ଅଦ୍ଭୁତ ଅନ୍ଧବିଶ୍ୱାସ

ନୀଳ ଅନ୍ତବସ୍ତ୍ର, ବାଁପଟ ଗାଧୁଆଘର

ମସ୍କୋ: ଏକବିଂଶ ଫିଫା ବିଶ୍ୱକପ୍‌ର ଖେଳାଳିଙ୍କ ନିଆରା ଅନ୍ଧବିଶ୍ୱାସ ବି ବେଶ୍‌ ବିସ୍ମୟକର। ଜଣେ ଖେଳାଳି ସଫଳତା ପାଇଁ ଏକ ନିର୍ଦିଷ୍ଟ ରଙ୍ଗର ଅନ୍ତବସ୍ତ୍ର ପିନ୍ଧୁଥିଲା ବେଳେ ଆଉ ଜଣେ କେବଳ ବାମକୋଣରେ ଗାଧୁଆଘର ବ୍ୟବହାର କରୁଛନ୍ତି। ଅଧିକାଂଶ ଅବଶ୍ୟ ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେଇ ବ୍ୟାୟାମ ଏବଂ ଡାଏଟିଂ ଉପରେ ଧ୍ୟାନ ଦେଉଛନ୍ତି। ହେଲେ କେବଳ ଖେଳାଳି ନୁହଁ ଅନେକ ପ୍ରଶିକ୍ଷକଙ୍କୁ ମଧ୍ୟ ଅନ୍ଧବିଶ୍ୱାସ ଘାରିିଛି। କଲମ୍ବିଆ ଗୋଲ୍‌ ରକ୍ଷକ ରେନେ ହୁଗୁଇଟା ବିଶ୍ୱାସ କରନ୍ତି ଯେ ନୀଳ ଅନ୍ତବସ୍ତ୍ର ପିନ୍ଧିଲେ ତାଙ୍କୁ ସଫଳତା ମିଳିବ। ସେପଟେ ଜର୍ମାନିର ଅଗ୍ରଭାଗ ଖେଳାଳି ମାରିଓ ଗୋମେଜ୍‌ ବିଶ୍ୱାସ କରନ୍ତି ଯେ ମ୍ୟାଚ୍‌ ପୂର୍ବରୁ ବାମ ପଟ କୋଣରେ ଥିବା ଗାଧୁଆଘର ବ୍ୟବହାର କଲେ ତାଙ୍କୁ ସୁଫଳ ମିଳିଥାଏ। ଗୋମେଜଙ୍କ ସାଥୀ ଖେଳାଳି ଜୁଲିଅନ୍‌ ଡ୍ରାକ୍ସଲେର ମ୍ୟାଚ୍‌ ପୂର୍ବରୁ ଅତର ଲଗାଇବାକୁ ଭୁଲନ୍ତି ନାହିଁ। ଇଂଲଣ୍ଡର ଫିଲ୍‌ ଜନ୍ସଙ୍କ ଭଳି ଖେଳାଳି ପଡ଼ିଆରେ ପଡ଼ିଥିବା ଧଳା ଗାର ଉପରେ ଚାଲିବା ପସନ୍ଦ କରନ୍ତି ନାହିଁ। ଅନ୍ୟପକ୍ଷରେ ବ୍ରାଜିଲୀୟ ରକ୍ଷଣଭାଗ ଖେଳାଳି ମାର୍ସେଲୋ ସବୁବେଳେ ବାମ ପାଦ ଆଗ ରଖି ପଡ଼ିଆ ଭିତରେ ପ୍ରବେଶ କରିଥାଆନ୍ତି। ମରକ୍କୋର ହର୍ବ ରେନାର୍ଡ ଧଳା ଜର୍ସି ପିନ୍ଧନ୍ତି। ଏଥିରେ ତାଙ୍କୁ ଆଫ୍ରିକାନ୍‌ ନେସନ୍ସ କପ୍‌ରେ ତ ସଫଳତା ମିଳିଥିଲା। ହେଲେ ବିଶ୍ୱକପ୍‌ରେ ମିଳିଲା ନାହିଁ। ପର୍ତୁଗାଲ୍‌ର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ସବୁବେଳେ ପ୍ରଥମେ ନିଜ ଡାହାଣ ପାଦ ରଖି ପଡ଼ିଆ ଭିତରକୁ ଯାଇ ଥାଆନ୍ତି। ସେ ମଧ୍ୟ ଦଳୀୟ ବସ୍‌ର ଡାହାଣ ପଟ ପଛ ସିଟରେ ବସନ୍ତି। ଶେଷରେ ତଳକୁ ଓହ୍ଲାନ୍ତି। ଇଂଲଣ୍ଡ ଅଧିନାୟକ ହାରି କେନ୍‌ ଗୋଲ୍‌ ଦେବା ପରେ ଦାଢ଼ି ରଖିବା ଆରମ୍ଭ କରି ଦିଅନ୍ତି। ଜର୍ମାନିର ମେସୁଟ ଓଜିଲ ତାଙ୍କ ଜୋତା ଲେସ୍‌ରେ ବହୁତ ଗଣ୍ଠି ମାରନ୍ତି। ଉରୁଗୁଏ ନାୟକ ଲୁଇସ୍‌ ସୁଆରେଜ୍‌ ମଣିବନ୍ଧରେ କରିଥିବା ନିଜ ପିଲାଙ୍କ ଟାଟୁକୁ ବାରମ୍ବାର ଚୁମ୍ବନ ଦିଅନ୍ତି। ସ୍ପେନ୍‌ର ଜୋର୍ଡି ଆଲବା ଡ୍ରେସିଂ ରୁମ୍‌ ଛାଡ଼ିବାର ଦୁଇ ତିନି ମିନିଟ୍‌ ପୂର୍ବରୁ ଦାନ୍ତ ଘଷନ୍ତି। ମଧ୍ୟଭାଗ ଖେଳାଳି ସେକ୍‌ ଫାବ୍ରିଗେସ୍‌ ତାଙ୍କ ପତ୍ନୀ ଦେଇଥିବା ମୁଦିକୁ ଗଣି ଗଣି ଚାରି ଥର ଚୁମା ଦିଅନ୍ତି। ଏହି ବିଷୟରେ ଖେଳ ମନୋବିଜ୍ଞାନୀ ଡନ୍‌ ଆବ୍ରାହାମ୍ସ କୁହନ୍ତି ଯେ ପ୍ରତ୍ୟେକ ଖେଳାଳି ମ୍ୟାଚ୍‌ ପୂର୍ବରୁ କିଛି ନିର୍ଦିଷ୍ଟ ନୀତି ନିୟମ ଅନୁସରଣ କରନ୍ତି। ସାଧାରଣତଃ ଏହାର କୌଣସି ସଂପର୍କ ତାଙ୍କ ପ୍ରଦର୍ଶନ ସହ ନଥାଏ। ହେଲେ ଖେଳାଳିଙ୍କୁ ଏହା କରିବା ଦ୍ୱାରା ଆତ୍ମସନ୍ତୋଷ ମିଳିଥାଏ। କେତେକ କ୍ଷେତ୍ରରେ ସେମାନଙ୍କ ଆତ୍ମବିଶ୍ୱାସ ବି ବଢ଼ି ଯାଇଥାଏ।

ପିଚ୍‌ ଉପରେ ପରିସ୍ରା

ଖେଳାଳିଙ୍କ ଅନ୍ଧବିଶ୍ୱାସର ଧାରା କିନ୍ତୁ ବହୁ ପୁରୁଣା। ୧୯୯୦ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା-ଯୁଗୋସ୍ଲୋଭିଆ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ସୁଟଆଉଟକୁ ଯାଇଥିଲା। ହେଲେ ସେତେବେଳକୁ ଆର୍ଜେଣ୍ଟିନା ଗୋଲ୍‌ ରକ୍ଷକ ସର୍ଗିଓ ଗଏଚୋଚେଙ୍କୁ ଖୁବଜୋରରେ ପରିସ୍ରା ଲାଗୁଥିଲା। ନିୟମ ଅନୁସାରେ କିନ୍ତୁ ମ୍ୟାଚ୍‌ ଶେଷ ନ ହେବା ପର୍ଯ୍ୟନ୍ତ ସେ ପଡ଼ିଆ ଛାଡ଼ି ପାରି ନ ଥାଆନ୍ତେ। ସେଥିପାଇଁ ସାଥୀ ଖେଳାଳିଙ୍କ ଆଢ଼ୁଆଳରେ ସେ ପିଚ୍‌ ଉପରେ ହିଁ ପରିସ୍ରା କରିଥିଲେ। ସଂଯୋଗବଶତଃ ସେହି ମ୍ୟାଚକୁ ଆର୍ଜେଣ୍ଟିନା ଜିତି ନେଇଥିଲା। ଇଟାଲି ବିପକ୍ଷ ସେମିଫାଇନାଲରେ ସେ ପୁଣି ଏହାକୁ ଦୋହରାଇଥିଲେ ଏବଂ ଆର୍ଜେଣ୍ଟିନା ବିଜୟୀ ହୋଇଥିଲା। ସେବେଠାରୁ ଆର୍ଜେଣ୍ଟିନା ଦଳର ସବୁ ସୁଟଆଉଟ୍‌ ପୂର୍ବରୁ ସେ ନିଜର ଏହି ଅଦ୍ଭୂତ ଅଭ୍ୟାସକୁ ଦୋହରାଇ ଥିଲେ।

ବ୍ରାଜିଲ୍‌ରେ ଭୂତକୁ ଚୁମା
୧୯୫୦ ବିଶ୍ୱକପ୍‌ ଫାଇନାଲରେ ଆୟୋଜକ ବ୍ରାଜିଲ୍‌କୁ ହରାଇ ଉରୁଗୁଏ ବିଜେତା ହୋଇଥିଲା। ସେହିଠାରୁ ହିଁ ବ୍ରାଜିଲ୍‌ରେ ଏକ ଅନ୍ଧବିଶ୍ୱାସ ଜନ୍ମ ନେଇଥିଲା। ପରାଜୟକୁ ଭୂତ ଭାବେ ବିବେଚନା କରି ମାରାକାନାଜୋ ବା ମାରାକାନା ଚୁମାର ଜନ୍ମ ହୋଇଥିଲା। ପ୍ରତି ବିଶ୍ୱକପ୍‌ ପୂର୍ବରୁ ବ୍ରାଜିଲବାସୀ କେତେକ ନିର୍ଦିଷ୍ଟ ସ୍ଥାନରେ ଘର କାନ୍ଥରେ ଭୂତର ଚିତ୍ର ଆଙ୍କି ତାକୁ ଫ୍ଲାଇଙ୍ଗ୍‌ କିସ୍‌ ଦିଅନ୍ତି। ଏହା ଦ୍ୱାରା ପରାଜୟ ଭୂତ ଦୂରକୁ ଚାଲି ଯାଏ ବୋଲି ସେମାନେ ବିଶ୍ୱାସ କରନ୍ତି। ଏଥର ରାଜଧାନୀ ରିଓଡି ଜେନେରିଓର ସହରତଳି ଅଞ୍ଚଳରେ ଏଭଳି ଏକ ଚିତ୍ର ଅଙ୍କା ଯାଇଛି। ଯେଉଁଥିରେ ନେମାର କାଳ୍ପନିକ ଭୂତକୁ ଚୁମା ଉଡ଼ାଉଥିବା ଦେଖିବାକୁ ମିଳୁଛି। ସଂପ୍ରତି ସେଠାକୁୁ ହଜାର ହଜାର ବ୍ରାଜିଲ ସମର୍ଥକ ଯାଇ ଭୂତକୁ ଚୁମା ଦେଉଛନ୍ତି।

ଲଣ୍ଡା ମୁଣ୍ଡକୁ ଗେଲ
୧୯୯୮ ମସିହାରେ ଫ୍ରାନ୍ସ ବିଶ୍ୱବିଜେତା ହୋଇଥିଲା। ତେବେ ଏହି ଦଳର ଖେଳାଳିମାନେ ମଧ୍ୟ ଅନ୍ଧବିଶ୍ୱାସରୁ ବର୍ତି ନଥିଲେ। ଫ୍ରାନ୍ସ ବିଶ୍ୱକପ୍‌ ଦଳର ସଦସ୍ୟମାନେ ସେତେବେଳେ ପ୍ରତି ମ୍ୟାଚ୍‌ ପୂର୍ବରୁ ନିଜ ଗୋଲ୍‌ ରକ୍ଷକ ଫାଭିଏନ୍‌ ବାର୍ଥେଜଙ୍କ ଲଣ୍ଡା ମୁଣ୍ଡରେ ହାତ ବୁଲାଇ ପଡ଼ିଆକୁ ଯାଉଥିଲେ। ରକ୍ଷଣଭାଗ ଖେଳାଳି ଲରେଣ୍ଟ ବ୍ଲାକ୍‌ ସବୁମ୍ୟାଚ୍‌ ପୂର୍ବରୁ ବାର୍ଥେଜଙ୍କ ମୁଣ୍ଡକୁ ଚୁମ୍ବନ ଦେଉଥିଲେ। ଏହି ଧାରା ଫାଇନାଲ୍‌ ପର୍ଯ୍ୟନ୍ତ ବି ଚାଲିଥିଲା। ଶେଷରେ ଫ୍ରାନ୍ସ ବିଜେତା ହେବା ପରେ ଯାଇ ଏହିଧାରା ବନ୍ଦ ହୋଇଥିଲା। ମହାନ ଖେଳାଳି ଡିଏଗୋ ମାରାଡୋନା ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତୀ ଥିଲେ। ଖେଳିବା ସମୟରେ ସେ ସବୁବେଳେ ନିଜ ପାଖରେ ଏକ ପୂଜା ମାଳ ରଖୁଥିଲେ। ୨୦୧୦ ବିଶ୍ୱକପ୍‌ ବେଳେ ପ୍ରତି ମ୍ୟାଚ୍‌ ପୂର୍ବରୁ ପ୍ରଥମେ ସେ ଟ୍ରାକ ସୁଟ୍‌ରେ ପଡ଼ିଆ ଭିତରକୁ ଆସୁଥିଲେ। ତା’ ପରେ ସୁଟ୍‌ ପିନ୍ଧି ଓହ୍ଲାଉଥିଲେ।

ସମ୍ବନ୍ଧିତ ଖବର