ଖେଳାଳି। ଗୋଲ୍‌ ସମ୍ମୁଖରେ ତାଙ୍କ ସକ୍ରିୟ ଉପସ୍ଥିତି ଏବଂ ରକ୍ଷଣଭାଗ ଖେଳାଳିଙ୍କୁ ଚିତ୍କାର କରି ଆଦେଶ ଦେବା, ଲାଇନ୍‌ ବାହାରକୁ ଆସି କ୍ରସ୍‌କୁ ଅବରୋଧ କରିବା ଏବଂ ପ୍ରତିପକ୍ଷର ଅଗ୍ରଭାଗ ଖେଳାଳିଙ୍କ ଆକ୍ରମଣକୁ ପ୍ରତିହତ କରିବାର ସମସ୍ତ କଳା କୌଶଳ ୟାସିନ୍‌ଙ୍କୁ ଜଣାଥିଲା। ୧୯୫୮ ମସିହା ବିଶ୍ୱକପ୍‌ରେ ତାଙ୍କ ଅସାଧାରଣ ପ୍ରଦର୍ଶନ ହିଁ ବିଶ୍ୱବ୍ୟାପୀ ପ୍ରଶଂସକଙ୍କୁ ପ୍ରଭାବିତ କରିଥିଲା। ଏହି ବିଶ୍ୱକପ୍‌ ପ୍ରଥମ ଥର ଅନ୍ତର୍ଜାତୀୟ ସ୍ତରରେ ପ୍ରସାରିତ ହୋଇଥିଲା। ପାଦରୁ ମଥା ପର୍ଯ୍ୟନ୍ତ କଳା ପୋଷାକରେ ଆଛାଦିତ ହୋଇ ଖେଳୁଥିବାରୁ ତାଙ୍କୁ କ୍ରମେ ‘କଳା ବୁଢ଼ିଆଣୀ’ର ସୁନାମ ଦେଇଥିଲା। ଏହି ନାମରେ ସେ ବେଶ ଲୋକପ୍ରିୟ ହୋଇଥିଲେ।

ରୁଷିଆ ପାଇଁ ସେ ୧୯୫୮ରୁ ୧୯୭୦ ମସିହା ମଧ୍ୟରେ ସମସ୍ତ ୩ ବିଶ୍ୱକପ୍‌ ଖେଳିଥିଲେ। ୨୦୦୨ ମସିହାରେ ତାଙ୍କୁ ଫିଫା ଡ୍ରିମ୍‌ ଟିମ୍‌ରେ ମଧ୍ୟ ମରୋଣୋତ୍ତୋର ଭାବେ ସାମିଲ କରାଯାଇଥିଲା। ୧୯୯୪ରେ ଫିଫାର ସର୍ବକାଳୀନ ଦଳରେ ଏବଂ ୧୯୯୮ରେ ଫିଫାର ବିଂଶ ଶତାବ୍ଦୀ ମହାନଙ୍କ ମଧ୍ୟରେ ମଧ୍ୟ ତାଙ୍କ ନାମ ରହିଥିଲା। ଫିଫାର ସୂଚନା ଅନୁସାରେ ୟାସିନ୍‌ ନିଜ ପେସାଦାର ଜୀବନରେ ୧୫୦ରୁ ଊର୍ଧ୍ୱ ପେନାଲ୍‌ଟି କିକ୍‌ ବଞ୍ଚାଇଥିଲେ। ଯାହା ଅନ୍ୟ କୌଣସି ଗୋଲରକ୍ଷକଙ୍କ ପାଇଁ ସମ୍ଭବ ହୋଇପାରିନାହିଁ। ନିଜ ଖେଳ ଜୀବନରେ ମଧ୍ୟ ୨୭୦ରୁ ଊର୍ଧ୍ୱ କ୍ଲିନ୍‌ ସିଟ୍‌ (ଗୋଟିଏ ବି ଗୋଲ୍‌ ବରଣ ନ କରିବା) ମ୍ୟାଚ୍‌ ରଖିଛନ୍ତି। ୧୯୫୬ ମସିହାରେ ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୧୯୬୦ ମସିହାରେ ୟୁରୋପୀୟ ପ୍ରତିଯୋଗିତା ଜିତିଥିଲେ। ୧୯୬୩ ମସିହାରେ ଫିଫାର ଶ୍ରେଷ୍ଠ ଖେଳାଳି ଭାବେ ବାଲନ୍‌ ଡିଓର୍‌ ପୁରସ୍କାର ପାଇଥିଲେ। ଏହି ପୁରସ୍କାର ପାଇବାରେ ସେ ଏକମାତ୍ର ଗୋଲରକ୍ଷକ। ବିଂଶ ଶତାବ୍ଦୀର ଶ୍ରେଷ୍ଠ ଗୋଲ୍‌ରକ୍ଷକ ଭାବେ ୟାସିନଙ୍କ ନାମକୁ ଏବେ ବି ଫୁଟବଲ୍‌ ପ୍ରଶଂସକମାନେ ମନେ ରଖିଛନ୍ତି।

ଏକ ଶିଳ୍ପ ଶ୍ରମିକ ପରିବାରରେ ଜନ୍ମିତ ୟାସିନ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରଭାବିତ ହୋଇଥିଲେ ଏବଂ ଅସୁସ୍ଥତା କାରଣରୁ ଏକ ମିଲିଟାରି କାରଖାନାରେ କାମ କରିଥିଲେ। କାରଖାନା ଦଳରୁ ଖେଳିବା ଅବସରରେ ଡାଇନାମୋ ମସ୍କୋ ଯୁବ ଦଳ ଦ୍ୱାରା ନିମନ୍ତ୍ରିତ ହୋଇ ଫୁଟ୍‌ବଲ୍‌ ଦୁନିଆକୁ ଆସିଥିଲେ ୟାସିନ୍‌। ୧୯୫୦ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ସହିତ ଦେଶ ପାଇଁ ୭୮ ମ୍ୟାଚ୍‌ ଖେଳିଥିଲେ। ବିଶ୍ୱକପ୍‌ରେ ୧୨ ମ୍ୟାଚ୍‌ରୁ ସେ ୪ଟି କ୍ଲିନ୍‌ ସିଟ୍‌ ରଖିବା ଉଲ୍ଲେଖନୀୟ ଥିଲା। ଫୁଟ୍‌ବଲ୍‌ ଖ୍ୟାତି ପୂର୍ବରୁ ସେ ଆଇସ୍‌ ହକିରେ ଖେଳି ସୋଭିଏତ୍‌ କପ୍‌ ଜିତିଥିଲେ। କିନ୍ତୁ ଫୁଟ୍‌ବଲ୍‌ ଉପରେ ଏକାଗ୍ରତା ଲାଗି ଆଇସ୍‌ ହକିକୁ ଛାଡ଼ି ଦେଇଥିଲେ। ଅବସର ପରେ ଫୁଟ୍‌ବଲ୍‌ ପ୍ରଶାସନ ସହିତ ପ୍ରାୟ ୨୦ ବର୍ଷ ବିତାଇଥିଲେ। କର୍କଟ ରୋଗରେ ପୀଡ଼ିତ ହୋଇ ୬୦ ବର୍ଷ ବୟସରେ ସେ ୧୯୯୦ ମସିହାରେ ପ୍ରାଣତ୍ୟାଗ କରିଥିଲେ। ୟାସିନ୍‌ ଏତେ ପ୍ରସିଦ୍ଧି ଲାଭ କରିଥିଲେ ଯେ ମସ୍କୋ ଓ ରିଓ ଡି ଜେନିରୋରେ ଏବେ ରହିଛି ତାଙ୍କ କାଂସ୍ୟ ପ୍ରତିମୂର୍ତି। ତାଙ୍କ ନାମରେ ମଧ୍ୟ ଡାକଟିକଟ, ସଂଗୀତ, ଚଳଚ୍ଚିତ୍ର, ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ର ମୁଦ୍ରା ଆଦି ପ୍ରକାଶିତ ହୋଇଥିଲା ବିଭିନ୍ନ ସମୟରେ।

ସମ୍ବନ୍ଧିତ ଖବର